କ୍ଷୀର, ଫଳ, ଡାଲି ଉତ୍ପାଦନରେ ବିଶ୍ୱର ପ୍ରଥମ ସ୍ଥାନରେ ରହିଛି ଭାରତ । ତଥାପି ବିଶ୍ୱର ୪ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ କୁପୋଷଣରେ ଶିକାର

249

କନକ ବ୍ୟୁରୋ : ଦେଶର ବିକାଶ ହେଉଛି । ଗମନା ଗମନ ବଦଳୁଛି, ପ୍ରଯୁକ୍ତି ବିଦ୍ୟାରେ ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ଆଗରେ ରହିଛି । ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ହେଲେ ଦୁଃଖର କଥା କି ଦେଶର ୧୩୫ କୋଟି ଲୋକଙ୍କ ମଧ୍ୟରୁ ୨୨ କୋଟି ଲୋକଙ୍କୁ ଦୈନିକ ଦୁଇଓଳି ଖାଇବାକୁ ମିଳୁନାର୍ହିଁ ।

କରୋନା ମହାମାରୀ ପରେ ବିଶ୍ୱରେ କୁପୋଷଣରେ ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସଂଯୁକ୍ତ ରାଷ୍ଟ୍ର ତରଫରୁ ଫୁଡ ସିକ୍ୟୁରିଟି ଆଣ୍ଡ ନ୍ୟୁଟ୍ରିସନ ଇନ ଦ ୱାର୍ଲ୍ଡ ୨୦୨୨ ରିପୋର୍ଟରେ ଯାହା ପ୍ରକାଶ ପାଇଛି ତାହା ଆପଣଙ୍କୁ ଚକିତ କରିଦେବ । ରିପୋର୍ଟ ମୁତାବକ ୨୦୧୯ ପରେ ବିଶ୍ୱର ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୨୧ ରେ ବିଶ୍ୱରେ ୭୬.୮ କୋଟି ଲୋକ କୁପୋଷଣରେ ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭାରତରେ ୨୨.୨୪ କୋଟି ଅର୍ଥାତ ୨୯ ପ୍ରତିଶତ ଲୋକ ଦୈନିକ ଦୁଇଓଳି ଖାଦ୍ୟପାଇଁ ସଂଘର୍ଷ କରୁଛନ୍ତି । ଅର୍ଥାତ ସାରା ବିଶ୍ୱର ୪ ଜଣରୁ ଜଣେ କୁପୋଷିତ ଲୋକ ଭାରତରେ ରହିଛନ୍ତି ।

ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଅର୍ଥାତ ବିଶ୍ୱ ଖାଦ୍ୟ ସୂଚକାଂକ ୨୦୨୧ ମୁତାବକ ଭାରତ ବିଶ୍ୱର ଦ୍ୱିତୀୟ ବୃହତ ଖାଦ୍ୟ ଉତ୍ପାଦନକାରୀ ଦେଶ । କ୍ଷୀର, ଡାଲି, ଚାଉଳ, ମାଛ, ପନିପରିବା ଓ ଗହମ ଉତ୍ପାଦନରେ ସାରା ବିଶ୍ୱରେ ଭାରତ ପ୍ରଥମ ସ୍ଥାନରେ ରହିଛି । ହେଲେ ଦେଶ ଜନସଂଖ୍ୟାର ଏକ ବୃହତ ବର୍ଗ ଏବେ ଖାଦ୍ୟମୁଠେ ନ ପାଇ କୁପୋଷଣରେ ଶିକାର ହେବାରେ ଲାଗିଛନ୍ତି ।
କହିରଖୁ କି ୨୦୧୯ ରେ ବିଶ୍ୱରେ ୬୧.୮ କୋଟି ଲୋକ ଖାଦ୍ୟ ପାଇଁ ସଂଘର୍ଷ କରୁଥିଲେ । ହେଲେ ୨୦୨୧ ବେଳକୁ ଏମାନଙ୍କ ସଂଖ୍ୟା ୭୬.୮ କୋଟିରେ ପହଂଚି ସାରିଛି । ଅର୍ଥାତ ମାତ୍ର ୨ ବର୍ଷରେ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ସଂଖ୍ୟା ୧୫ କୋଟି ବୃଦ୍ଧି ପାଇଛି ।

ସେପଟେ ଆଶ୍ଚର୍ଯ୍ୟଜନକ କଥା କି କରୋନା କାଳରେ ଧନୀ ଲୋକଙ୍କ ସଂଖ୍ୟା (୨୦୦ କୋଟିରୁ ଅଧିକ ସମ୍ପତ୍ତି ଥିବା) ୧୧ ପ୍ରତିଶତ ବୃଦ୍ଧି ପାଇଛି । ଏହାସହ ୩୦ ଜଣରୁ ଅଧିକ ଧନୀଙ୍କ ସମ୍ପତ୍ତି ୨ ଗୁଣାରୁ ଅଧିକ ହୋଇଛି । ସେପଟେ ଭାରତର ସାଧାରଣ ନାଗରିକଙ୍କ ସମ୍ପତ୍ତି ୭ ପ୍ରତିଶତ ପର୍ଯ୍ୟନ୍ତ କମିଛି ।