ଉମରକୋଟ ବ୍ଲକ ରାଜପୁର ହାଇସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ। ଜଙ୍ଗଲ ରାସ୍ତାରେ ୨ କିମି ଦୂର ଅନ୍ୟ ସ୍କୁଲ ଗଲେ ମିିଳୁଛି ଖାଇବା।

83

କନକ ବ୍ୟୁରୋ: ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ । ଖରାରେ ୨ କିଲୋମିଟର ବାଟଚାଲୁଛନ୍ତି ଛାତ୍ରଛାତ୍ରୀ । ଫାଇଭ ଟି ଯୋଜନାରେ ତିଆରି ହୋଇଥିବା ହାଇସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ । ଜଙ୍ଗଲ ରାସ୍ତାରେ ୨ କିଲୋମିଟର ବାଟ ଚାଲି ଚାଲି ଅନ୍ୟ ସ୍କୁଲକୁ ଯାଉଛନ୍ତି ଛାତ୍ରଛାତ୍ରୀ । ସେଠାରେ ମିଳୁଛି ପିଲାଙ୍କୁ ମଧ୍ୟାହ୍ନ ଭୋଜନ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ।

ସୂଚନା ଅନୁସାରେ ରାଜପୁରଗ୍ରାମରେ ଫାଇଭ-ଟି ଯୋଜନାରେ ନୂତନ ଭାବେ ନୋଡାଲ ହାଇସ୍କୁଲ ତିଆରି କରାଗଲା । ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ମୋଟ ୨୦୧ ପିଲା ରହିଛନ୍ତି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ନିଜ ସ୍କୁଲରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା କଥା । କିନ୍ତୁ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ରୋଷେଇ ଘର ତିଆରି ହୋଇନାହିଁ । ଯାହାପାଇଁ ଛାତ୍ରଛାତ୍ରୀମାନେ ଗାଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରହିଥିବା ପୁରୁଣା ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ପାଇଁ ଯାଉଛନ୍ତି । ଅନ୍ୟ ପକ୍ଷେ ନୂତନ ବିଦ୍ୟାଳୟ ତିଆରି ହେବା ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ନୂତନ ନୋଡାଲ ସ୍କୁଲରେ ମିଶିବା କଥା କିନ୍ତୁ ଏପର୍ଯ୍ୟନ୍ତ ମିଶି ନଥିବାରୁ ସେହି ପୁରୁଣା ସ୍କୁଲରେ ହିଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ହେଉଛି । ଏହି କାରଣରୁ ପିଲାମାନଙ୍କୁ ୨କିଲୋମିଟର ବାଟ ଚାଲିଚାଲି ଯିବାକୁ ପଡୁଛି । ମଧ୍ୟାହ୍ନ ଭୋଜନ ସମସ୍ୟା ସମାଧାନ ପାଇଁ ଗ୍ରାମବାସୀ ବିଇଓ ଓ ଡିଇଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନାହିଁ ।