ୟୁକ୍ରେନରେ ୠଷିଆର ମିଜାଇଲ ଆକ୍ରମଣ ପ୍ରସଙ୍ଗ: ଛୋଟ ପିଲାଙ୍କୁ ମାରିବାକୁ ଋଷ ମିଜାଇଲ ମାଡ କରିଥିବା ୟୁକ୍ରେନର ଦାବି

148

କନକ ବ୍ୟୁରୋ: ପୂର୍ବ ୟୁକ୍ରେନର କ୍ରାମାର୍ଟୋସ୍କ ରେଳ ଷ୍ଟେସନ ଉପରେ ରକେଟ ମାଡ ଘଟଣାରେ ଏକ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଏହି ଆକ୍ରମଣ କରିଥିବା ମିଜାଇଲରେ ‘ଏହା ଛୋଟପିଲାଙ୍କ ପାଇଁ’ ଲେଖାଥିବା ଜଣାପଡିଛି । ସ୍ଥାନୀୟ ଭାଷାରେ ଏହା ଲେଖାଯାଇଛି । ଏପରି ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଛି । ରେଳ ଷ୍ଟେସନରେ ହୋଇଥିବା ଏହି ଆକ୍ରମଣରେ ୫ ନାବାଳକଙ୍କ ସମେତ ୫୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଶତାଧିକ ୟୁକ୍ରେନ ନାଗରିକ ଆହତ ହୋଇଛନ୍ତି । ସହରବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ଷ୍ଟେସନ ଉପରେ ରକେଟ ମାଡ କରିଥିଲା ପୁଟିନ ସେନା । ଷ୍ଟେସନରେ ହଜାରେରୁ ଅଧିକ ଲୋକ ଥିବା ବେଳେ ରକେଟ ମାଡ କରାଯାଇଥିଲା ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଏହା ମାନବିକତା ଉପରେ ଆକ୍ରମଣ । ନୀରିହ ନାଗରିକଙ୍କ ଉପରେ ରୁଷ ଅତ୍ୟାଚାର କରୁଛି, ଏହା ରୁଷର ସୀମାହିନ ଶୈତାନୀ । ପୁଟିନ ଯୋଜନାବଦ୍ଧ ଭାବେ ୟୁକ୍ରେନର ଲୋକଙ୍କୁ ହତ୍ୟା କରୁଛନ୍ତି, ଶୀଘ୍ର ଦଣ୍ଡ ନ ମିଳିଲେ ମାନବିକତା ଉପରେ ହେଉଥିବା ଏହି ବର୍ବରତା ଥମିବ ନାହିଁ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ରାମାର୍ଟୋସ୍କ ରେଳ ଷ୍ଟେସନ ଉପରେ ଆକ୍ରମଣକୁ ଦୃଢ ନିନ୍ଦା କରି କହିଛନ୍ତି, ଏହା ରୁଷ ଦ୍ୱାରା କରାଯାଇଥିବା ଭୟଙ୍କର ଅତ୍ୟାଚାର । ଆମେରିକା ବିଶ୍ୱାସ କରୁଛି ଷ୍ଟେସନ ଉପରେ ସ୍ୱଳ୍ପଦୂରଗାମୀ ବାଲାଷ୍ଟିକ ମିଜାଇଲ ଏସଏସ-ଟ୍ୱେଂଟିୱାନ ମାଡ କରିଛନ୍ତି ପୁଟିନ ସେନା । ସେପଟେ ରୁଷ ବିଦେଶ ମନ୍ତ୍ରାଳୟ ରେଳ ଷ୍ଟେସନ ଉପରେ ଆକ୍ରମଣରେ ରୁଷର କୌଣସି ହାତ ନାହିଁ ବୋଲି ବୟାନ ଜାରି କରିଛି ।
ଯୁଦ୍ଧ ଭିତରେ ୟୁକ୍ରେନ ଯୁବତୀଙ୍କୁ ଘାରିଛି ଦୁଷ୍କର୍ମ ଭୟ । ରୁଷ ସୈନିକମାନେ ୟୁକ୍ରେନରେ ଯୁବତୀଙ୍କୁ ଦୁଷ୍କର୍ମ କରୁଥିବା ବାରମ୍ବାର ଅଭିଯୋଗ ଆସୁଛି । ତେବେ ଦୁଷ୍କର୍ମରୁ ବର୍ତିବା ପାଇଁ ସେଠାକାର ଯୁବତୀମାନେ ଏବେ ଧାରଣ କରିଛନ୍ତି ନୂଆ ରୂପ ।

ୟୁକ୍ରେନରୁ ଯୁବତୀମାନେ ଏବେ ଲମ୍ବା ଚୁଟିକୁ କାଟି ଛୋଟ କରିଦେଉଛନ୍ତି । କମ ଆକର୍ଷଣୀୟ ଦିଶିବାକୁ ରାଜଧାନୀ କିଭରୁ ପ୍ରାୟ ୫୦ମାଇଲ ଦୂର ଇଭାନକିଭରେ ଯୁବତୀମାନେ କେଶ କାଟି ଛୋଟ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଡେପୁଟି ମେୟର କହିଛନ୍ତି । ଗତ ମାର୍ଚ୍ଚ ୩୦ତାରିଖ ବେଳକୁ ରୁଷିଆ ସେନା ୟୁକ୍ରେନ ଯୁବତୀଙ୍କ କେଶକୁ ଟାଣି ଘରୁ ଜବରଦସ୍ତ ବାହାରକୁ ନେଇ ଦୁଷ୍କର୍ମ କରୁଥିବା ସେ ଅଭିଯୋଗ ଆଣିଛନ୍ତି ।

ୟୁକ୍ରେନର ବୁଚା ସହରରେ ରୁଷର ଗଣସଂହାରକୁ ନେଇ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପାଉଥିବା ବେଳେ ବୁଚା ସହରକୁ ଗସ୍ତ କରିଛନ୍ତି ୟୁରୋପ ୟୁନିଅନ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ ଡେରଲିୟନ । ଶୁକ୍ରବାର ବୁଚା ସହରରେ ପୁଟିନ ସେନା ଗଣସଂହାର କରିଥିବା ସ୍ଥାନ ବୁଲି ଦେଖିବା ସହ ଯୁଦ୍ଧଗ୍ରସ୍ତ ସହରର ସାଧାରଣ ଜନତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଇୟୁ କମିସନ ଅଧ୍ୟକ୍ଷ କହିଛନ୍ତି, ବୁଚା ସହରରେ ମାନବିକତାକୁ ହତ୍ୟା କରୁଥିବା ପୁଟିନ ସେନାର କ୍ରୁର ଚେହେରା ଦେଖିବାକୁ ମିଳିଛି । ସହରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି, ଏକ ଅନିଶ୍ଚିତତା ଭିତରେ ପ୍ରତିଟି ଦିନ କାଟୁଛନ୍ତି । ବୁଚା ସହର ସହ ସାରା ବିଶ୍ୱ ଶୋକରେ ଅଛି । ଗଣତନ୍ତ୍ର ପାଇଁ ଦେଶର ସାର୍ବଭୌମତ୍ୱ ପାଇଁ ହେଉଥିବା ଏହି ଲଢେଇରେ ୟୁକ୍ରେନ ସହ ୟୁରୋପୀୟ ୟୁନିଅନ ଥିବା କହିଛନ୍ତି ଉର୍ସୁଲା ଭନ ଡେରଲିୟନ ।

ରୁଷ ସେନା ସବୁକିଛି ବରବାଦ କରିଥିବାରୁ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ବୁଚା ସହରର ଚାରିଆଡେ ଧ୍ୱସ୍ତବିଧ୍ୱସ୍ତ ଘର, ରାସ୍ତା ଓ ଯାତାୟତ ମାଧ୍ୟମ ନଷ୍ଟ ହୋଇଯାଇଛି । ସେହିପରି ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତାର ବଢିବାରେ ଲାଗିଛି, ଯାହାକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି ।