ଆମେରିକା ସେନା ହାତରେ କଅଁଳା ଶିଶୁକୁ ଟେକିଦେଲେ ବାପା-ମା’ : ଜୀବନ ବଞ୍ଚିଯିବା ଆଶାରେ ପିଲାକୁ ନିଜଠୁ କରିଦେଲେ ପର

175

କନକ ବ୍ୟୁରୋ : କାବୁଲର ଭୟାବହ ସ୍ଥିତି ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଛାତି ଥରା ଦୃଶ୍ୟ । ନିଜ ଜୀବନର ଭରସା ନଥିବା ବେଳେ ପିଲାଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବାପା ମାଆ । କେତେବେଳେ କ’ଣ ହେବ, କିଏ ତାଲିବାନୀଙ୍କ ହାବୁଡରେ ପଡିଯିବେ କିଛି ଜଣାନାହିଁ । ନିଜ ଜୀବନ ପଛେ ଚାଲିଯାଉ, ହେଲେ ପିଲାର ଜୀବନ ସୁରକ୍ଷିତ ରହୁ । ଏହି ଆଶାରେ ପିଲାଙ୍କୁ ଦୂରେଇବାକୁ ବାଧ୍ୟ ହେଉଛନ୍ତି ବାପା ମାଆ । ନିଜ ହାତରେ କଅଁଳା ଶିଶୁଙ୍କୁ ଆମେରିକୀୟ ସୈନ୍ୟ ହାତରେ ଟେକି ଦେଇଛନ୍ତି ।

ନିଜେ ବଞ୍ଚିବା ନେଇ ଆଶଙ୍କା ରଖିଥିବା ବେଳେ କୌଣସି ମତେ ତାଙ୍କର ପିଲାମାନେ ବଞ୍ଚି ଯାଆନ୍ତୁ ଭାବି ସେମାନେ ଆମେରିକୀୟ ସୈନ୍ୟଙ୍କୁ ନିଜ ପିଲାକୁ ଦେଇଦେଇଛନ୍ତି । ଜାଣିନାହାନ୍ତି, ତାଙ୍କ ପିଲା କେଉଁଠି ରହିବ, କାହା ପାଖରେ ରହିବ, ହେଲେ ଆଶା ତାଙ୍କ ପିଲା କାବୁଲ ଆକାଶରୁ ଉଡିଗଲା ପରେ ସୁରକ୍ଷିତ ରହିବ । କାବୁଲ ଏୟାରପୋର୍ଟରୁ ଆସିଥିବା ଏହି ଚିତ୍ର ଏପରି କିଛି ବୟାନ କରୁଛି । ବିମାନ ବନ୍ଦରର ପାଚେରୀ ଆରପଟେ ଉଡାଣ ଅପେକ୍ଷାରେ ରହିଛି ବିମାନ । ଆଉ ଏପଟେ ପିଲା ଛୁଆଁଙ୍କୁ ଧରି ଭିଡ ଜମାଇଛନ୍ତି ହଜାର ହଜାର ସଂଖ୍ୟାରେ ଲୋକ । ଏହାରି ଭିତରେ ନିଜର ଶିଶୁକୁ ତାରବାଡ ପାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।