ସହଯୋଗୀଙ୍କୁ ଚୁମ୍ବନ ଦେବା ପଡିଲା ମହଙ୍ଗା । କୋଭିଡ ନିୟମ ଭାଙ୍ଗିବା ଅଭିଯୋଗ ଆସିବା ପରେ ଇସ୍ତଫା ଦେଲେ ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ

149

କନକ ବ୍ୟୁରୋ : ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମେଟ ହନକକ୍ ଙ୍କ ବିରୋଧରେ କୋଭିଡ ନିୟମ ଉଲଙ୍ଘନ ଅଭିଯୋଗ ଆସିବା ପରେ ସେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ପତ୍ର ଲେଖି ଇସ୍ତଫା ଦେଇଛନ୍ତି । କିଛିଦିନ ତଳେ ସେ ତାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଚୁମ୍ବନ ଦେଉଥିବାର ଫଟୋ ଭାଇରାଲ ହୋଇଥିଲା । ଏହାକୁ ନେଇ ବିରୋଧୀମାନେ ତାଙ୍କ ଉପରେ କୋଭିଡ ନିୟମ ଉଲଙ୍ଘନ କରିଥିବା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ବି ହନକଳଙ୍କ ଅଫିସର କର୍ମଚାରୀମାନେ ହନକଳଙ୍କ ଉପରେ ଅଭିଯୋଗ ଆଣିଥିଲେ । ଏହାପରେ ହନକକ୍ ଏଭଳି ଘଟଣା ପାଇଁ କ୍ଷମା ପ୍ରାଥନା କରିଥିଲେ । ହେଲେ ଅଭିଯୋଗର ଫର୍ଦ୍ଦ ଲମ୍ବା ହେବାରେ ଲାଗିଥିଲା । ଶେଷରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ସାଜିଦ ଜାବିଦଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି ।

ହନକକ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି କି “ମହାମାରୀ ସମୟରେ ଲୋକମାନେ ଯେଭଳି ତ୍ୟାଗ କରିଛନ୍ତି ତାକୁ ନେଇ ମୁଁ ସେମାନଙ୍କ ପାଖରେ ଋଣୀ, ମୁଁ ନିୟମର ଉଲଙ୍ଘନ କରି ସେମାନଙ୍କୁ ନିରାଶ କରିଛି” । ଅନ୍ୟପଟେ ହନକକ୍ ଙ୍କ ଇସ୍ତଫା ପତ୍ର ପାଇବା ପରେ ପ୍ରଧାନମନ୍ତ୍ରୀ ଜନସନ ଦୁଖ ପ୍ରକାଶ କରିଛନ୍ତି ।

ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ ମେଟ ହନକକ୍ କୋଭିଡର ପ୍ରଥମ ନିୟମ ସାମାଜିକ ଦୂରତା ଉଲଙ୍ଘନ କରିବା ପରେ ବି ପ୍ରଧାନମନ୍ତ୍ରୀ ଜନସନ ହନକଳଙ୍କ ସପକ୍ଷରେ ଥିଲେ । ହେଲେ ବିରୋଧୀମାନେ ହନକଳଙ୍କୁ ମନ୍ତ୍ରୀ ମଣ୍ଡଳରୁ ହଟାଇବାକୁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ । ବିରୋଧୀ ଅଭିଯୋଗ କରିଥିଲେ କି ସାମାଜିକ ଦୂରତା ନିୟମ ଉଲଙ୍ଘନ କରି ଅନେକ ଲୋକ ଜରିମାନା ଦେଉଛନ୍ତି ତେଣୁ ମନ୍ତ୍ରୀ ଏଭଳି କରିବା ଦ୍ୱାରା ଲୋକଙ୍କ ଉପରେ ତା’ର କୁପ୍ରଭାବ ପଡୁଛି ।
କହିରଖୁ କି ବ୍ରିଟେନର ଦୈନିକ ଖବର କାଗଜ ‘ସନ’ କିଛିଦିନ ତଳେ ହନକକ୍ ତାଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ସହଯୋଗୀଙ୍କୁ କୋଳେଇ ନେଉଥିବାର ଫଟୋ ଛାପିଥିଲା । ଏହାକୁ ନେଇ ରାଜନୀତି ଜୋର ଧରିବା ପରେ ହନକକ୍ ଇସ୍ତଫା ଦେଇଛନ୍ତି ।