ବିସ୍କୁଟ ଖାଇବ, କେକ୍ ଖାଇବ…  । ରେଭେନ୍ସାରେ ଏବେି ବି ଶୁଭୁଛି ଉଦିଆ ମଉସାର ଡାକ । 

274

କନକ ବ୍ୟୁରୋ :  ରେଭେନ୍ସା..ସାକ୍ଷୀ ଅଛି ଅନେକ କୃତିତ୍ୱର ।  ଜନ୍ମ କରିଛି ଅନେକ କୃତି ଛାତ୍ରଛାତ୍ରୀ ।  ରାଜ୍ୟ ତଥା ଦେଶବିଦେଶରେ ବଡ ବଡ ପଦବୀରେ ବସିଥିବା ଅନେକ ପୁରାତନ ଛାତ୍ରଙ୍କ ସର୍ଜ୍ଜନା କରିଛି ରେଭେନ୍ସା ।  ଆଉ ଏହି ସୃଷ୍ଟି ପଛରେ ରେଭେନ୍ସା ୱେଷ୍ଟ ହଷ୍ଟେଲ ବି ଦେଇଛି ବଡ ଯୋଗଦାନ ।  କାରଣ ଓଡ଼ିଶାର କୋଣ ଅନୁକୋଣରୁ ଯେତେବେଳେ ଛାତ୍ରଟିଏ ରେଭେନ୍ସା ଆସିଛି, ଆଉ ବାଉନ ବଜାର ତେପନ ଗଳିର ସହର କଟକରେ କେଉଁଠି ରହିବ ଭାବିଛି, ସେତେବେଳେ ୱେଷ୍ଟ ହଷ୍ଟେଲ ଦେଇଛି ଆଶ୍ରୟ।  କଲେଜର ପାଠପଢା ବ୍ୟତୀତ ଏହି ହଷ୍ଟେଲ ଦେଇଛି ଅନେକଙ୍କୁ ସ୍ୱପ୍ନ ଦେଖିବାର ଅବସର ।  ଭଲ ପାଠ ପଢ଼ିବି, ବଡ ମଣିଷ ହେବି ର ରାସ୍ତାରେ ଏହି ହଷ୍ଟେଲ ବି ଦେଖାଇଛି ଅନେକଙ୍କୁ ରାହା । ଆଉ ରେଭେନ୍ସା ବିଶ୍ବବିଦ୍ୟାଳୟ ୱେଷ୍ଟ ହଷ୍ଟେଲ୍‌ର ଶତବା‌ର୍ଷିକୀ ଉତ୍ସବ ଅବସରରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଚରିତ୍ରଙ୍କ ବାବଦରେ କହିବୁ ଯିଏକି ପ୍ରାୟ ୪୦ ବର୍ଷ ଧରି ରେଭେନ୍ସାର ଛାତ୍ରଛାତ୍ରୀ, ଖାସ କରି ହଷ୍ଟେଲର ଅନ୍ତେବାସୀଙ୍କ ସହ ସ୍ୱତନ୍ତ୍ର ଭାବ ଯୋଡ଼ିଛନ୍ତି ।

ନାମ ଉଦିଆ ମଉସା, ବୟସ ୭୫ ବର୍ଷ ।  ମଉସାଙ୍କୁ ପ୍ରାୟ ସମସ୍ତେ ବୋପା ଡାକୁଥିବାବେଳେ ଗୋଟିଏ ଧାଡିରେ କୁହାଯାଇପାରେ ବୋପାଙ୍କୁ ଯିଏ ନ ଜାଣିଛି, ରେଭେନ୍ସାର ପାଠପଢା ଅଧୁରା ରହିଛି ।  ଖଣ୍ଡିଏ ଟିଣ ବାକ୍ସ ଧରି ପ୍ରତିଦିନ ରେଭେନ୍ସାର ସେଭେନ ପିଲର ଆଗରେ ସେ ବସନ୍ତି ।  ବାକ୍ସରେ ଆଣିଥାନ୍ତି ଭଳିକି ଭଳି ବିସ୍କୁଟ, ମିକସଚର ଓ କେକ ।  ସେହି ବାଟ ଦେଇ ଯାଉଥିବା ସମସ୍ତଙ୍କୁ ସ୍ନେହରେ ବଢ଼ାଇଦେଇଥାନ୍ତି ବିସ୍କୁଟ ।  ଘରୁ କଣ ଖାଇକି ଆସିଥିବ କେଜାଣି ବିସ୍କୁଟ ଟିକେ ଖାଇ ଦେଇ ଯା । ପେଟରେ ଭୋକ ଥିଲେ କଣ ପାଠ ହେବ ?

ସ୍ନେହଭରା ଆକଟରେ ବିସ୍କୁଟ, କେକ ବଢ଼ାଇଦେଉଥିବା ମଣିଷଟି ଟଙ୍କା ପାଇବାକୁ ନେଇ ଆକୁଳ ନଥାଏ । ପରେ ଦେବ କହି ଏଡାଇଯାଆନ୍ତି ଜ୍ଝ ଆଉ ରେଭେନ୍ସାର ପ୍ରାୟ ସମସ୍ତେ ତାଙ୍କୁ ନିଜର କରିନେଇଥାନ୍ତି ।  ଛାତ୍ରମାନଙ୍କୁ ବୋପା ଆଉ ଛାତ୍ରୀମାନଙ୍କୁ ମା କହି ସମ୍ବୋଧନ କରୁଥିବା ବୁଢା ମଉସାଙ୍କ ଚେହେରା ଓ ଚରିତ୍ର ଅନେକଙ୍କ ମନରେ ସବୁବେଳେ ରହିଯାଇଥାଏ ।  ପାଠପଢା ସରିବା ପରେ ବି ଯିଏ ଯେଉଁଠି ବି ଥାଆନ୍ତୁ ନା କାହିଁକି ରେଭେନ୍ସା କଥା ମନକୁ ଆସିଲେ ଉଦିଆ ମଉସା ବି ବେଶ ମନେ ପଡନ୍ତି ।

ଉଦିଆ ମଉସାଙ୍କ ସହ ନିଜର ଅନୁଭୂତିକୁ ନେଇ ୱେଷ୍ଟ ହଷ୍ଟେଲର ପ୍ରାକ୍ତନ ଅନ୍ତେବାସୀ ତଥା ଟେକ ମହିନ୍ଦ୍ରାର ଡାଟା ସାଇଣ୍ଟିଷ୍ଟ ଧର୍ମେନ୍ଦ୍ର କର କହିଛନ୍ତି ଯେ ଯେତେବେଳେ ପାଠ ପଢିବାକୁ ଗାଁରୁ ରେଭେନ୍ସାକୁ ଆସିଥିଲୁ, ସେତେବେଳେ ଆର୍ଥିକ ଅବସ୍ଥା ସେତେ ସ୍ଵଛଳ ନଥିଲା । ସେହି ସମୟରେ ପ୍ରାୟ ୩୦ ବର୍ଷ ତଳେ ଉଦିଆ ମଉସା ହଷ୍ଟେଲକୁ ଆସି ବିସ୍କୁଟ ଓ କେକ ଖାଇବାକୁ ଦେଉଥିଲେ ।  ପରୀକ୍ଷା ସହ ସବୁ ସମୟରେ ପୁଅ ଭଳି ସେ ଆମକୁ ସ୍ନେହ କରୁଥିଲେ । ସକାଳ ଜଳଖିଆ ଖାଇବା ପରେ ପିଲାଟି ଟଙ୍କା ଦେଇ ପାରିବ କି ନ ପାରିବ ସେନେଇ ଉଦିଆ ମଉସା କେବେ ଭାବନ୍ତି ନାହିଁ ଜ୍ଝ ବେଳେବେଳେ ଧନରେ କହି ଖୁଆଇ ବି ଦେଇଛନ୍ତି। ଯାହାକୁ କେବେ ଭୁଲିହେବ ନାହିଁ ।