ମୁମ୍ବାଇ ଫେରିବେ ବିଦ୍ରୋହୀ ବିଧାୟକ । ବିଜେପି ସହ ମେଣ୍ଟ ସରକାର ନେଇ ହୋଇପାରେ ନିଷ୍ପତ୍ତି

129

କନକ ବ୍ୟୁରୋ : ମହାରାଷ୍ଟ୍ର ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଆଜି ମୁମ୍ବାଇ ଫେରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେ ଫେରିବା ପରେ ବିଜେପି ସହ ମେଣ୍ଟ ସରକାର ନେଇ ଘୋଷଣା ହୋଇପାରେ ବୋଲି ଶୁଣିବାକୁ ମିଳୁଛି । ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏବେ ଏକନାଥ ସିନ୍ଦେ ସରକାର ଗଠନ ନେଇ ନିଷ୍ପତ୍ତି ନେବେ । ପ୍ରଥମେ ଗୁଜୁରାଟର ସୁରଟକୁ କିଛି ବିଧାୟକଙ୍କ ସହ ଏକନାଥ ସିନ୍ଦେ ଯିବା ପରେ ମହାରାଷ୍ଟ୍ର ରାଜନୀତିରେ ମହାନାଟକ ଆରମ୍ଭ ହୋଇଥିଲା ।

ସୁରଟରୁ ପରେ ସେ ଆସାମର ରାଜଧାନୀ ଗୌହାଟି ଓ ଏବେ ଗୋଆରେ ଅଛନ୍ତି । ତେବେ ଉଦ୍ଧବ ଠାକରେଙ୍କ ଇସ୍ତଫା ସେମାନଙ୍କ ପାଇଁ ଖୁସିର ବାର୍ତା ନୁହେଁ ବୋଲି କହିଛନ୍ତି ବିଦ୍ରୋହୀ ବିଧାୟକ ଦୀପକ କେସକର । ଉଦ୍ଧବ ବହୁତ ଆଗରୁ ଇସ୍ତଫା ଦେବାର ଥିଲା କିନ୍ତୁ ଶରଦ ପାଓକ୍ୱାରଙ୍କ ଯୋଗୁଁ ଏହି ପ୍ରକ୍ରିୟା ଏତେ ଡେରି ହେଲା ।ଏପରି କି ଶିବସେନା ବିଧାୟକ ହୋଇ ମଧ୍ୟ ଉଦ୍ଧବଙ୍କୁ ୬ ମାସ ହେଲା ଭେଟିପାରିନଥିଲେ ବୋଲି କହିଛନ୍ତି କେସକର । ସେ ଆମର ନେତା, ଶିବସେନାର ସମସ୍ତ ବିଧାୟକ ବୈଠକ କରିବା ପରେ ରାଜ୍ୟର ହିତ ଅନୁସାରେ ନିଷ୍ପତ୍ତି ନିଆଯିବ ।