ମହାରାଷ୍ଟ୍ରରେ ମେଣ୍ଟ ସରକାରର ପତନ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

72

କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ । ମେଣ୍ଟ ସରକାରରୁ ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀର ସମର୍ଥନ ପ୍ରତ୍ୟାହାର ପରେ ରାଜ୍ୟପାଳ ଉଦ୍ଧବଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିିର୍ଦ୍ଦେଶ ଦେଇଥିଲେ । ରାଜ୍ୟପାଳ ଆଜି ଆଜି ଶକ୍ତି ପରୀକ୍ଷା ଦେବାକୁ ନିର୍ଦ୍ଦେଶ ରହିଥିଲା ।

ରାଜ୍ୟପାଳଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା ଶିବସେନା । କିନ୍ତୁ କୋର୍ଟ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାଏମ ରଖିଥିଲେ । ଏହାପରେ ବିଧାନସଭାରେ ଆସ୍ଥାଭୋଟର ସମମ୍ମୁଖୀନ ହେବା ଛଡା ଅନ୍ୟ ବିକଳ୍ପ ମହାରାଷ୍ଟ୍ରର ମେଣ୍ଟ ସରକାର ପାଖରେ ନଥିଲା । ହେଲେ ଆସ୍ଥାଭୋଟ ପୂର୍ବରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ । ଫେସବୁକ ଲାଇଭ କରି ସେ ନିଜ ଇସ୍ତଫା ବାବଦରେ ଘୋଷଣା କରିଛନ୍ତି ।

ଏହାପରେ ନିଜ ଦୁଇ ପୁଅଙ୍କ ସହ ରାଜଭବନକୁ ଯାଇ ରାଜ୍ୟପାଳ ଭଗତସିଂ କୋଶ୍ୟାରିଙ୍କୁ ଇସ୍ତଫା ପତ୍ର ଦେଇଥିଲେ ଉଦ୍ଧବ ଠାକରେ । ତାଙ୍କ ଇସ୍ତଫା ସହ ଅଢେଇ ବର୍ଷ ଧରି ମହାରାଷ୍ଟ୍ରରେ ଚାଲିଥିବା ମହାବିକାଶ ଅଘାଡି ମେଣ୍ଟର ପତନ ଘଟିଛି । ଶିବସେନା, ଏନସିପି ଓ କଂଗ୍ରେସ ମିଶି ଏହି ମେଣ୍ଟ ସରକାର କରିଥିଲେ । ତେବେ ଅଢେଇ ବର୍ଷ ପରେ ଶିବସେନାର ନମ୍ବରଟୁ କୁହାଯାଉଥିବା ଏକନାଥ ସିନ୍ଦେ ବିଦ୍ରୋହ କରିଥିଲେ । ସେ ମୁମ୍ବାଇରୁ ସିଧା ସୁରତ ଚାଲିଯାଇଥିଲେ ।

ପରେ କିଛି ବିଧାୟକଙ୍କ ସହ ଗୌହାଟୀ ଯାଇଥିଲେ । ଗୌହାଟୀରେ ସିନ୍ଦେଙ୍କ ସମର୍ଥକଙ୍କ ସଂଖ୍ୟା ବଢିଥିଲା । ଶିବସେନା ଦୁଇଭାଗ ହୋଇଯାଇଥିଲା । ଏକନାଥ ସିନ୍ଦେ ବିଜେପି ସହ ହାତ ମିଳାଇବାକୁ ଉଦ୍ଧବଙ୍କୁ କହିଥିଲେ । କିନ୍ତୁ ଉଦ୍ଧବ ଠାକରେ ଏହାକୁ ମାନିନଥିଲେ । ବିଜେପି ସରକାର ବହୁମତ ପ୍ରମାଣ କରନ୍ତୁ ବୋଲି ଦାବି କରିଥିଲେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ।