କନକ ବ୍ୟୁରୋ : ବିଜେପି ତରଫରୁ ଶନିବାର ଦିନ ଦାବି କରାଯାଇଛି କି ମଣିପୁର ଭଳି ପଶ୍ଚିମବଙ୍ଗରେ ମଧ୍ୟ ୨ ଜଣ ଆଦିବାସୀ ମହିଳାଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ ମରାଯାଇଛି । ଏହି ଘଟଣା ମାଲଦା ଜିଲ୍ଲାରେ ବୋଲି ବିଜେପି ଦାବି କରିଛି । ଚଳିତ ସପ୍ତାହ ପ୍ରାରମ୍ଭରେ କିଛି ଲୋକ ଦୁଇଜଣ ଆଦିବାସୀ ମହିଳାଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ ମାରୁଥିବାର ଭିଡିଓ ମଧ୍ୟ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବିୟ ଟ୍ୱିଟ କରିଛନ୍ତି । ଏହି ଭିଡିଓରେ କିଛି ଲୋକ ଏକତ୍ରୀତ ହୋଇ ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରିବା ସହ ଅମାନବୀୟ ଭାବେ ମାଡ ମାରୁଥିବାର ଦେଖିବାକୁ ମିଳିଛି । ଏନେଇ ବିଜେପି ପକ୍ଷରୁ ଭିଡିଓ ଜାରି କରାଯିବା ପରେ ପଶ୍ଚିମବଙ୍ଗ ସରକାରରେ ମହିଳା ଓ ବାଳ ବିକାଶ ମନ୍ତ୍ରୀ ଶଶି ପାଞ୍ଜା କହିଛନ୍ତି କି ଏହା ଏକ ଝଗଡା ବେଳର ଭିଡିଓ । ଏହି ଝଗଡା ବେଳେ ସେଠାରେ ପୋଲିସ ଉପସ୍ଥିତ ଥିଲା ଓ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିବା କଥା ମନ୍ତ୍ରୀ କହିଛନ୍ତି ।

Advertisment

ପୋଲିସ କହିଛି କି ଘଟଣା ଦିନ କିଛି ମହିଳା ବାମନଗୋଲା ବଜାରକୁ କିଛି ସାମଗ୍ରୀ ବିକ୍ରି କରିବାକୁ ଆସିଥିଲେ । ହେଲେ କିଛି ଲୋକ ସଂପୃକ୍ତ ମହିଳାମାନଙ୍କ ଉପରେ ଚୋରୀ ଅଭିଯୋଗ ଆଣିଥିଲେ । ଏହି ଚୋରି ସନ୍ଦେହରୁ ଏଭଳି ଗଣ୍ଡଗୋଳ ହୋଇଥିବା କଥା ପୋଲିସ କହିଛି । ହେଲେ ବିଜେପି ଯେଭଳି ଭାବେ ଏହି ଝଗଡାକୁ ନେଇ ରାଜନୀତି କରୁଛି ତାହା ଠିକ୍ ନୁହେଁ ବୋଲି ମନ୍ତ୍ରୀ ଶଶି ପଞ୍ଜା କହିଛନ୍ତି । ସେ କହିଛନ୍ତି କି ଏ ବାବଦରେ ସମ୍ପୂର୍ଣ୍ଣ ସୂଚନା ପାଇବା ପରେ ପୋଲିସ ମାମଲା ଦାଖଲ କରିଛି । ଏହାସହ ମହିଳାମାନଙ୍କୁ ମାଡ ମାରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପ୍ରୟାସ କରୁଛି ।