ପଶ୍ଚିମବଙ୍ଗରେ ଅଣାୟତ ପରିସ୍ଥିତି । ୨୪ପ୍ରଗଣା କାକିନାରା ଅଂଚଳରେ ବୋମା ମାଡ । ୨ମୃତ, ୪ଆହତ ।

198

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଅଣାୟତ ପରିସ୍ଥିତି । ୨୪ପ୍ରଗଣା କାଙ୍କିନାରା ଅଂଚଳରେ ବୋମା ମାଡରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଆହତ ହୋଇଛନ୍ତି । ଆଜି ମଧ୍ୟ ବର୍ଦ୍ଦମାନ ଜିଲ୍ଲାରେ ଟିଏମସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଅପରପକ୍ଷରେ ଆଜି ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ନୂଆ ପ୍ରତିମୂର୍ତି ଉନ୍ମୋଚନ କରିବା ବେଳେ ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ଏକ ଖେଳଣା ନୁହେଁ ଯେ ଯେପରି ଚାହିଁବ ଖେଳିବ ।
ପଶ୍ଚିମବଙ୍ଗରେ ଦିନକୁ ଦିନ ଅଣାୟତ ହେଉଛି ଆଇନ ଶୃଙ୍ଖଳା ପରିସ୍ଥିତି । ସୋମବାର ବିଳମ୍ବିତ ରାତିରେ ୨୪ପ୍ରଗଣା ଜିଲ୍ଲାର କାଙ୍କିନାରା ଅଂଚଳରେ ବୋମାମାଡ ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ କେତେ ଜଣ ଦୁର୍ବୃତ ଦେଶୀ ବୋମାମାଡ କରି ଫେରାର ହୋଇଯାଇଥିଲେ । ବୋମା ମାଡ ହୋଇଥିବା ଅଂଚଳରେ ଡକାୟତି ମଧ୍ୟ ହୋଇଥିବା ଅଭିଯୋଗ ଆସିଛି ।

ସୋମବାର ଦିନ ହାୱଡାର ସରପୋଟା ଗାଁରେ ଜଣେ ଆରଏସଏସ କର୍ମୀ ଓ ଜଣେ ବିଜେପି କର୍ମୀଙ୍କ ମୃତଦେହ ସ୍ଥାନୀୟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପଶ୍ଚିମବଙ୍ଗରେ ନିର୍ବାଚନ ସମୟରୁ ଟିଏମସି ଓ ବିଜେପି କର୍ମୀ ମୁହାଁମୁହିଁ ହେଉଥିବାରୁ ସ୍ଥିତି ଅଣାୟତ ହୋଇପଡୁଛି । ଉତ୍ତର ୨୪ ପ୍ରଗଣାରେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀଙ୍କ ସଂଘର୍ଷରେ ବର୍ତମାନ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ଓ ଏକାଧିକ ଆହତ ହୋଇଛନ୍ତି ।

ସେପଟେ ନିର୍ବାଚନୀ ହିଂସାରେ ଭାଙ୍ଗିଯାଇଥିବା ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ନୂଆ ପ୍ରତିମୂର୍ତି ଉନ୍ମୋଚିତ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୂଆ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି । ଗତ କିଛି ଦିନ ତଳେ ଅମିତ ଶାହାଙ୍କ ରୋଡ ଶୋ ସମୟରେ ହୋଇଥିବା ହିଂସାରେ ବିଦ୍ୟାସାଗରଙ୍କ ପ୍ରତିମୂର୍ତି ଭାଙ୍ଗିଯାଇଥିଲା । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି ଓ ଟିଏମସି । ମୂର୍ତି ଭଙ୍ଗା ଘଟଣା ପରେ ବିଦ୍ୟାସାଗରଙ୍କ ମୂର୍ତି ତିଆରି କରିବା ପାଇଁ ଘୋଷଣା କରିଥିଲେ ମୋଦି । କିନ୍ତୁ ମମତା ଏଥିରେ ରାଜି ହୋଇନଥିଲେ । ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ଅର୍ଥ ଅଛି । ତେଣୁ ବିଦ୍ୟାସାଗରଙ୍କ ପ୍ରତିମୂର୍ତି ନିର୍ମାଣ ଦାୟିତ୍ୱ ନିଜେ ନେବେ ବୋଲି ମମତା ବାନାର୍ଜୀ କହିଥିଲେ । ସାଧାରଣ ନିର୍ବାଚନ ସରିବା ପରେ ବି ଉତର ୨୪ ପ୍ରଗଣା ଜିଲ୍ଲାରେ ହିଂସାକାଣ୍ଡ ଜାରି ରହିଛି । ପଶ୍ଚିମବଙ୍ଗରେ ବିଜେପି ୧୮ଟି ଲୋକସଭା ଆସନ ଦଖଲ କରିବା ପରେ ହିଂସାକାଣ୍ଡ ଆହୁରି ବଢିଛି ।