ଛୁରୀ ଦେଖାଇ ଟଙ୍କା ଲୁଟିଲେ, ଖସିଯିବାକୁ ରାସ୍ତାରେ ଟଙ୍କା ଉଡାଇଲେ । ଲୋକଙ୍କ ହାବୁଡରେ ପଡିବା ପରେ ନିର୍ଦ୍ଧୁମ ଛେଚା ଖାଇଲେ ।

267

କନକ ବ୍ୟୁରୋ : ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ଠାରୁ ଛୁରୀ ଦେଖାଇ ନେଇଗଲେ ୧ ଲକ୍ଷ ୮୨ ହଜାର ଟଙ୍କା । ଘଟଣା ଘଟିଛି ଭୁବନଶ୍ୱେର ଉପକଣ୍ଠ ବାଳକାଟିରେ । ନୂଆପାଟଣା ଗାଁର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜଗନ୍ନାଥ ସାହୁ ଘର କାମ ପାଇଁ ବାଳକାଟି ବଜାରରେ ଥିବା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ୨ ଲକ୍ଷ ଟଙ୍କା ଗାଡି ଡିକିରେ ରଖି ଯାଉଥିବା ବେଳେ ୪ ଜଣ ଲୁଟେରା ତାଙ୍କ ପିଛା କରିଥିଲେ ।

ପ୍ରଥମେ ଦୁଇ ଜଣ ତାଙ୍କୁ ଅଟକାଇଥିଲେ । ଏହା ପରେ ଅନ୍ୟ ଦୁଇ ଜଣ ଛୁରୀ ଦେଖାଇ ଡିକି ଭାଙ୍ଗି ଟଙ୍କା ବ୍ୟାଗ୍ ନେଇଯାଇଥିଲେ । ୫ ଶହ ଟଙ୍କିଆ ତିନିଟି ବିଡ଼ା ନୋଟ ଦୁଇ ଲୁଟେରା ଧରି ଫେରାର ହୋଇ ଯାଇଥିଲେ । ଅନ୍ୟ ଗୋଟିଏ ବିଡା ଟଙ୍କା ଆଣିବାକୁ ଯିବା ବେଳେ ଜଗନ୍ନାଥ ସାହସ ଜୁଟାଇ ଦୁଇ ଲୁଟେରାଙ୍କୁ ଅଟକାଇଥିଲେ । ଲୁଟେରା ଦୁଇ ଜଣ ଟଙ୍କା ବିଡା ଉଡାଇ ପଳାଇ ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ ସଫଳ ହୋଇନଥିଲେ । ଜନଗହଳିପୂର୍ଣ୍ଣ ରାସ୍ତାରୁ ସହଜରେ ଖସି ପାରିନଥିଲେ ଲୁଟେରା । ଜଗନ୍ନାଥ ଜୋରରେ ପାଟି କରିବାରୁ ଦୁଇ ଲୁଟେରାଙ୍କୁ କାବୁ କରି ନେଇଥିଲେ ଲୋକ । ଆଉ ତାପରେ ଭଲ ଭାବେ ଉତ୍ତମ ମଧ୍ୟମ ମଧ୍ୟ ଦେଇଥିଲେ ।  ଦୁଇ ଲୁଟେରାଙ୍କୁ ତଳେ ପକାଇ ନିର୍ଦ୍ଧୁମ ଛେଚିଥିଲେ ସ୍ଥାନୀୟ ଲୋକେ । ପରେ ବାଳକାଟି ଫାଣ୍ଡି ପୋଲିସ ଲୁଟେରାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ । ତେବେ ରାସ୍ତାରେ ଯାଉଥିବା ବେଳେ ଲୁଟେରା କିଛି ଟଙ୍କା ଉଡାଇଥିଲେ । କିଛି ଲୋକ ଏହି ଟଙ୍କା ନେଇଯାଇଥିବା ବେଳେ କିଛି ଲୋକ ଜଗନ୍ନାଥଙ୍କୁ ଟଙ୍କା ହସ୍ତାନ୍ତର କରିଥିଲେ । ତେବେ ଲୁଟ୍ ଟଙ୍କାରୁ  ଜଗନ୍ନାଥଙ୍କୁ ମୋଟ ୧୮ ହଜାର ଟଙ୍କା ମିଳିଥିବା ସେ ଏତଲାରେ ଦର୍ଶାଇଛନ୍ତି ।