ନବରଙ୍ଗପୁରରେ ଶବକୁ ଶ୍ମଶାନ ନମିଳିବା ଘଟଣା । ରାସ୍ତାରୋକ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ୧୪୪ ଧାରା ଲାଗୁ କଲା ପ୍ରଶାସନ ।

91

କନକ ବ୍ୟୁରୋ: ନବରଙ୍ଗପୁରରେ ଶ୍ମଶାନ ଓ ଅନ୍ତିମ ସଂସ୍କାରକୁ ନେଇ ଆରମ୍ଭ ହୋଇଥିବା ବିବାଦ ନୂଆ ମୋଡ ନେଇଛି ।  ଉମରକୋଟର ଗୋପବନ୍ଧୁ ଛକରେ ରାସ୍ତାରୋକ ଦ୍ୱିତୀୟ ଦିନରେ ପହଞ୍ଚିବା ପରେ ଆଜି ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ରାସ୍ତାରୋକ କରିଥିବା ଲୋକଙ୍କୁ ହଟାଇବାକୁ ବଳ ପ୍ରୟୋଗ କରିଛି ପୁଲିସ । ଆନ୍ଦୋଳନକାରୀଙ୍କ ଉପରେ ଉମରକୋଟ ପୁଲିସ ଲାଠିଚାର୍ଜ କରିଛି । ଗୋଡେଇ ଗୋଡେଇ ପୁଲିସ କର୍ମଚାରୀ ଆନ୍ଦୋଳନକାରୀଙ୍କୁ ମାଡ ମାରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଗତକାଲି ସନ୍ଧ୍ୟାରୁ ଏକଟାଗୁଡା ଗାଁର ଲୋକେ ଓ ବିଭିନ୍ନ ସଂଗଠନ ରାସ୍ତା ଅବରୋଧ କରିଥିଲେ । ୩୯ ନମ୍ବର ଜାତୀୟ ରାଜପଥ ଅବରୋଧ ହେବାରୁ ଉମରକୋଟରୁ ଛତିଶଗଡ ଓ ନବରଙ୍ଗପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସୂଚନା ଅନୁସାରେ ଶୁକ୍ରବାର ଉମରରକୋଟ ଡଙ୍ଗରି ସାହିର ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ହେଲେ ଶବ ସକ୍ରାର କରିବାକୁ ଦେଲେ ନାହିଁ ସାହି ଭାଇ । ସେମାନଙ୍କ ଯୁକ୍ତ ଥିଲା ମୃତକଙ୍କ ପରିବାର ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି । ଦୁଇ ଦୁଇଟି ମଶାଣୀରେ ଲୋକଙ୍କ ବିରୋଧ ପରେ ଶବକୁ ରାସ୍ତାରେ ରଖି ଗତକାଲି ରାସ୍ତାରୋକ କରିଥିଲେ ପରିବାର ।

ଏହାପରେ ପ୍ରଶାସନର ସହାୟତାରେ ଏକଟାଗୁଡା ଗାଁ ରାସ୍ତା ନିକଟରେ ମୃତଦେହକୁ ପୋତି ଦିଆଯାଇଥିଲା । ହେଲେ ଏହାକୁ ବିରୋଧ କରି ଏକଟାଗୁଡା ବାସିନ୍ଦା ଓ ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇ ରାସ୍ତାରୋକ କରିଥିଲେ । ମୃତଦେହକୁ ସମାଧିରୁ ବାହାର କରି ଅନ୍ୟତ୍ର ଶେଷକୃତ୍ୟ କରିବା ଦାବିରେ ଦୁଇ ଦିନ ହେଲା ରାସ୍ତା ଅବରୋଧ କରିଥିଲେ । ପ୍ରଥମେ ପ୍ରଶାସନ ବୁଝାଇବାକୁ ଉଦ୍ୟମ କରିବା ପରେ ମଧ୍ୟ ସମାଧାନ ନବାହାରିବାରୁ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବାକୁ ବଳ ପ୍ରୟୋଗ କରିଛି ପୁଲିସ ।