ମଝି ଆକାଶରେ ବର୍ତ୍ତିଗଲା ଭୁବନେଶ୍ୱର ବିମାନ । ହେଲେ ଜାନୁଆରୀ ୭ ତାରିଖରେ ହୋଇଥିବା ଅବହେଳାକୁ ଚାପି ଦେଇଥିଲେ ବାବୁ

କନକ ବ୍ୟୁରୋ : ବେସାମରିକ ବିମାନ ଚଳାଚଳ ବିଭାଗର ତଦନ୍ତ ନିର୍ଦ୍ଦେଶ ପରେ ଜଣାପଡିଲା ସତ

187

କନକ ବ୍ୟୁରୋ : ବିମାନ ଯାତ୍ରୀଙ୍କ ଜୀବନକୁ ନେଇ କିଭଳି ଚରମ ଅବହେଳା କରାଥିଲେ ଅଧିକାରୀ, ତାର ସତ ଏବେ ଜଣାପଡିଛି । ମଝି ଆକାଶରେ ବର୍ତ୍ତିଗଲା ଭୁବନେଶ୍ୱର ବିମାନ । ଜାନୁଆରୀ ୭ ତାରିଖରେ ବେଙ୍ଗାଲୁରୁର ମଝି ଆକାଶରେ ଦୁଇଟି ବିମାନ ମୁହାଁମୁହିଁ ପରିସ୍ଥିତିକୁ ଚାଲି ଆସିଥିଲେ । ଗୋଟିଏ ବିମାନ ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିବା ବେଳେ ଅନ୍ୟଟି କୋଲକାତାକୁ ଆସୁଥିଲା । ଏହି ଦୁଇଟି ବିମାନରେ ୪ ଶହରୁ ଅଧିକ ଯାତ୍ରୀ ଥିଲେ ।

ଦୁଇଟି ବିମାନ ବେଙ୍ଗାଲୁରୁ ବିମାନବନ୍ଦରର ଦୁଇଟି ସମାନ୍ତରାଳ ରନୱେରୁ ଗୋଟିଏ ସମୟରେ ଉଡାଣ ଆରମ୍ଭ କରିଥିଲେ । ଏହାର କିଛି ସମୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିକୁ ଚାଲି ଆସିଥିଲେ । ହେଲେ ରାଡାର କଂଟ୍ରୋଲରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଥିଲା । ଗତ ୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ଚପାଇ ଦେବା ପାଇଁ ଉଦ୍ୟମ କରାଯାଇଥିଲା । ଦଣ୍ଡ ଓ ତଦନ୍ତରୁ ବର୍ତ୍ତିବା ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧିକାରୀ ଉଦ୍ୟମ କରିଥିଲେ ।

ଏପରିକି ଡିଜିସିଏକୁ ଏ ସଂପର୍କରେ ସୂଚନା ନଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଘଟଣା ଜଣାପଡ଼ିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ଡିଜିସିଏ । ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ବେସାମରିକ ବିମାନ ଚଳାଚଳ ବିଭାଗ ।