ଚଳିତ ମାସ ବିଳମ୍ବରେ ଆସିପାରେ କର୍ମଚାରୀଙ୍କ ଦରମା ! ଜାଣନ୍ତୁ କାହିଁକି

20

କନକ ବ୍ୟୁରୋ: ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ବେତନ ବୃଦ୍ଧି ଦାବି ଆଲୋଚନା ବିଫଳ ହେବା ପରେ ଆଜିଠାରୁ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବ। ଆଜି ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଏଥିଯୋଗୁ ଦେଶରେ ବ୍ୟାଙ୍କ ଏବଂ ଏଟିଏମ୍ ସେବା ଗୁରୁତର ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

କର୍ମଚାରୀମାନଙ୍କ ବେତନ ବୃଦ୍ଧି ସଂକ୍ରାନ୍ତ ଆଲୋଚନା ପାଇଁ ସୋମବାର ଅତିରିକ୍ତ ଶ୍ରମ କମିସନରଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଆଇବିଏ ଓ ବ୍ୟାଙ୍କ କର୍ମଚାରୀ ସଂଘର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଧର୍ମଘଟକୁ ଟାଳିବା ପାଇଁ ଅତିରିକ୍ତ ଶ୍ରମ କମିସନର ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ଆଇବିଏର ଜିଦ୍ ଯୋଗୁଁ କୌଣସି ସମାଧାନ ସୂତ୍ର ବାହାରି ପାରି ନଥିଲା। ଫଳରେ ବ୍ୟାଙ୍କ କର୍ମଚାରୀମାନେ ବାଧ୍ୟ ହୋଇ ଧର୍ମଘଟକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ୟୁଏଫବିୟୁର ଓଡ଼ିଶା ଆବାହକ ସମ୍ବିତ ମିଶ୍ର କହିଛନ୍ତି। ଏକ୍ସିସ, ଆଇସିଆଇସିଆଇ ଏବଂ ଏଚଡିଏଫସି ଭଳି ନୂଆ ପିଢ଼ିର କେତୋଟି ଘରୋଇ ବ୍ୟାଙ୍କକୁ ଛାଡ଼ିଲେ ଅନ୍ୟ ସବୁ ସରକାରୀ ଓ ଘରୋଇ ବ୍ୟାଙ୍କ ଏହି ଧର୍ମଘଟରେ ସାମିଲ ହେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସବୁ ବର୍ଗର ଅଫିସରଙ୍କୁ ବେତନ ସଂଶୋଧନ ରାଜିନାମାରେ ଆଲୋଚନା ପାଇଁ ସୁଯୋଗ ଦିଆ ନଯିବା ଏବଂ ବେତନରେ ମାତ୍ର ୨ ପ୍ରତିଶତ ବୃଦ୍ଧି ପ୍ରସ୍ତାବ ଆଇବିଏ ପକ୍ଷରୁ ଦିଆଯିବା ବିଷୟ କର୍ମଚାରୀଙ୍କ ଅସନ୍ତୋଷକୁ ବଢ଼ାଇ ଦେଇଛି । ପୂର୍ବ ଘୋଷଣା ଅନୁଯାୟୀ, ଅଫିସର ଓ କର୍ମଚାରୀମାନେ ଗତକାଲି ବ୍ୟାଙ୍କ ଶାଖା ସମ୍ମୁଖରେ ଧାରଣା ଦେଇଥିଲେ। ଆଜି ସକାଳୁ ଧର୍ମଘଟ ଆରମ୍ଭ ହେବ। ଫଳରେ ବ୍ୟାଙ୍କଗୁଡ଼ିକରେ ଜମା ଗ୍ରହଣ, ଋଣ ମଞ୍ଜୁରି, ଚେକ୍ କ୍ଲିୟରାନ୍ସ ଭଳି ସେବା ଗୁରୁତରଭାବେ ପ୍ରଭାବିତ ହେବ। ଦେଶରେ ୧୦ ଲକ୍ଷରୁ ଊର୍ଧ୍ୱ ବ୍ୟାଙ୍କ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବାକୁ ଥିବାବେଳେ ଓଡ଼ିଶାରେ ପ୍ରାୟ ୪୦ ହଜାର କର୍ମଚାରୀ ଏଥିରେ ସାମିଲ ହେବେ ବୋଲି କୁହାଯାଇଛି। ଦୁଇଦିନିଆ ବ୍ୟାଙ୍କ ଧର୍ମଘଟକୁ ସଫଳ କରିବା ପାଇଁ ଏଆଇବିଓସିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ନନ୍ଦ ଏହି ପରିପ୍ରେକ୍ଷୀରେ କର୍ମଚାରୀମାନଙ୍କୁ ଆହ୍ଵାନ କରିଛନ୍ତି।