ବୁଲି ବାଇ ଆପ୍ ମାମଲାରେ ଗିରଫ ୩ଜଣଙ୍କ ଜାମିନ୍ ଆବେଦନ ଖାରଜ । ଜାନୁଆରୀ ୨୭ ପର୍ଯ୍ୟନ୍ତ ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ 

106

କନକ ବ୍ୟୁରୋ : ବୁଲି ବାଇ ଆପ୍ ମାମଲାରେ ଗିରଫ ତିନି ଜଣଙ୍କ ଜାମିନ୍ ଆବେଦନ ଖାରଜ । ମୁମ୍ବାଇ ମାଜିଷ୍ଟ୍ରେଟ୍ କୋର୍ଟ ତିନି ଜଣଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି । ଭିସାଲ କୁମାର ଝା, ଶ୍ୱେତା ସିଂ ଓ ମୟଙ୍କ ରାୱତ ଜାମିନ୍ ପାଇଁ ଆବେଦନ କରିଥିଲେ । ଏହା ସହ ଦିଲ୍ଲୀ ପୋଲିସ ଗିରଫ କରିଥିବା ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ଜାନୁଆରୀ ୨୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ଏହି ମାମଲାରେ ଗତକାଲି ଓଡିଶାର ଝାରୁସୁଗୁଡା ବ୍ରଜରାଜନଗରରୁ ଜଣଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ଗିରଫ ଯୁବକ ଇବପିଟ ଅଞ୍ଚଳର ନିରଜ କୁମାର ସିଂ ଓ ତାଙ୍କ ବୟସ ୨୮ବୋଲି ଜଣାପଡିଛି ।

ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ୍ ୫ ଜଣଙ୍କୁ ଗିରଫ କରାଯାଇସାରିଲାଣି । ନିରଜ ବିଷ୍ଣୋଇ ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ । ପ୍ରାୟ ୬ମାସ ତଳେ ବିବାଦୀୟ ହୋଇଥିବା ‘ସୁଲି ଡିଲ୍ସ’ ଆପକୁ ନକଲ କରି ଏହି ବୁଲିବାଇ ଆପ୍ ତିଆରି କରିଥିଲା ନିରଜ ବିଷ୍ଣୋଇ । ଆସାମରୁ ତାକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଗୁଇନ୍ଦା ଟିମ୍ । ଏହାପରେ ବିଶାଳ ଝା, ଶ୍ୱେତା ସିଂହ ଓ ମୟଙ୍କ ତିୱାରୀଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ଅନୁସାରେ ଏହି ଆପ୍ଲିକେସନ ଜରିଆରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଛି । ମୁସଲମାନ ମହିଳାଙ୍କ ଫଟୋକୁ ଏହି ଆପ ଜରିଆରେ ସୋସିଆଲ ମିଡିଆରେ ଅପଲୋଡ କରି ସେମାନଙ୍କ ସମ୍ମାନହାନୀ ହେଲାଭଳି ମନ୍ତବ୍ୟ ଦିଆଯାଉଛି । ଏପରିକି ଅନଲାଇନରେ ନିଲାମ କରିବା ଭଳି ଘୃଣ୍ୟ ପଦକ୍ଷେପ ନିଆଯାଉଛି । ବିଶେଷ କରି ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ମୁସଲମାନ ମହିଳାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ଆପ୍ଲିକେସନକୁ ବ୍ୟବହାର କରାଯାଉଛି । ଜଣେ ସାମ୍ବାଦିକା ଏନେଇ ପ୍ରଥମେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିଥିଲା । ସାମାଜିକ କର୍ମୀ, ସେଲିବ୍ରିଟି ଓ ଛାତ୍ରୀମାନେ ସମାନ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତନାଘନା । ଦିଲ୍ଲୀ ଓ ମୁମ୍ବାଇ ସାଇବର ପୋଲିସ ଏହି ମାମଲା ମୂଳରେ ପହଂଚିବା ସହ ୫ଜଣ ଅଭିଯୁକ୍ତଙ୍କ ଗିରଫ କରିଛି ।