କାହିଁକି ଗଲା ସାମ୍ବାଦିକଙ୍କ ଚାକିରି ? ଏବିପି ନ୍ୟୁଜରୁ ଇସ୍ତଫା ଦେବା ପରେ ପୁନ୍ୟ ପ୍ରସୁନ ବାଜପାୟୀଙ୍କୁ ନେଇ ସବୁଠି ଚର୍ଚ୍ଚା, ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ

68

କନକ ବ୍ୟୁରୋ : କାହିଁକି ଗଲା ସାମ୍ବାଦିକଙ୍କ ଚାକିରି । ଏବିପି ନ୍ୟୁଜର ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସୁନ ବାଜପାୟୀଙ୍କ ଇସ୍ତଫା ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା । ପୁଣ୍ୟ ପ୍ରସୁନ କରୁଥିବା ସୋ-ମାଷ୍ଟର ଷ୍ଟ୍ରୋକର ଭିଡିଓ କ୍ଲିପ୍ ସହ ସୋସିଆଲ ମିଡିଆରେ ଆସୁଛି ଘନଘନ ମତାମତ । ବିରୋଧୀ ଦଳ ଏହାକୁ ସାମ୍ବାଦିକଙ୍କ ମୁହଁ ବନ୍ଦ କରିବାର ପ୍ରୟାସ ବୋଲି ଅଭିଯୋଗ ହେଉଥିବା ବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ନେଇ ହେଉଛି ଜୋରଦାର ଚର୍ଚ୍ଚା । ଆଉ ଏସବୁ ଭିତରେ ଏହି ସାମ୍ବାଦିକଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ରହିଛି ସମସ୍ତଙ୍କ ନଜର ।

ଟିଭିରେ ହିନ୍ଦୀ ନ୍ୟୁଜ୍ ଦେଖୁଥିବା ଦର୍ଶକଙ୍କୁ ସାମ୍ବାଦିକ ପୁଣ୍ୟ ପ୍ରସୁନ ବାଜପାୟୀଙ୍କ ପରିଚୟ ଦେବା ହୁଏତ ଆବଶ୍ୟକ ନୁହେଁ । କାରଣ ଦେଶର ଜଣେ ଲୋକପ୍ରିୟ ସାମ୍ବାଦିକ ଭାବରେ ପରିଚିତ ପୁଣ୍ୟ ପ୍ରସୁନ ବାଜପାୟୀ । ଆଜତକ୍ ଛାଡି ଏବିପି ନ୍ୟୁଜରେ ଯୋଗ ଦେଇଥିବା ପୁଣ୍ୟ ପ୍ରସୁନ ସାମ୍ବାଦିକ ନିକଟରେ ଚାକିରିରୁ ଇସ୍ତଫା ଦେଇଛନ୍ତି । ଆଉ କୁହାଯାଉଛି କେନ୍ଦ୍ରର ମୋଦି ସରକାରଙ୍କ ଚାପ ଯୋଗୁଁ ସାମ୍ବାଦିକ ଜଣକ ଚାକିରି ହରାଇଛନ୍ତି ।

ଏବିପି ନ୍ୟୁଜରେ ରାତି ୯ଟାରେ ପ୍ରସାରିତ ହେଉଥିବା ପ୍ରସୁନ ବାଜପାୟୀଙ୍କ ସୋ’ ଗୁରୁବାର ଅଚାନକ୍ ବ୍ଲାକ୍ ଆଉଟ୍ ହୋଇଗଲା । ଟିଭି ପରଦାରେ ପ୍ରସୁନ ବାଜପାୟୀ ଆସିବା ବଦଳରେ ଆସିଲା ଏକ ଘୋଷଣା । କାରଣ ସେତେବେଳେ ଆଉ ପ୍ରସୁନ ବାଜପାୟୀଙ୍କ ସୋ’ ମାଷ୍ଟର ଷ୍ଟ୍ରୋକ୍ ଆଉ ଆସିନଥିଲା । ଆଉ ଏହା ପରେ ପରେ ଏବିପି ନ୍ୟୁଜ୍ ପକ୍ଷରୁ ରଖାଯାଇଥିଲା ଏକ ସ୍ପଷ୍ଟୀକରଣ । ଯେଉଁଥିରେ କୁହାଯାଇଥିଲା ଏବିପି ନ୍ୟୁଜ୍ ପାଇଁ ଏହା ହେଉଛି ଏକ କଳାଦିନ । ସାମ୍ବାଦିକଙ୍କୁ ନିଷ୍ଠାର ସହ କାମ କରିବା ପାଇଁ ବି ଦଣ୍ଡିତ କରାଯାଉଛି ।

ଆଉ ପୁଣ୍ୟ ପ୍ରସୁନ ବାଜପାୟୀଙ୍କ ଇସ୍ତଫା ପଛରେ ଥିଲା ଏହି ରିୟଲିଟି ଚେକ୍ । ଯାହା ମୋଦି ସରକାରଙ୍କୁ ହରଡଘଣାରେ ପକାଇଦେଇଥିଲା । ଛତିଶଗଡ଼ର ଜଣେ ମହିଳା ଯିଏ ମୋଦିଙ୍କୁ ନିଜ ଆୟ ଦୁଇଗୁଣ ବୃଦ୍ଧି ପାଇଲା ବୋଲି କହୁଥିଲେ । ତାହା ପଛରେ ସରକାରୀ ଚାପ ଥିଲା ବୋଲି ଖୋଦ୍ ସେହି ମହିଳା ଜଣକ ସ୍ୱୀକାର କରିଥିଲେ । କୁହାଯାଉଛି, ଏହି ଖବର କେନ୍ଦ୍ର ସରକାରଙ୍କୁ ଏତେ ଘାଇଲା କରିଥିଲା ଯେ, ମୋଦି ସରକାର ପ୍ରତିଶୋଧ ପରାୟଣ ହୋଇ ଉଠିଥିିଲେ । ଯାହାର ଫଳ ସ୍ୱରୁପ ଏବିପି ନ୍ୟୁଜର ପରିଚାଳନା ସଂପାଦକ ମିଲିନ୍ ଖଣ୍ଡେକର ଓ ଉପସ୍ଥାପକ ପୁଣ୍ୟ ପ୍ରସୁନ ବାଜପାୟୀଙ୍କୁ ଇସ୍ତଫା ଦେବାକୁ ପଡ଼ିଲା । ଏବଂ ଆଉ ଜଣେ ଉପସ୍ଥାପକ ଅଭିସାର ଶର୍ମାଙ୍କୁ ୧୫ ଦିନ ପାଇଁ ନିଲମ୍ବିତ ହେବାକୁ ପଡ଼ିଥିଲା ।

ଏହି ଖବର ପ୍ରଘଟ ହେବା ପରେ ଟ୍ୱିଟର ଏବଂ ଫେସବୁକ୍ ଭଳି ସୋସିଆଲ ମିଡ଼ିଆରେ ଆସିବାରେ ଲାଗିଲା ଘନଘନ ମତାମତ । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ଏହି ଘଟଣାକୁ ନେଇ ଆଲୋଚନା କରିଥିଲେ । ଯାହାର ପ୍ରଭାବ ଗୁଞ୍ଜରିତ ହୋଇଥିଲା ସଂସଦରେ । ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସମ୍ଭ କୁହାଯାଉଥିବା ବେଳେ ସାମ୍ବାଦିକଙ୍କ ମୁହଁ ବନ୍ଦ କରିବାର ପ୍ରୟାସ ହେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଆଉ ଏହି ଅଭିଯୋଗ ଯଦି ସତ ହୁଏ ତାହା ନିଶ୍ଚିତ ଭାବରେ ଭାରତର ଲୋକତନ୍ତ୍ର ପ୍ରତି ଏକ ଅଜଣା ସଂକଟ ମାଡି ଆସୁଛି ।