ଛିଣ୍ଡୁନି ମହାରାଷ୍ଟ୍ର ଅଙ୍କ । ଅନୀଲ କପୁରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରିବାକୁ ଟ୍ୱିଟରରେ ମଜାଳିଆ ଢଙ୍ଗରେ ପରାମର୍ଶ ଦେଲେ ୟୁଜର୍ସ ।

480

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡୁନଥିବା ବେଳେ ଉଭୟ ଦଳ ପକ୍ଷରୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପଦ ଛାଡିବା ମୁଡରେ ନାହାନ୍ତି ଉଭୟ ଦଳ । ଶିବସେନା ୫୦-୫୦ ଫର୍ମୁଲାରେ ସରକାର ଗଢିବାକୁ ଅଡି ବସିଥିବା ବେଳେ ବିଜେପି ୫ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବାକୁ ମନସ୍ଥିର କରିସାରିଛି । ବିଜେପି- ଶିବସେନା ମଧ୍ୟରେ ଏଭଳି ଟଣାଓଟରା ଭିତରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାହାକୁ ନେଇ ସସପେନ୍ସ ଲାଗିରହିଛି । ତେବେ ସୋସିଆଲ ମିଡିଆରେ ଅନୀଲ କପୁରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଜଣେ ୟୁଜର୍ସ ଟ୍ୱିଟରରେ ପରାମର୍ଶ ଦେଇଛନ୍ତି ।

ବିଜୟ ଗୁପ୍ତା ନାମକ ଜଣେ ଟ୍ୱିଟର ୟୁଜର୍ସ କହିଛନ୍ତି, ମହାରାଷ୍ଟ୍ରରେ ଯେତେବେଳ ଯାଏଁ ମୁଖ୍ୟମନ୍ତ୍ରୀ ଆସନ ନେଇ କୌଣସି ନିଷ୍କର୍ସ ବାହାରିନାହିଁ ସେତେବେଳ ଯାଏଁ ଅନୀଲ କପୁରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ପରଦାରେ ତାଙ୍କର ଗୋଟିଏ ଦିନର କାର୍ଯ୍ୟକାଳକୁ ପୂରା ଦେଶ ଦେଖିଥିଲା ଓ ପ୍ରଂଶସାରେ ପୋତି ପକାଇଥିଲା । ତେବେ ଏହାକୁ ରି-ଟ୍ୱିଟ୍ ଅନୀଲ କପୁର କହିଛନ୍ତି, ମୁଁ ନାୟକ ଭାବେ ଠିକ୍ ଅଛି । ସେହିଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ପ୍ରଥମେ ଅନୀଲ କପୁର ମନା କରିବେ ତାହା ପରେ ପୁଣିଥରେ ଶପଥ ମଧ୍ୟ ନେବେ ।

ବଲିଉଡ ଫିଲ୍ମ ନାୟକରେ ଅନୀଲ କପୁରଙ୍କୁ ଦିନିକିଆ ମୁଖ୍ୟମନ୍ତ୍ରୀ ଚରିତ୍ରରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ଗୋଟିଏ ଦିନରେ ଅନୀଲ ଯେଉଁଭଳି କାମ କରିଥିଲେ ତାହାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଏପରିକି ପ୍ରତି ରାଜ୍ୟରେ ଏହିଭଳି ମୁଖ୍ୟମନ୍ତ୍ରୀ ରହିବା ଦରକାର ବୋଲି ଦର୍ଶକ ମତ ଦେଇଥିଲେ । ଯିଏ ଗରିବ ଓ ଅସହାୟଙ୍କୁ ତାଙ୍କର ହକ୍ ଦେବା ସହ ଦୁର୍ନୀତିର ମୂଳପୋଛ କରିପାରିବ ।