ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ରୂପେ ବନ୍ଦ କଲା ଟ୍ୱିଟର : ନିଜସ୍ୱ ପ୍ଲାଟଫର୍ମ ତିଆରି କରିବେ କହିଲେ ଡୋନାଲ୍ଡ ଟ୍ରମ୍ପ  

96

କନକ ବ୍ୟୁରୋ : ପ୍ରତ୍ୟକ ଦିନ ଆମେରିକାରୁ ଟ୍ରମ୍ପଙ୍କୁ ନେଇ ଆସୁଛି ରୋଚକ ଖବର । ଏହା ଭିତରେ ଆସିଛି ଆଉ ଏକ ଖବର, ଯାହା ଟ୍ରମ୍ପଙ୍କୁ ଦେବ ଶକ୍ତ ଝଟକା । ସବୁଦିନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଂଟ ବନ୍ଦ କରିଦେଇଛି ଟ୍ୱିଟର । ଏନେଇ ଟୁଇଟର ପକ୍ଷରୁ ଘୋଷଣା କରାଯାଇଛି । ଗତ ବୁଧବାର ଦିନ ଆମେରିକାର ସଂସଦ ଭବନ ପରିସରରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ ନେଇ ଟ୍ରମ୍ପଙ୍କ ଟୁଇଟର ଆକାଉଂଟକୁ ଦୁଇ ଦିନ ପାଇଁ ଅଚଳ କରିଦେଇଥିଲା ଟ୍ୱିଟର ।

ତେବେ ପରବର୍ତ୍ତୀ ସମୟରେ ଟୁଇଟର ଟ୍ରମ୍ପଙ୍କ ଆକାଉଂଟକୁ ସବୁଦିନ ପାଇଁ ଅଚଳ କରିଦେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ପରାଜୟ ସ୍ୱୀକାର କରିବାର କିଛି ସମୟ ପରେ ଟୁଇଟର ଏପରି ବଡ ଧରଣର କଟକଣା ନିଷ୍ପତି ନେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଟ୍ୱିଟର ଜରିଆରେ ଆମେରିକାର ଜନତାଙ୍କ ନିକଟରେ ପହଁଚୁଥିଲେ । ଅନେକ ନୀତିଗତ ନିଷ୍ପତି, ମତାମତରୁ ଟୁଇଟର ଜରିଆରେ ରଖି ଆସୁଥିଲେ ।

ଟ୍ରମ୍ପଙ୍କ ଅନେକ ଟୁଇଟ୍ ବିବାଦ ବି ସୃଷ୍ଟି କରୁଥିଲା । ରାଷ୍ଟ୍ରପତି ନିର୍ବାଚନ ପରବର୍ତ୍ତୀ ସମୟରେ ଆମେରିକାରେ ଟ୍ରମ୍ପଙ୍କ ଅନେକ ଟୁଇଟ୍ ବିବାଦ ସୃଷ୍ଟି କରିବା ସହ ହିଂସାକୁ ଉସୁକାଉଥିବା ଟୁଇଟର ଅନୁଧ୍ୟାନ କରିଥିବା କହିଛି । ଏସବୁକୁ ଧ୍ୟାନରେ ରଖି ବର୍ତମାନ ଟ୍ରମ୍ପଙ୍କ ଟୁଇଟର ଆକାଉଂଟକୁ ସବୁଦିନ ପାଇଁ ଅଚଳ କରିଦେଇଛି ଟ୍ୱିଟର ।