ଧୀରେ ଧୀରେ ଆଖି ଖୋଲୁଛି ଜଗା । ଅପରେସନ ପରେ ଯୋଡ଼ାମୁଣ୍ଡ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ନେଇ ଏମ୍ସ ପକ୍ଷରୁ ସୂଚନା

54

କନକ ବ୍ୟୁରୋ: ଅପରେସନ ପରେ ଜଗା ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି । ତେବେ ବଳିଆ ଅପେକ୍ଷା ଜଗାର ସ୍ୱାସ୍ଥ୍ୟ ଭଲ ରହିଛି । ଜଗା ଧିରେ ଧିରେ ଗୋଡ଼ହାତ ହଲେଇବା ସହିତ ଆଖି ଖୋଲୁଥିବା ଏମ୍ସ ପକ୍ଷରୁ କୁହଯାଇଛି । ସେପଟେ ଜଗା ବଳିଆଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଚାଲିଛି । ବୁଧବାର ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ । ଦୀର୍ଘ ୧୧ ଘଂଟା ପରେ ରାତି ପ୍ରାୟ ୮ ଟାରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିଥିଲେ ଡାକ୍ତର । ଜଗା ବଳିଆଙ୍କ ଆଇସିୟୁରେ ଭେଂଟିଲେଟରରେ ରଖାଯାଇଛି ।

ଏମ୍ସ ନ୍ୟୁରୋସର୍ଜନଙ୍କ ମତରେ ଏବେ ସବୁଠାରୁ ବଡ ଚ୍ୟାଲେଂଜ ହେଉଛି ସ୍ୱତନ୍ତ୍ର ଭାବେ ଦୁଇଟି ମସ୍ତିଷ୍କ କିପରି ପୃଥକ ପୃଥକ କାମ କରିବ । କାରଣ, ଜନ୍ମରୁ ଦୁଇଟି ଦୃଷ୍ଟିକୋଣରୁ ଉଭୟଙ୍କ ମସ୍ତିଷ୍କ ପରସ୍ପର ଉପରେ ନିର୍ଭରଶୀଳ । ଗୋଟିଏ ହେଉଛି, ମନସ୍ତାତ୍ତ୍ୱିକ ଭାବେ ପରସ୍ପର ସହ ନିର୍ଭରଶୀଳ ଏବଂ ଅନ୍ୟଟି ହେଉଛି, ଶାରୀରିକ ଭାବେ ମଧ୍ୟ ଗୋଟିଏ ମସ୍ତିଷ୍କ ଆଉ ଗୋଟିଏ ମସ୍ତିଷ୍କ ଉପରେ ନିର୍ଭରଶୀଳ । ଏବେ ଅଲଗା ହେବା ପରେ ଦୁଇଟି ମସ୍ତିଷ୍କ ସ୍ୱତନ୍ତ୍ର ଭାବେ କାମ କରିବାକୁ କିଭଳି ସକ୍ଷମ ହେବେ ତା ଉପରେ ଡାକ୍ତର ମାନେ ନଜର ରଖିଛନ୍ତି । ଏଥିସହ ଯୋଡାମୁଣ୍ଡରୁ ଅଲଗା ହେବା ପରେ ଦୁଇ ଜଣଙ୍କ ଶରୀର ବି କିଭଳି ଅଲଗା ଅଲଗା କାମ କରିବ ତା ଉପରେ ବି ନଜର ରହିଛି । ଏଭଳି ଜଟିଳ କେସରେ ଅପରେସନ ପରେ ମସ୍ତିଷ୍କର ମନସ୍ତତ୍ୱ ସଂପୂର୍ଣ୍ଣ ଭାବେ ବଦଳିଯାଏ । ପୂର୍ବରୁ ଦୁଇ ଶିଶୁଙ୍କ ମସ୍ତିଷ୍କ ପରସ୍ପର ଉପରେ ନିର୍ଭରଶୀଳ ଥିବା ବେଳେ ଅଲଗା ହେବା ପରେ ଜଣଙ୍କ ବିନା ଆଉ ଜଣଙ୍କ ମସ୍ତିଷ୍କ କିଭଳି ସଂଚାଳନ ହେବ ତାହା ହିଁ ସବୁଠାରୁ ବଡ ଚ୍ୟାଲେଂଜ ।

ଏମ୍ସ ଡାକ୍ତରଙ୍କ ମତରେ ଏହି ୨୭ ମାସର ଦୁଇ ଶିଶୁଙ୍କ ପାଇଁ ଆଗାମୀ ୧୫ ଦିନ ବହୁ ଗୁରୁତ୍ୱପୂଣ୍ଣ ରହିବ । ଏହି ସମୟ ମଧ୍ୟରେ ଦୁଇଟି ଶରୀର ଓ ଦୁଇଟି ମସ୍ତିଷ୍କ ସ୍ୱତନ୍ତ୍ର ଭାବେ କାମ କରିବାକୁ ସ୍ୱାଭାବିକ ଭାବେ ପ୍ରୟାସ କରିବେ ଏବଂ ଏଥିରେ ଉଭୟ ସକ୍ଷମ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଅପରେସନ ପରେ ଜଗାର ହାର୍ଟ ଓ ବଳିଆର କିଡନୀରେ ସମସ୍ୟା ଦେଖାଯାଇଛି । କାହିଁକି ନା ବଳିଆର ରକ୍ତସଂଚାଳନ ଜଗା ଦେହରେ ଅଧିକ ପରିମାଣରେ ହେଉଥିବାରୁ ହାର୍ଟ ଉପରେ ଚାପ ପଡିଥିଲା । ସେହିପରି ଅଧିକ ପରିମାଣର ଔଷଧ ବଳିଆ ଦେହକୁ ଯାଇଥିବାରୁ ବଳିଆର କିଡନୀରେ ସମସ୍ୟା ଦେଖାଦେଇଛି ।

ତୃତୀୟ ପର୍ଯ୍ୟାୟରେ ଚର୍ମ ଆବରଣ ଭିତରେ ଥିବା ମସ୍ତିଷ୍କର ଅଂଶକୁ ଖପୁରୀ ଆବରଣ ଦିଆଯିବ । ଏହା ସହ କୃତ୍ରିମ ଶିରାପ୍ରଶିରା ମାଧ୍ୟମରେ ମସ୍ତିଷ୍କକୁ ରକ୍ତ ସଂଚାଳନକୁ ସ୍ୱାଭାବିକ କରାଯିବ । ସେପଟେ ହୃତପିଣ୍ଡ, ଫୁସଫୁସ ଏବଂ କିଡନୀକୁ ସ୍ୱଭାବିକ ରକ୍ତ ସଂଚାଳନ ଉପରେ ଡାକ୍ତର ଗୁରୁତ୍ୱ ଦେବେ । ଏହାପରେ ଜଗାବଳିଆଙ୍କ ଏକ ଦୀର୍ଘ ମିଆଦୀ ଚିକିତ୍ସା ଜାରି ରହିବ ।