ଜାମ୍ମୁ ସ୍ଥିତ ଭାରତୀୟ ବାୟୁ ସେନା ଷ୍ଟେସନ ଉପରେ ବିସ୍ଫୋରଣ ପରେ ଯାଂଚ ଜୋରଦାର : ଘଟଣାସ୍ଥଳରେ ପହଁଚିଲେ ଏନଏସଜି ଟିମ୍; ପୂର୍ବରୁ ଏନଆଇଏ ଟିମ୍ ବି ଖୋଜୁଛି କାରଣ

115

କନକ ବ୍ୟୁରୋ : ଜାମ୍ମୁ ଏୟାରଫୋର୍ସ ଷ୍ଟେସନରେ ହୋଇଥିବା ବିସ୍ଫୋରଣର ଯାଂଚ ପାଇଁ ଘଟଣାସ୍ଥଳରେ ପହଂଚିଛି  ଏନଏସଜି ଟିମ୍ । ଏହାପୂର୍ବରୁ ଏନଆଇଏ ଟିମ୍ ବି ଘଟଣାସ୍ଥଳରେ ପଂହଚି ଯାଂଚ ଆରମ୍ଭ କରିସାରିଛି । ବିସ୍ଫୋରଣ ପଛରେ ପାକିସ୍ତାନର ହାତ ଥିବା ସନ୍ଦେହରେ ଯାଂଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।  ଘଟଣାରେ ଜାମ୍ମୁର ବେଲିଚାରଣା ଅଂଚଳରୁ ୨ ଜଣ ସନ୍ଦିଗ୍ଧଙ୍କୁ ଉଠାଇନେଇଛି ଏନଆଇଏ । କାଶ୍ମୀରର ଆତଙ୍କବାଦୀ ସଙ୍ଗଠନ ସହ ଏମାନଙ୍କ ସମ୍ପର୍କ ଥିବା ସନ୍ଦେହ କରାଯାଉଛି ।

ଗୁଇନ୍ଦା ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଏୟାର ଟ୍ରାଫିକ କଂଟ୍ରୋଲ  ଓ ଏମ ଆଇ-୧୭ ବିମାନ ଡ୍ରୋନ ଆକ୍ରମଣର ଟାର୍ଗେଟରେ ଥିଲା । କିନ୍ତୁ ଏହା ସଫଳ ହୋଇନଥିଲା । ସୁରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ପ୍ରଥମ ଥର ପାଇଁ ହୋଇଛି ଯେଉଁଥିରେ ପାକିସ୍ତାନର ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ମାନବରହିତ ବିମାନ ବ୍ୟବହାର କରିଛନ୍ତି । ଜମ୍ମୁକାଶ୍ମୀର ସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନ ଉପରେ ଶନିବାର ରାତିରେ ମାତ୍ର ୫ ମିନଟ୍ ବ୍ୟବଧାନରେ ହୋଇଥିଲା ୨ଟି ବିସ୍ଫୋରଣ । ଅବଶ୍ୟ ଏହି ବିସ୍ଫୋରଣରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି ଏବଂ ବିଶେଷ କିଛି କ୍ଷୟକ୍ଷତି ଘଟିନାହିଁ । ଡ୍ରୋନ୍ ସହାୟତାରେ ଏପରି ଆକ୍ରମଣ ଦେଶରେ ପ୍ରଥମ ଥର ଦେଖିବାକୁ ମିଳିଛି । ବୈଷୟିକ ସାମଗ୍ରୀ ଥିବା ଟେକନିକାଲ ଏରିଆରେ ଏହି ଆକ୍ରମଣ ହୋଇଛି । ଏଠାରେ ଭାରତୀୟ ବାୟୁସେନାର ଲଢୁଆ ହେଲିକପ୍ଟର ସବୁ ପାର୍କ କରାଯାଏ । ଏ ସବୁ ଟାର୍ଗେଟରେ ଥିଲା ବୋଲି ଅନୁମାନ କରାଯାଉଛି ।

ଡ୍ରୋନରେ ବିସ୍ଫୋରକ ସାମଗ୍ରୀ ଆଇଇଡି ମହଜୁଦ ଥିଲା । ପାକିସ୍ତାନ ବର୍ଡର ଠାରୁ ମାତ୍ର ୧୪ କିଲୋମିଟର ଦୂରରେ ଅବସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନକୁ ସୀମା ସେପାରୀରୁ ଡ୍ରୋନ୍ ପଠାଯାଇଥିବା ନେଇ ପ୍ରାଥମିକ ସୂଚନା ମିଳୁଛି । ଘଟଣା ପରେ  ପଂଜାବର ପଠାନକୋଟ ଏୟାରବେସରେ ହାଇଆଲର୍ଟ ଜାରି ହୋଇଛି । ପଂଜାବ ଓ ଜାମ୍ମୁକାଶ୍ମୀରରେ ଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନ ଗୁଡିକୁ ପାକିସ୍ତାନ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ପଠାଉଥିବା ନେଇ ସୂଚନା ରହିଛି । ପୂର୍ବରୁ ଅନେକ ଥର ସୀମାରେ ପାକିସ୍ତାନୀ ଡ୍ରୋନ୍ କୁ ଠାବ କରିଛି ବିଏସଏଫ୍ ।