କୋଇଡା ଶଗଡଭଙ୍ଗା ଗାଁରେ ହାତୀ ଉପଦ୍ରବ । ଭାଙ୍ଗି ଦେଲେ ୩ଟି ଘର, ଆକ୍ରମଣରେ ଜଣେ ମୃତ

101

କନକ ବ୍ୟୁରୋ : ଦନ୍ତା ରୂପରେ ମୃତ୍ୟୁ ଜଗିଥିଲା ଦ୍ୱାର ମୁହଁରେ । ନୂଆ ବର୍ଷ ଆରମ୍ଭରୁ ପୁଣି କୋଇଡ଼ା ଅଂଚଳବାସୀଙ୍କ ନିଦ ହଜାଇଛି ଗୋଠ ଛଡ଼ା ହାତୀ । ଗତକାଲି ରାତିରେ କୋଇଡ଼ା ବ୍ଲକ ହେଡ଼କ୍ୱାର୍ଟର ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ଶଗଡ଼ଭଙ୍ଗା ଗାଁରେ ଗୋଟିଏ ହାତୀ ପଶି ଗାଁର ମୋହନ ପଲେଇଙ୍କୁ ଦାନ୍ତରେ କଚାଡ଼ି ମାରିଛି । ଶଗଡ଼ଭଙ୍ଗା ଗାଁରେ ରାତିରେ ଲୋକମାନେ ଶୋଇବାପରେ ଗୋଠଛଡ଼ା ଗୋଟିଏ ହାତୀ ପଶି ଗାଁର ମୋହନ ପଲେଇଙ୍କୁ ଖୁବ ଜୋରରେ କଚାଡ଼ି ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ମୋହନଙ୍କର ମୃତ୍ୟୁ ହୋଇଥିଲା । ହାତୀ ଶବ୍ଦ ଶୁଣ ମୋହନ ଓ ତାଙ୍କ ସ୍ତ୍ରୀ ଘରୁ ବାହାରକୁ ପଳାଇବାକୁ ଉଦ୍ୟମ କରିଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ମୋହନ । ଏହା ସହ ଗାଁର ତିନୋଟି ଘର ଭାଙ୍ଗି ଦେଇଛି ଦନ୍ତା । ରାତିରେ ବନ ବିଭାଗ ଓ ପୋଲିସ ଟିମ ପହଁଚି ହାତୀ ଘଉଡ଼ାଇବା ସହ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଲହୁଣୀପଡ଼ା ଗୋଷ୍ଠୀ କେନ୍ଦ୍ରକୁ ପଠାଇଥିଲେ । ହେଲେ ଗୋଠ ଛଡ଼ା ହାତୀଙ୍କ ଏଭଳି ଉତ୍ପାତ ପୁଣି ଆରମ୍ଭ ହୋଇଥିବା ନେଇ ଅଂଚଳବାସୀଙ୍କ ମନରେ ଛନକା ପଶିଛି ।