ପାଠପଢ଼ା ହେଉଛି ମହଙ୍ଗା, ସର୍ଭେରୁ ଆସିଲା ସାଂଘାତିକ ଚିତ୍ର। ଯୁକ୍ତଦୁଇ ପାସ କରିବାକୁ ଖର୍ଚ୍ଚ ୩୦ ଲକ୍ଷ ଟଙ୍କା। 

326

କନକ ବ୍ୟୁରୋ: ପିଲାଙ୍କ ପାଠପଢ଼ା ନେଇ ଇକୋନୋମିକ୍ସ ଟାଇମ୍ସର ସର୍ଭେରୁ ଯେଉଁ ତଥ୍ୟ ଆସିଛି ତାହା ଚିନ୍ତା ବଢ଼ାଇ ଦେଇଛି । ଦେଶର ବଡ ବଡ ସହରରେ ଥିବା ବେସରକାରୀ ସ୍କୁଲଗୁଡିକରେ ପାଠପଢ଼ା ପାଇଁ ଯେଉଁ ଖର୍ଚ୍ଚ ହେଉଛି, ତାହା ମଧ୍ୟବିତ୍ତଙ୍କୁ ନୟାନ୍ତ କରୁଛି ।

ନଜର ପକାନ୍ତୁ – ସର୍ଭେ ରିପୋର୍ଟ ଉପରେ

ନର୍ସରୀରୁ ଯୁକ୍ତ ଦୁଇ ପାସ କରିବାକୁ ଖର୍ଚ୍ଚ ହେଉଛି ୩୦ ଲକ୍ଷ ଟଙ୍କା

ନାମଲେଖା, ଟ୍ୟୁସନ ଫି’, ପରିବହନ ଦେୟ, ପରୀକ୍ଷା ଫିସ୍ ଏବଂ ଆନୁସଙ୍ଗିକ ଖର୍ଚ୍ଚ ବଢ଼ିଚାଲିଛି

ପ୍ରାଥମିକ ଶିକ୍ଷା ପାଇଁ ବାର୍ଷିକ ହାରାହାରି ୧ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି 

୨୦୧୨ରୁ  ୨୦୨୦ ମଧ୍ୟରେ ଶିକ୍ଷା ଖର୍ଚ୍ଚରେ ୧୦ରୁ ୧୨ ପ୍ରତିଶତ ବୃଦ୍ଧି 

ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା । ରାଜ୍ୟରେ ଥିବା ବେସରକାରୀ ସ୍କୁଲରେ ନର୍ସରୀରେ ନାମଲେଖା ଲାଗି ଗଣିବାକୁ ପଡୁଛି ୪୦ ହଜାରରୁ ୧ ଲକ୍ଷ ଟଙ୍କାରୁ ଅଧିକ । ଏହାଛଡ଼ା ପ୍ରତି ମାସରେ ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ ଫି’ ବାବଦରେ କଷୁଛନ୍ତି ଘରୋଇ ସ୍କୁଲ । ଏହାଛଡ଼ା ଭିନ୍ନ ଭିନ୍ନ ଆଳରେ ଅଭିଭାବକଙ୍କଠାରୁ ଆଦାୟ କରାଯାଉଛି ଟଙ୍କା ।  ତେବେ ୧୯୯୬ ଗେଜେଟ ନୋଟିଫିକେସନରେ ସମାନ୍ତରାଳ ସ୍କୁଲ ଫି ନିର୍ଦ୍ଧାରଣ କରିବାକୁ କହିଥିଲେ ରାଜ୍ୟ ସରକାର । ଏହାକୁ ତୁରନ୍ତ ଲାଗୁ କରି ସ୍କୁଲୱାରୀ ଫି’ ନିର୍ଦ୍ଧାରଣ ସରକାର କରନ୍ତୁ ବୋଲି ଦାବି କରିଛି ଓଡିଶା ଅଭିଭାବକ ମହାସଂଘ  । ବେସରକାରୀ ସ୍କୁଲରେ ଦେୟ ବୃଦ୍ଧି ପାଉଥିବାବେଳେ ଆବଶ୍ୟକୀୟ ସୁବିଧା ସୁଯୋଗ ଏବଂ ଶିକ୍ଷାଦାନ ମାନରେ ଉନ୍ନତି ହେଉନାହିଁ । ଯେଉଁଥିପାଇଁ ସ୍କୁଲ ଟଙ୍କା ନେଉଛି, ସେହି ସୁବିଧା ସବୁ ଛାତ୍ରଛାତ୍ରୀଙ୍କୁ ଉପଲବ୍ଧ କରାଯାଉନଥିବା ଅଭିଯୋଗ ହେଉଛି ।