ତୁର୍କୀରେ ଭୂମିକମ୍ପ, ଇଟାଲୀରେ ସୁନାମୀ ଆଲର୍ଟ : ମାଟିରେ ମିଶିଲା ୧୩୪ ବଡ ଅଟ୍ଟାଳିକା

203

କନକ ବ୍ୟୁରୋ : ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ । ରିକ୍ଟର ସ୍କେଲରେ ତୀବ୍ରତା ୭.୮ ରେକର୍ଡ କରାଯାଇଛି । ତୁର୍କୀ ସମେତ ଇସ୍ରାଏଲ ଓ ସିରିଆରେ ମଧ୍ୟ ଭୂମିକମ୍ପ ହୋଇଛି । ଏହାପରେ ସୁନାମୀ ଆଲର୍ଟ ଜାରି କରିଛି ଇଟାଲୀ । ସିରିୟା ଓ ତୁର୍କୀରେ ପାଖାପାଖି ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୋମବାର ସକାଳେ ଦକ୍ଷିଣ ତୁର୍କୀର ଗଜିୟାଟେଂପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁ ବଡ ବଡ ବିଲ୍ଡିଂ ସବୁ ଦବି ଯାଇଥିବା ବେଳେ ବହୁ ଉଚ୍ଚ ଅଟ୍ଟଳିକା ଭାଙ୍ଗିଯାଇଛି । ସେହିଭଳି ଘର ଭାଙ୍ଗି ମାଟି ତଳେ ବହୁ ଲୋକ ଦବି ରହିଥିବା ଜଣାପଡିଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କ୍ଷୟକ୍ଷତି ଘଟିଥିବା ସ୍ଥାନ ଭୂକମ୍ପ କେନ୍ଦ୍ର ସ୍ଥଳୀଠାରୁ ମାତ୍ର ୨୩ କିଲୋମିଟର ଦୂରରେ ରହିଛି ।

ତେବେ ଭୂମିକମ୍ପର ବିଭିନ୍ନ ଭୟାନକ ଚିତ୍ର ସାମନାକୁ ଆସିଛି । ଭୂମିକମ୍ପ ଯାଗୁ ଲୋକେ ଭୟରେ ଏଣେ ତେଣ ଦଉଡୁଥିବା ବେଳେ କିଛି ଲୋକ ଉଚ୍ଚ ବିଲ୍ଡିଂରୁ ତଳକୁ ଖସି ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଚାରି ଚାରିଥର ଭୂକମ୍ପ ଝଟକା ଯୋଗୁ ଲୋକେ ଭୟଭୀତ ହୋଇ ଏଣେତେଣେ ଦଉଡୁଥିବା ଦେଖିବାକୁ ମିଳିଛି । ଭୂମିକମ୍ପ ଯୋଗୁ କ୍ଷୟକ୍ଷତି ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।