ଆମେରିକା-ନର୍ଥ କୋରିଆ ଡାଏଲଗ୍ ଡ୍ରାମା ! କୋରିଆ ବିରୁଦ୍ଧରେ ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ

34

କନକ ବ୍ୟୁରୋ : ଘନଉଛି ନର୍ଥ କୋରିଆ-ଆମେରିକା ବିବାଦ । ଯୁଦ୍ଧ ଏଡ଼ାଇବାକୁ କୂଟନୈତିକ ବିକଳ୍ପ ଖୋଲା ରହିଥିବା ନେଇ ଆମେରିକା ବିଦେଶ ମନ୍ତ୍ରୀ କହିବା ପରେ ଏହାକୁ ସମୟ ନଷ୍ଟ ବୋଲି କହିଛନ୍ତି ରାଷ୍ଟ୍ରପତି । ଲିଟିଲ୍ ରକେଟ୍ ମ୍ୟାନ୍ କିମ୍ ଜଙ୍ଗଙ୍କ ସହ କଥାବାର୍ତ୍ତା ପାଇଁ ଚେଷ୍ଟା କରି ରେକ୍ସ ନିଜର ସମୟ ବରବାଦ୍ କରୁଥିବା ଟ୍ୱିଟ୍ କରିଛନ୍ତି ଟ୍ରମ୍ପ । ଏଥିସହ ସମୟ ନଷ୍ଟ ନ କରି ନିଜ ଶକ୍ତି ସଂଚୟ କରିବାକୁ ଟ୍ରମ୍ପ ପରାମର୍ଶ ଦେଇଛନ୍ତି ନିଜ ବିଦେଶ ମନ୍ତ୍ରୀଙ୍କୁ । ଯାହା କରା ଯିବା ଉଚିତ ତାହା ହିଁ କରାଯିବ ବୋଲି ଟ୍ୱିଟ୍ ଜରିଆରେ ଟ୍ରମ୍ପ ଉଲ୍ଲେଖ କରିଛନ୍ତି । ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଏଭଳି ବୟାନ ପୁଣି ଯୁଦ୍ଧ ପରିସ୍ଥିତିକୁ ସତେଜ କରିଛି ।

ଗତ ୨୫ ବର୍ଷ ମଧ୍ୟରେ କିମ୍ ଜଙ୍ଗଙ୍କ ପ୍ରତି ଆମେରିକା ଉଦାରତାର ପ୍ରଭାବ ଦେଖିବାକୁ ମିଳିନଥିବା ବେଳେ ଏବେ କିପରି ମିଳିବ ବୋଲି ଅନ୍ୟ ଏକ ଟ୍ୱିଟ୍ରେ ପ୍ରଶ୍ନ କରିଛନ୍ତି ଟ୍ରମ୍ପ୍ । ଏହି ପ୍ରସଙ୍ଗରେ ପୂର୍ବ ଆମେରିକା ରାଷ୍ଟ୍ରପତି କ୍ଲିଂଟନ୍, ବୁଶ୍ ଓ ଓବାମା ବିଫଳ ହୋଇଥିବା ବେଳେ ସେ ବିଫଳ ହେବେ ନାହିଁ ବୋଲି ଦୃଢ଼ୋକ୍ତି କରିଛନ୍ତି ଟ୍ରମ୍ପ । ଏଥି ସହ ଟ୍ରମ୍ପଙ୍କ କୋରିଆ ବିରୋଧୀ ଆଭିମ୍ମୁଖ୍ୟ ପୁଣିଥରେ ସ୍ପଷ୍ଟ ଦେଖିବାକୁ ମିଳିଛି ।

ପୁଣିଥରେ ଆମେରିକା-ନର୍ଥ କୋରିଆ ଡାଏଲଗ୍ ଡ୍ରାମା ! କୋରିଆ ବିରୁଦ୍ଧରେ ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ :

ନର୍ଥ କୋରିଆର ରଣହୁଙ୍କାର ଏବଂ ଆମେରିକାର ଉତ୍ତର କୋରିଆକୁ ନିଶ୍ଚିହ୍ନ କରି ଦେବା ଧମକ ପରେ ଅଶାନ୍ତ ହୋଇଉଠିଥିଲା କୋରିଆ ଉପତ୍ୟକା । ତେବେ ଏହି ଘଡିସନ୍ଧି ମୁହୁର୍ତରେ କୂଟନୀତିର ଇସାରା ଦେଇଥିଲେ ଆମେରିକା ବିଦେଶ ମନ୍ତ୍ରୀ ରେକ୍ସ ଟିଲରସନ୍ । କୋରିଆ ରାଜି ହେଲେ ସିଧାସଳଖ କଥାବାର୍ତା ସମ୍ଭବ ବୋଲି କହିଥିଲେ ରେକ୍ସ । ଯାହାକୁ ସମୟ ନଷ୍ଟ ସହ ତୁଳନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ।

ନର୍ଥ କୋରିଆ ବନାମ ଆମେରିକା ! କାହା ସେନା କେତେ ଶକ୍ତିଶାଳୀ ?

ଆମେରିକାର ସକ୍ରିୟ ସେନା ସଂଖ୍ୟା ୧.୪ ନିୟୂତ ହୋଇଥିବାବେଳେ ନର୍ଥ କୋରିଆର ସକ୍ରିୟ ସେନା ସଂଖ୍ୟା ମାତ୍ର ୬.୯ ଲକ୍ଷ । ଆମେରିକା ନିକଟରେ ୨୨୦୭ଟି ଯୁଦ୍ଧ ବିମାନ ରହିଥିବାବେଳେ ନର୍ଥ କୋରିଆ ପାଖରେ ରହିଛି ୪୫୮ଟି ଯୁଦ୍ଧ ବିମାନ । ଆମେରିକା ନିକଟରେ ୬୧୯୬ଟି ଯୁଦ୍ଧ ହେଲିକପ୍ଟର ଥିବାବେଳେ ନର୍ଥ କୋରିଆ ପାଖରେ ରହିଛି ୨୦୨ଟି ହେଲିକପ୍ଟର । ଆମେରିକା ନିକଟରେ ୨୦ଟି ବିମାନବାହୀ ଜାହାଜ ଥିବାବେଳେ ନର୍ଥ କୋରିଆ ପାଖରେ ବିମାନବାହୀ ଯୁଦ୍ଧ ଜାହାଜ ନାହିଁ ।

ସେହିପରି ଆମେରିକା ନିକଟରେ ୬୨ଟି ଡେଷ୍ଟ୍ରୟର ଶ୍ରେଣୀୟ ଯୁଦ୍ଧାସ୍ତ୍ର ଥିବାବେଳେ ନର୍ଥ କୋରିଆ ନିକଟରେ ଏହି ଶ୍ରେଣୀର କୌଣସି ଯୁଦ୍ଧାସ୍ତ୍ର ନାହିଁ । ଆମେରିକା ନିକଟରେ ୨୦ଟି ଅତ୍ୟାଧୁନିକ ଯୁଦ୍ଧତରୀ ଥିବାବେଳେ ନର୍ଥ କୋରିଆ ପାଖରେ ଅତ୍ୟାଧୁନିକ ଯୁଦ୍ଧତରୀ ନାହିଁ । ସେହିପରି ଆମେରିକା ନିକଟରେ ୪୪୮୦ଟି ପରମାଣୁ ଅସ୍ତ୍ର ଥିବାବେଳେ ନର୍ଥ କୋରିଆର ପରମାଣୁ ଅସ୍ତ୍ର ସଂଖ୍ୟା ମାତ୍ର ୧୦ରେ ହିଁ ସୀମିତ । ଏଥିରୁ ସହଜରେ କୁହାଯାଇପାରେ ନର୍ଥ କୋରିଆ ଯୁଦ୍ଧ କଲେ କଣ ହେବ ସ୍ଥିତି । ତେବେ ପରିଣାମକୁ ଖାତିର ନ କରି କୋରିଆ ଜାରି ରଖିଛି ଯୁଦ୍ଧଖୋର ଆଭିମୁଖ୍ୟ ।