ଏମିତି ହୁଏ ଦୁର୍ଘଟଣା: ଅଧା ତିଆରି ଓଭରବ୍ରିଜ୍ ତଳକୁ ଖସି ପଡ଼ିଲା ଟ୍ରକ, ଡ୍ରାଇଭର ମୃତ

677

କନକ ବ୍ୟୁରୋ: ଅଧା ତିଆରି ଓଭରବ୍ରିଜ୍ ତଳକୁ ଖସି ପଡ଼ିଲା ଟ୍ରକ । ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାସ୍ତା କାମ ଶେଷ ହୋଇନଥିବାରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇବା ପାଇଁ ଲୋକେ ଉଦ୍ୟମ କରିଥିଲେ । ହେଲେ ଲୋକଙ୍କ ଇସାରାକୁ ବୁଝିନପାରି ଟ୍ରକକୁ ଆଗକୁ ନେଇଥିଲେ ଡ୍ରାଇଭର । ମାତ୍ର କିଛି ମିଟର ଯିବା ପରେ ଓଭରବ୍ରିଜ୍ ତଳକୁ ଟ୍ରକ ଖସି ପଡ଼ିଥିଲା । ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି । ଝାରପୋଖରିଆରୁ ଜାମଶୋଳା ଯାଏଁ ଜାତୀୟ ରାଜପଥ କାମ ଏଲ୍ଆଣ୍ଡଟି କଂପାନୀ କରୁଥିଲା । ତେବେ ଅଧା ତିଆରି ହୋଇ ପଡିଛି ରାସ୍ତା । ଜାତୀୟ ରାଜପଥରେ ଆସୁଥିବା ଗାଡ଼ି ରାସ୍ତା ଜାଣିନପାରି ଦୁର୍ଘଟଣାଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି ।

ଆଜି ପ୍ରାୟ ସାଢ଼େ ୫ ଟା ବେଳେ ଏକ ଦ୍ରୁତଗାମୀ ଟ୍ରକ ଓଭରବ୍ରିଜ୍ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାର ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି । ରାସ୍ତା ଅଧା ହୋଇଥିବାରୁ ଟ୍ରକକୁ ହାତ ଦେଖାଇ ଆଗକୁ ନଯିବା ପାଇଁ ଉପସ୍ଥିତ ଥିବା ଲୋକେ ଡ୍ରାଇଭରକୁ ଇସାରା ଦେଇଥିଲେ । ହେଲେ ଡ୍ରାଇଭର ଅନ୍ୟ କିଛି ଆଶଙ୍କା କରି ଟ୍ରକକୁ ଆହୁରି ଦ୍ରୁତ ଗତିରେ ନେଇ ଯାଇଥିଲେ । ଚାହୁଁ ଚାହୁଁ ତଳକୁ ଖସି ପଡିଥିଲା ଟ୍ରକ । ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିବାରୁ ଡ୍ରାଇଭର ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧା ତିଆରି ଓଭରବ୍ରିଜକୁ ତୁରନ୍ତ ଶେଷ କରିବାକୁ ଦାବି କରି ରାସ୍ତା ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ପୁଲିସ ଓ ପ୍ରଶାସନ ପହଁଚି ବୁଝାସୁଝା କରୁଥିବା ସୂଚନା ମିଳିଛି ।