ପୋଲିସର ସର୍ଭିସ ବନ୍ଧୁକରୁ ମନ୍ତ୍ରୀ ଚଳାଇଲେ ଗୁଳି । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ, ଜାଣନ୍ତୁ କଣ ଥିଲା ପୂରା ଘଟଣା?

359

କନକ ବ୍ୟୁରୋ : ମନ୍ତ୍ରୀ ଚଳାଇଲେ ଗୁଳି । ଶହ ଶହ ଲୋକଙ୍କ ଗହଣରେ ମନ୍ତ୍ରୀ ମାରିଲେ ଗୁଳି । ଆଉ ତାହା ବି ପୁଣି ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସର୍ଭିସ ବନ୍ଧୁକରୁ । ଅବଶ୍ୟ ବନ୍ଧୁକ ଆକାଶ ଆଡକୁ କରି ଏହି ଗୁଳି ଚଳାଇଥିଲେ ମନ୍ତ୍ରୀ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ମନ୍ତ୍ରୀ ଜଣକ ହେଉଛନ୍ତି ଟିଆରଏସର ଭି ଶ୍ରୀନିବାସ ଗୌଡ । ସ୍ୱାଧୀନତା ଦିବସ ଉପଲକ୍ଷେ ତେଲେଙ୍ଗାନାର ମହବୁବନଗରରେ ଏକ ରାଲି ଚାଲିଥିବା ବେଳେ କିଛି ଏଭଳି କରିଛନ୍ତି ଟିଆରଏସ ମନ୍ତ୍ରୀ ।

ଅନ୍ୟପଟେ ଏହି ଘଟଣା ପରେ କିଛି ପୋଲିସ ଅଧିକାରୀ ନିଜର ନାଁ ପରିପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଆଇନର ଉଲ୍ଲଘଂନ । ଯାହାକୁ ନେଇ ପୋଲିସ ବିଭାଗ ପକ୍ଷରୁ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି । ମିଳିଥିବା ସୂଚନା ମୁତାବକ, ମହବୁବନଗରରେ ହେଉଥିବା ଫ୍ରିଡମ ରାଲିରେ ଶହ ଶହ ଲୋକ ଏକାଠି ହୋଇଥିଲେ । ଆଉ ଏହି ସମୟରେ ମନ୍ତ୍ରୀ ଶ୍ରୀନିବାସ ପୋଲିସର ସର୍ଭିସ ବନ୍ଧୁକକୁ ନେଇ ଆକାଶକୁ ଚାହିଁ ଗୁଳି କରିଥିଲେ । ଆଉ ମନ୍ତ୍ରୀ ଯେତେବେଳେ ଗୁଳି ଚଳାଇଥିଲେ, ସେତେବେଳେ ଉପସ୍ଥିତ ଯୁବକ ମାନେ ଜିନ୍ଦାବାଦ ନାରା ପକାଇ ମନ୍ତ୍ରୀଙ୍କୁ ଉତ୍ସାହିତ କରୁଥିଲେ ।

ତେବେ ଏହାକୁ ବିବାଦ ହେବା ପରେ ସଫେଇ ରଖିଛନ୍ତି ମନ୍ତ୍ରୀ । ଶ୍ରୀନିବାସ କହିଛନ୍ତି, ବନ୍ଧୁକରୁ ରବଟ ଗୁଳି ଚଳାଇଥିଲି । କ୍ରୀଡାମନ୍ତ୍ରୀ ଭାବେ ମୁଁ ସେଠାରେ କେବଳ ରବର ଗୁଳି ଚଳାଇଥିଲି ଏବଂ ଏହାକୁ ଚଳାଇବାକୁ ମୁଁ ଅନୁମତି ମଧ୍ୟ ପାଇଛି । ତେବେ କିଛି ଲୋକ ଏହାକୁ ରାଜନୀତିକରଣ କରୁଛନ୍ତି । କିନ୍ତୁ ଜିଲ୍ଲା ଏସପିଙ୍କ ଠାରୁ ଏହି ରବର ବୁଲେଟ ଚଲାଇବାକୁ ଅନୁମତି ପାଇଥିବା କହିଛନ୍ତି ଶ୍ରୀନିବାସ ।