ପ୍ରଳୟ ଆଣିଲା ପାବୁକ୍ ଝଡ଼ ! ଦକ୍ଷିଣ ଥାଇଲାଣ୍ଡର ପ୍ରମୁଖ ଦ୍ୱୀପରେ ପ୍ରାକୃତିକ ବିପର୍ଯ୍ୟୟ, ତୀବ୍ର ବେଗରେ ପବନ ସହ ପ୍ରବଳ ବର୍ଷା ଜାରି ।

606

କନକ ବ୍ୟୁରୋ : ଥାଇଲାଣ୍ଡରେ ପାବୁକ୍ ପ୍ରଳୟ  । ସାମୁଦ୍ରିକ ଝଡ଼ ପାବୁକ୍ ଦକ୍ଷିଣ ଥାଇଲାଣ୍ଡ ଛୁଇଁଥିବା ବେଳେ ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୁଡ଼ିକୁ ଧ୍ୱସ୍ତବିଧ୍ୱସ୍ତ କରିଛି  । ପାବୁକ୍ ପ୍ରଭାବରୁ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଲାଗିରହିଛି  । ସେପଟେ ସମୁଦ୍ର ଅଶାନ୍ତ ରହିବା କାରଣରୁ ବେଳାଭୂମିରେ ଉଠିଛି ୨୨ ଫୁଟର ଢେଉ  । ନାଗରିକଙ୍କୁ ଘରେ ରହିବାକୁ ସ୍ଥାନୀୟ ସରକାର ପରାମର୍ଶ ଦେଇଥିବା ବେଳେ ସମୁଦ୍ରକୁ ନଯିବାକୁ କୁହାଯାଇଛି  ।

ପ୍ରଳୟ ଆଣିଲା ପାବୁକ୍ ଝଡ଼ । ସାମୁଦ୍ରିକ ବାତ୍ୟା ଆଣିଲା ବିପର୍ଯ୍ୟୟ । ଦକ୍ଷିଣ ଥାଇଲାଣ୍ଡର ନାଖୋନ୍ ସି ଥମାରତ୍ ବେଳାଭୂମିର ଦୃଶ୍ୟ ଆପଣଙ୍କୁ ବିଚଳିତ କରିଦେବ  । ସାମୁଦ୍ରିକ ଝଡ଼ ପ୍ରଭାବରୁ ଅଶାନ୍ତ ହୋଇପଡ଼ିଛି ସମୁଦ୍ର  । ଏପରିକି ବାରମ୍ବାର କୁଳ ଲଂଘିବାର ମଧ୍ୟ ଦେଖିବାକୁ ମିଳିଛି  । କିଛି ସ୍ଥାନରେ ୨୨ଫୁଟ୍ ଉଚ୍ଚ ଜୁଆର ମଧ୍ୟ ଆସିଛି  । ସାମୁଦ୍ରିକ ଝଡ଼ ପ୍ରଭାବରୁ ଦକ୍ଷିଣ ଥାଇଲାଣ୍ଡରେ ପ୍ରବଳ ବର୍ଷାପବନ ଲାଗି ରହିଛି  । ପାବୁକ୍ ପାଇଁ ଥାଇଲାଣ୍ଡର ୧୬ଟି ପ୍ରଗଣାରେ ପୂର୍ବରୁ ହାଇଆଲର୍ଟ ଜାରି କରାଯାଇଥିଲା  । ସ୍ଥଳଭାଗ ଛୁଇଁବା ପରେ ପାବୁକ୍ ଥାଇଲାଣ୍ଡରେ ବିପର୍ଯ୍ୟୟ ସୃଷ୍ଟି କରିଛି  । କେଉଁଠାରେ ରାସ୍ତାରେ ଗଛ ଭାଂଗିପଡ଼ିଛି ତ ପୁଣି କେଉଁଠି ଘରେ ପଶିଯାଇଛି ପାଣି  ।

ପାବୁକ୍ ପ୍ରଳୟର ପୁରା କାହାଣୀ :

– ପାବୁକ୍ ଆଗରୁ ୩୦ ବର୍ଷ ପୂର୍ବେ ୧୯୮୯ ନଭେମ୍ବର ମାସରେ ସାମୁଦ୍ରିକ ଝଡ଼ ଗେ ଦକ୍ଷିଣ ଥାଇଲାଣ୍ଡରେ ଭୟଙ୍କର ବିପର୍ଯ୍ୟୟ ଆଣିଥିଲା  ।

– ପାବୁକ୍ ପାଇଁ କୋହ୍ ସାମୁଇ, କୋହ୍ ତାଓ ଓ କୋହ୍ ଫନଗାନ୍ ଦ୍ୱୀପରୁ ପାଖାପାଖି ୧୦ ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ଦ୍ୱୀପକୁ ଖାଲି କରାଯାଇଛି  ।

– ଯାତ୍ରୀସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦର ଓ ରେଳ ଚଳାଚଳ ଉପରେ ସାମୟିକ କଟକଣା ଲାଗୁ କରାଯାଇଛି ଓ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି  ।

– ପାବୁକ୍ ଦକ୍ଷିଣ ଥାଇଲାଣ୍ଡର ନାଖୋନ୍ ସି ଥମାରତ୍ ନିକଟରେ ସ୍ଥଳଭାଗ ଛୁଇଁଛି  ।

– ଥାଇଲାଣ୍ଡ ପରେ ପାବୁକ୍ ଆଣ୍ଡାମାନ, ନିକୋବର ମୁହାଁ ହୋଇଥିବାରୁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି ଓ ଏଠାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି  ।

ପ୍ରକୃତିର କରାଳ ରୂପ  । ନୂଆବର୍ଷ ପାଳନ ପାଇଁ ଥାଇଲାଣ୍ଡର ପ୍ରସିଦ୍ଧ ଦ୍ୱୀପପୁଂଜ ଗୁଡ଼ିକରେ ପର୍ଯ୍ୟଟକ ଗହଳି ଲାଗିରହିଥିବା ବେଳେ ହଠାତ୍ ଆସିଥିଲା ପାବୁକର ପୂର୍ବାନୁମାନ  । ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଆଇଲାଣ୍ଡ ଗୁଡ଼ିକୁ ସଙ୍ଗେ ସଙ୍ଗେ ଖାଲି କରାଯାଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା  । ତେବେ ପାବୁକ୍ ପ୍ରଳୟ ପରେ ଏବେ ପର୍ଯ୍ୟଟକ ନିଜ ଦେଶକୁ ଫେରିପାରୁନାହାନ୍ତି  । ଅନ୍ୟପଟେ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ବିମାନ ଚଳାଚଳ ସମ୍ଭବ ନୁହଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି  ।