କନକ ବ୍ୟୁରୋ : ଦେଶର ୩ଟି ଉତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ମେଘାଳୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିସାରିଛନ୍ତି । ଏହି କ୍ରମରେ ତ୍ରିପୁରାରେ ଫେବୃଆରୀ ୧୬ ତାରିଖରେ ମତଦାନ ଅନୁଷ୍ଠିତ ହେବ ଓ ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣା ପରେ ତ୍ରିପୁରା ରାଜନୀତି ସରଗରମ ହେବାରେ ଲାଗିଛି । ତ୍ରିପୁରାରେ ଏବେ ବିଜେପି ସରକାର ରହିଛି ଓ ମାଣିକ ଶାହା ମୁଖ୍ୟମନ୍ତ୍ରୀ ଅଛନ୍ତି । ହେଲେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ ବିଜେପି ଏକ ବଡ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଯାଉଛି । ଏଠାରେ ନିର୍ବାଚନ ପୂର୍ବରୁ ପାରମ୍ପାରିକ ବିରୋଧୀ କଂଗ୍ରେସ ଓ ବାମଦଳ ଗୋଟିଏ ମଞ୍ଚକୁ ଆସିଛନ୍ତି । କଂଗ୍ରେସ ଓ ବାମଦଳ ମେଣ୍ଟରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ଏନେଇ ସିପିଆଇଏମ ତ୍ରିପୁରା ରାଜ୍ୟ ମହାସଚିବ ଜିତେନ୍ଦ୍ର ଚୌଧୁରୀ କହିଛନ୍ତି କି ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଭୋଟରମାନେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସବୁ ଧର୍ମନିରପେକ୍ଷ ଲୋକତାନ୍ତ୍ରିକ ଶକ୍ତିମାନେ ଫାଶିବାଦ ସରକାର ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦିଆଯାଇଛି ।

Advertisment

ଏହି କ୍ରମରେ ଜିତେନ୍ଦ୍ର ଚୌଧୁରୀ ରାଜ୍ୟର ସମସ୍ତ ବିଜେପି ବିରୋଧୀଦଳମାନଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ଜାନୁଆରୀ ୨୧ ତାରିଖରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଛି । ଏହି ରାଲିରେ କୌଣସି ଦଳର ପତାକା ରହିବନାହିଁ ବୋଲି ଚୌଧୁରୀ କହିଛନ୍ତି ।

ସେପଟେ ଏହି ମେଣ୍ଟରେ ମମତା ବାନାର୍ଜୀଙ୍କ ଟିଏମସିକୁ ସାମିଲ କରାଯିବ ନାହିଁ ବୋଲି ଚୌଧୁରୀ କହିଛନ୍ତି । ସେପଟେ ବିଜେପି କ୍ଷମତା ହାସଲ କରିବା ପଛରେ ଥିବା ପ୍ରମୁଖ ଲୋକ ଟିପରା ମୌଥାଙ୍କ ଏଡିସିଏସ ଏହି ମେଣ୍ଟରେ ସାମିଲ ହୋଇପାରେ । ଏନେଇ କଂଗ୍ରେସ ଓ ବାମପନ୍ଥୀ ନେତୃତ୍ୱମାନେ ଟିପରା ମୌଥାଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।