ତଲାକର ତତଲା ନିଆଁରେ ଜଳିବେନି ମହିଳା ! ଦେଖନ୍ତୁ ଟ୍ରିପଲ୍ ତଲାକ୍ ବିରୋଧରେ ଲଢିଥିବା ଓଡ଼ିଶାର ମୁସଲିମ୍ ଦମ୍ପତିଙ୍କ କାହାଣୀ

45

vlcsnap-2017-08-22-19h27m15s762କନକ ବ୍ୟୁରୋ : ଆଉ ତିନି ତଲାକ୍ କହିଲେ ହେବନାହିଁ ମୁସଲମାନ ମହିଳାଙ୍କ ବିବାହ ବିଚ୍ଛେଦ । ଆଜି ଏକ ଐତିହାସିକ ରାୟରେ ୧୪ଶହ ବର୍ଷର ଏହି ପରମ୍ପରାରେ ପୂର୍ଣ୍ଣଛେଦ ଟାଣିଛନ୍ତି ସୁପ୍ରିମକୋର୍ଟ । ପ୍ରାୟ ୧୪ଶହ ବର୍ଷ ତଳୁ ମୁସଲମାନ ସଂପ୍ରଦାୟରେ ଚଳିଆସୁଥିବା ତିନି ତଲାକ ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କଲେ ସୁପ୍ରିମକୋର୍ଟଙ୍କ ୫ଜଣିଆ ସାମ୍ଭିଧାନିକ ଖଣ୍ଡପୀଠ । ୫ ଜଣ ଅଲଗା ଅଲଗା ଧର୍ମର ବିଚାରପତିଙ୍କ ମଧ୍ୟରୁ ୩ଜଣ ଏହାକୁ ଅସାମ୍ବିଧାନିକ କହିଛନ୍ତି ।

ଜଷ୍ଟିସ କୁରିଏନ ଜୋସେଫ, ଆର.ଏଫ. ନରିମାନ ଏବଂ ୟୁ.ୟୁ. ଲଳିତ କହିଛନ୍ତି ତିନି ତଲାକ ବ୍ୟବସ୍ଥା ମୁସଲମାନ ମହିଳାଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ତେବେ ମୁଖ୍ୟ ବିଚାରପତି ଜେ.ଏସ. ଖେହର ଓ ବିଚାରପତି ଏସ. ଅବଦୁଲ ନଜିର ରଖିଥିଲେ ଭିନ୍ନ ମତ । ତିନି ତଲାକ ବ୍ୟବସ୍ଥା ମୁସଲମାନଙ୍କ ଧର୍ମୀୟ ଅଧିକାର ଓ ଏହା ଅସାମ୍ବିଧାନିକ ନୁହେଁ ବୋଲି ମତ ଦେଇଥିଲେ । ଏପରିକି ୬ମାସ ଯାଏଁ ଏହା ଉପରେ ସ୍ଥଗିତାଦେଶ ଜାରି କରି ସଂସଦରେ ନୂଆ ଆଇନ ଆଣିବାକୁ ଦେଇଥିଲେ ପରାମର୍ଷ । ଶେଷରେ ୩-୨ ବହୁମତରେ ତିନି ତଲାକ ବ୍ୟବସ୍ଥାକୁ ଅସାମ୍ବିଧାନକ ଘୋଷଣା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସୁପ୍ରିମକୋର୍ଟଙ୍କ ଏହି ଯୁଗାନ୍ତକାରୀ ରାୟକୁ ଦଳମତ ନିର୍ବିଶେଷରେ ସବୁ ମହଲରୁ ସ୍ୱାଗତ କରାଯାଇଛି । ତିନି ତଲାକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପ୍ରାୟ ୭ଟି ଭିନ୍ନଭିନ୍ନ ପିଟିସନ କରାଯାଇଥିଲା । ପୂର୍ବରୁ ଏହା ମୁସଲମାନ ମହିଳାଙ୍କ ସମାନତାର ଅଧିକାର କ୍ଷୁର୍ଣ୍ଣ କରୁଥିବା ଦର୍ଶାଇ କୋର୍ଟରେ ବିରୋଧ କରିଥିଲେ କେନ୍ଦ୍ର ସରକାର । ଆଉ ଧର୍ମୀୟ ଭାବନା ସହ ଜଡିତ ଏହି ସମ୍ବେଦନଶୀଳ ପ୍ରସଙ୍ଗର ବିଚାର ପାଇଁ ଭିନ୍ନଭିନ୍ନ ୫ଟି ଧର୍ମର ବିଚାରପତିଙ୍କୁ ନେଇ ଗଠନ କରାଯାଇଥିଲା ସାମ୍ବିଧାନିକ ଖଣ୍ଡପୀଠ ।

ବିଶ୍ୱର ପାଖାପାଖି ୨୦ଟି ଦେଶରେ ତିନି ତଲାକକୁ ବେଆଇନ ଘୋଷଣା କରାଯାଇଥିବାବେଳେ ଭାରତରେ ଏହାକୁ ନେଇ ବାରମ୍ବାର ବିବାଦ ଉଠିଛି । ଶରିଆ ଆଇନ ଅନୁସାରେ ମୁସଲମାନ ସଂପ୍ରଦାୟରେ ଯେକୌଣସି ପୁରୁଷ ଚାହିଁଲେ ନିଜ ସ୍ତ୍ରୀଙ୍କୁ ତିନିଥର ତଲାକ କହି ବିବାହ ବିଚ୍ଛେଦ କରିପାରୁଥିଲେ । ତଲାକ ପରେ ପୁରୁଷ ବିବାହ ବନ୍ଧନରୁ ମୁକ୍ତ ହେଉଥିବାବେଳେ ମହିଳାଙ୍କ ଜୀବନ ଦୁର୍ବିସହ ହୋଇପଡୁଥିଲା । ଏବେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସେପ୍ଟେମ୍ବର ୧୦ରେ ଭୋପାଲରେ କାର୍ଯ୍ୟକାରୀ ବୈଠକରେ ଆଗାମୀ ପଦକ୍ଷେପ ନେଇ ଆଲୋଚନା କରାଯିବ ବୋଲି କହିଛି ମୁସଲିମ ପର୍ସନାଲ ଲ ବୋର୍ଡ ।

ଟେଲିଗ୍ରାମ, ଟେଲିଫୋନ କିମ୍ବା ହ୍ୱାଟ୍ସଆପରେ ମଧ୍ୟ ମୁସଲମାନ ମହିଳାଙ୍କୁ ତିନି ତଲାକ କହି ବିବାହ ବନ୍ଧନରୁ ମୁକ୍ତ ହେବା ପରମ୍ପରାରେ ପୂର୍ଣ୍ଣଛେଦ ଟାଣିଛି ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ।

ଟ୍ରିପଲ ତଲାକକୁ ନେଇ ଏହି ଐତିହାସିକ ରାୟ, ମନେ ପକାଇ ଦେଉଛି ଭଦ୍ରକର ନଜମା ବିବିଙ୍କ କାହାଣୀ । ଯିଏ, ନ୍ୟାୟ ପାଇବା ପାଇଁ ଭଦ୍ରକରୁ ଦିଲ୍ଲୀ ଯାଏଁ ଯାଇଥିଲେ । ନିଶାଗସ୍ତ ଅବସ୍ଥାରେ ସ୍ୱାମୀ କହିଥିବା ତିନିଥର ତଲାକ୍ କେମିତି ଗୋଟିଏ ପରିବାର ଉଜାଡି ଦେଇଥିବା, ତାହା ଆଜିବି କାହା ମନରୁ ଲିଭିନି । ଆଉ ଆଜି ଯେତେବେଳେ ଏହି କୁପରମ୍ପରାକୁ ସୁପ୍ରିମକୋର୍ଟ ରଦ୍ଧ କରିଛନ୍ତି, ଏହାକୁ ସ୍ୱାଗତ କରିଛନ୍ତି ନଜମା ଏବଂ ତାଙ୍କ ପାଇଁ ଲଢ଼େଇ କରିଥିବା ସ୍ୱେଚ୍ଛାସେବୀ ସେଖ୍ ସୋଫିଆ ।

ଜୁଲାଇ ୨୦୦୩ :
vlcsnap-2017-08-22-19h25m50s074ନଜମାଙ୍କ ଜୀବନରେ ଆସିଲା ଝଡ଼ । ଭାଙ୍ଗି ଗଲା ନଜମାଙ୍କ ସୁନାର ସଂସାର । ଆଉ ଏହା ପଛରେ ଥିଲା, ସାରିଆ ପ୍ରଥା ଅନୁସାରେ ଚାଲି ଆସିଥିବା ତଲାକ୍ ବ୍ୟବସ୍ଥା । ଘରୋଇ କଳିକୁ ନେଇ ସ୍ୱାମୀ-ସ୍ତ୍ରୀ ଝଗଡ଼ା ହେଲା, ଏବଂ ନଜ୍ମାଙ୍କ ସ୍ୱାମୀ ଶେଖ୍ ମହମ୍ମଦ ଓରଫ୍ ସେରୁ ନିଶାଗସ୍ତ ଅବସ୍ଥାରେ, ରାଗରେ ତିନିଥର ତଲାକ୍ କହିଦେଇଥିଲେ । ହେଲେ ସକାଳ ପାଇଲା ବେଳକୁ ସ୍ୱାମୀ-ସ୍ତ୍ରୀ ସଂପର୍କରେ ଆଗରେ ଛିଡ଼ା ହୋଇଥିଲା ସମାଜ । ତଲାକ୍ କହି ଦେଇଥିବାରୁ ଉଭୟଙ୍କୁ ଅଲଗା କରିବାରେ ଲାଗି ପଡ଼ିଥିଲା ବ୍ୟବସ୍ଥା ।

ନିଜ ୪ ପିଲାଙ୍କ ସହ ସ୍ୱାମୀଙ୍କ ଘର ଛାଡିବାକୁ ବାଧ୍ୟ କରାଯାଇଥିଲା ନଜ୍ମାଙ୍କୁ । ଆଉ ଏଭଳି ଘଡି ସନ୍ଧି ମୁହୁର୍ତରେ ନଜମାଙ୍କ ପାଖରେ ଠିଆ ହୋଇଥିଲେ ସ୍ୱେଚ୍ଛାସେବୀ ସେଖ୍ ସୋଫିଆ । ନ୍ୟାୟର ଏହି ଲଢ଼େଇ ସ୍ଥାନୀୟ ଅଦାଲତରୁ ସୁପ୍ରିମକୋର୍ଟ ଯାଏଁ ଯାଇଥିଲେ ନଜମା । ଆଉ ଶେଷରେ ନଜମାଙ୍କ ମିଳିଥିଲା ନ୍ୟାୟ ।

ପ୍ରାୟ ୧୪ଶହ ବର୍ଷର ଏହି ପୁରୁଣା ପରମ୍ପରା ଉପରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିିଛି । ଆଉ ଏହି ଐତିହାସିକ ରାୟ ଆସିବା ପରେ ନଜମାଙ୍କ ପାଇଁ ଲଢ଼େଇ କରିଥିବା ସେକ୍ ସୋଫିଆ ଏହାକୁ ସ୍ୱାଗତ କରିଛନ୍ତି ।  ଏଣିକି ନଜମାଙ୍କ ଭଳି ଆଉ କୌଣସି ମହିଳା, ଆଉ ତଲାକ୍ର ଫାସରେ ଛନ୍ଦି ହେବେ ନାହିଁ । ଦେଶର ସ୍ୱାଧିନତାର ୭୦ ବର୍ଷରେ ପରେ ମୁସଲିମ୍ ମହିଳାଙ୍କୁ ମିଳିଛି ମୁକ୍ତିର ଆନନ୍ଦ ।