ଆଜି ରାଜ୍ୟସଭାରେ ଆସିପାରେ ଟ୍ରିପଲ ତଲାକ ବିଲ୍  ! ବିଜେଡି ସମେତ ବିରୋଧୀ ଆଣିପାରନ୍ତି ସଂଶୋଧନ ପ୍ରସ୍ତାବ

24

କନକ ବ୍ୟୁରୋ: ଆଜି ରାଜ୍ୟସଭାରେ ଆସିପାରେ ଟ୍ରିପଲ ତଲାକ ବିଲ । ଲୋକସଭାରେ ସଂଖ୍ୟା ବଳରେ ବିନା ସଂଶୋଧନରେ ପାରିତ ହୋଇଥିବା ଏହି ବିଲକୁ ଏବେ ରାଜ୍ୟସଭାରେ ଆଗତ କରାଯିବ । ତେବେ ଚଳିତ ଶୀତକାଳୀନ ଅଧିବେଶନରେ ଏହି ବିଲ ପାସ ହେବା ସମ୍ଭାବନା କମ ରହିଛି । ବିରୋଧୀ ଏହି ବିଲକୁ ଷ୍ଟାଡିଂ କମିଟି ପାଖକୁ ପଠାଇବା ଦାବିରେ ସଂଖ୍ୟାବଳକୁ ପ୍ରୟୋଗ କରିପାରନ୍ତି । କାରଣ ଲୋକସଭାରେ କଂଗ୍ରେସର ଏହି ଦାବିକୁ ଅଗ୍ରାହ୍ୟ କରାଯାଇଥିଲା ।

ରାଜ୍ୟସଭାରେ ବିଜେପି ସରକାରଙ୍କ ପାଖରେ ବହୁମତ ନାହିଁ । ତେଣୁ ବିଲକୁ ପାରିତ କରିବା ପାଇଁ ହେଲେ ବିରୋଧୀଙ୍କ ସମର୍ଥନ ଦରକାର । ରାଜ୍ୟସଭାରେ ୫୭-୫୭ ବିଜେପି ଓ କଂଗ୍ରେସ ସାଂସଦ ଥିବା ବେଳେ ୭୫ଜଣ ଆଂଚଳିକ ଓ ବାମ ଦଳର ସାଂସଦ ଅଛନ୍ତି ।

ସେପଟେ, ବିଲରେ ଏଆଇଏଡିଏମକେ ଓ ବିଜେଡି କିଛି ସଂଶୋଧନ ଚାହୁଁଛନ୍ତି । ତେଣୁ ରାଜ୍ୟସଭାରେ ବିଲ ପାଶ ହେବା ଏତେ ସହଜ ନୁହେଁ । ବିଲରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଆଣିପାରେ ବିଜେଡି । ଲୋକସଭାରେ ଯେଉଁ ଆଭିମୁଖ୍ୟ ଆପଣେଇଥିଲେ ବିଜେଡି  ଠିକ୍ ସେହିଭଳି ଆଭିମୁଖ୍ୟ ଆପଣେଇପାରେ ରାଜ୍ୟସଭାରେ । ରାଜ୍ୟସଭାରେ  ଏଡିଏ ସାଂସଦଙ୍କ ସଂଖ୍ୟା ୮୮  ରହିଥିବାବେଳେ  ବିଲ ପାସ୍ ପାଇଁ ଆଉ ୩୫ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । କଂଗ୍ରେସର ସମର୍ଥନ ପାଇଁ ବିଚାରବିମର୍ଶ ଚାଲିଛି । ବିଜେଡି ସମେତ କିଛି ଦଳ ବିଲକୁ ଷ୍ଟାଣ୍ଡିଂ କମିଟିକୁ ପଠାଇବାକୁ ଦାବି କରିପାରନ୍ତି ।