କନକ ବ୍ୟୁରୋ : ଆଦିବାସୀ ଅଧ୍ୟୁଷିତ ଦୂର୍ଗମ ଅଞ୍ଚଳରେ ମିଶନଶକ୍ତି ପହଞ୍ଚି ଆଦିବାସୀ ମହିଳାଙ୍କ ମୁହଁରେ ହସ ଫୁଟାଇଛି । ସେମାନଙ୍କୁ ସ୍ୱାବଲମ୍ବି କରିବା ସହ ରୋଜଗାରକ୍ଷମ କରିପାରିଛି । ଯେଉଁଥିରେ ବେଶ୍ ଖୁଶି ଅଛନ୍ତି ଆଦିବାସୀ ମହିଳା ।

Advertisment

ରୋଜଗାର କରିବାର ଅନେକ ମାଧ୍ୟମ ରହିଛି । କେବଳ ଚାକିରି କରି ଯେ ପେଟ ପୋଷି ହେବ ତା’ ନୁହେଁ । ବର୍ତମାନ ସମୟରେ ଚାଷ ତଥା ପଶୁପାଳନରେ ଅନେକ ସୁଯୋଗ ରହିଛି । ଏହି ସୁବିଧା ସୁଯୋଗର ଲାଭ ଉଠାଉଛନ୍ତି ଗ୍ରାମାଞ୍ଚଳର ମହିଳା । ରାୟଗଡ଼ା କୋଲନରା ଅଞ୍ଚଳର ମହିଳା ମାନେ ମିଶନଶକ୍ତି ସହାୟତାରେ ପ୍ରଥମେ ୨ଲକ୍ଷ ୩୦ ହଜାର ଟଙ୍କା ବିନିଯୋଗ କରି ଆରମ୍ଭ କରିଛନ୍ତି ଛେଳି ଫାର୍ମ । ପ୍ରଥମେ ଛେଳି ରହିବା ପାଇଁ ବାଉଁଶରେ ଘର କରି ୩୨ଟି ଛେଳି ଓ ୨ଟି ବୋଦା କିଣି ଏହାକୁ ପାଳନ କରିଥିଲେ । ଏବେ ଛେଳି ଛୁଆ ଜନ୍ମ କରିବା ସହ ଏହାର ସଂଖ୍ୟା ମଧ୍ୟ ବଢ଼ିଛି । ବର୍ତମାନ ଏହାର ବଜାର ଦର ପାଖାପାଖି ୪ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆଶା କରାଯାଉଛି । ୧୦ ଜଣ ଏସଏଚଜି ମହିଳା ଏହି ଫାର୍ମର ଦେଖା ରଖା କରୁଛନ୍ତି । ଛେଳିଗୁଡ଼ିକୁ ଚରେଇବା ସହ ସେମାନଙ୍କୁ ଖାଦ୍ୟ ଦେବା ଭଳି ସମସ୍ତ କାମ କରୁଛନ୍ତି ।

ଖାଲି ଏତିକି ନୁହେଁ ମିଶନ ଶକ୍ତି ଗାୟତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦୁଇଟି ପଞ୍ଚାୟତର ବିଦ୍ୟୁତ୍ ବିଲ ସଂଗ୍ରହ କରିବାର ଦାୟିତ୍ୱ ଦେଇଛି । ଯେଉଁଥିରେ ମହିଳା ମାନେ ସିଧାସଳଖ ଉପଭୋକ୍ତା ମାନଙ୍କ ଠାରୁ ଇଲେକ୍ଟିକ୍ ବିଲ ସଂଗ୍ରହ କରୁଛନ୍ତି । ଘର ପିଛା ଏମାନଙ୍କୁ ୧୦ ଟଙ୍କା ଲେଖାଏଁ ମିଳୁଛି । ଏହାଦ୍ୱାରା ମାସକୁ ସେମାନଙ୍କ ୧୫ ହଜାର ଟଙ୍କା ମିଳିପାରୁଛି । ଏହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଛି ।

କୋଲନରା ବ୍ଲକ କୈଳାସପୁର ପଂଚାୟତର ସରାବୁଗୁଡ଼ା ଗାଁରେ ବସବାସ କରନ୍ତି ଏହି ମହିଳା ମାନେ । ଏଠାକାର ଅଧିବାସୀ ଚାଷବାସ ଉପରେ ନିର୍ଭର କରୁଥିବା ବେଳେ ପାଣି ସମସ୍ୟା ପାଇଁ କେବଳ ବର୍ଷା ଦିନେ ଏଠାରେ ଯାହା ଚାଷ ହୋଇଥାଏ । ଅବଶିଷ୍ଟ ସମୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରି କରି ଚଳନ୍ତି । ଏବେ ମିଶନ ଶକ୍ତି ସହାୟତାରେ ମହିଳା ମାନେ ଆତ୍ମନର୍ଭର ହେବା ପାଇଁ ବାଟ ଫିଟିଛି ।