ଗୋଟିଏ ଦେଶ ଗୋଟିଏ ରାସନକାର୍ଡ: ଏଣିକି ଗାଁ ଛାଡ଼ିଲେ ବି ଆଉ ରହିବନି ରାସନ ଚିନ୍ତା

ହିତାଧିକାରୀଙ୍କୁ କରିବାକୁ ହେବ ରାସନ୍ କାର୍ଡ ସହ ଆଧାର କାର୍ଡର ଲିଙ୍କ୍; ଜୁଲାଇ ୧ ତାରିଖ, ୨୦୨୦ ଭିତରେ ସାରା ଦେଶରେ ହେବ ଲାଗୁ

1,205

କନକ ବ୍ୟୁରୋ: ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ । ଆସନ୍ତାମାସ ୧ ତାରିଖରୁ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ବ୍ୟବସ୍ଥା । ଅର୍ଥାତ୍ ଏଣିକି ଆପଣ ଯେଉଁ ସ୍ଥାନରେ ଥିଲେ ବି ରାସନ୍ ସାମଗ୍ରୀ, ଯେକୌଣସି କଂଟ୍ରୋଲ ଦୋକାନରୁ ଉଠାଇ ପାରିବେ । ଆପଣଙ୍କୁ କେବଳ ରାସନ୍ କାର୍ଡ ସହ ଆଧାର ଲିଙ୍କ୍ କରିବାକୁ ହେବ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଭୁବନେଶ୍ୱର ମହାନଗର ନିଗମରୁ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଆଉ ୨୦୨୦ ଜୁଲାଇ ପହିଲା ସୁଦ୍ଧା ଏହି ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ ବ୍ୟବସ୍ଥା ସାରା ଦେଶରେ ଲାଗୁ କରିବାକୁ ଲକ୍ଷ୍ୟ ରହିଛି ।

ୱାନ ନେସନ୍ ଓାନ ରାସନକାର୍ଡ ବା ଗୋଟିଏ ଦେଶରେ ଗୋଟିଏ ପଡ଼ିକାର୍ଡ୍ ସାରା ଦେଶରେ ଜୁଲାଇ ୧, ୨୦୨୦ରୁ ଲାଗୁ ହେବା ପାଇଁ ଯାଉଛି । ଓଡିଶାରେ ଏହାକୁ ଲାଗୁ କରିବା ପାଇଁ ଅଂଟାଭିଡିଛନ୍ତି ସରକାର । ଆସନ୍ତା ୧ତାରିଖରୁ ପ୍ରଥମ ପର୍ଯ୍ୟାୟରୁ ପାଇଲଟ୍ ବେସସିରେ ଭୁବନେଶ୍ୱର ମହାନଗର ନିଗମରୁ ଏହା ଆରମ୍ଭ ହେବ । ପରେ ଏହାକୁ ସାରା ରାଜ୍ୟରେ ଲାଗୁ କରାଯିବ ବୋଲି କହିଛନ୍ତି  ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର  ପ୍ରତାପ ସ୍ୱାଇଁ ।

ଓଡ଼ିଶାରେ ୩ କୋଟି ୨୬ ଲକ୍ଷ ୪୧ ହଜାର ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇଛନ୍ତି । ଯାହା ମୋଟ୍ ଜନସଂଖ୍ୟାର ପ୍ରାୟ ୭୮ ପ୍ରତିଶତ । ସେପଟେ ୨୦୧୮ ଗାନ୍ଧୀ ଜୟନ୍ତୀ ଦିନ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ବାଦ ପଡ଼ିଥିବା ୨୫ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଛି । ତେଣୁ ଏହି ହିତାଧିକାରୀଙ୍କ ରାସନ୍କାର୍ଡକୁ ଆଧାର ଲିଙ୍କ କରି  ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ଯୋଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ହିତାଧିକାରୀଙ୍କୁ କ’ଣ ମିଳିବ ସୁବିଧା?

– ଯେକୌଣସି ସହର ବା କଂଟ୍ରୋଲ ଦୋକାନରୁ ମିଳିପାରିବ ରାସନ ସାମଗ୍ରୀ

– ରାସନ ପାଇଁ ଆଉ ନିଜସ୍ୱ ଠିକଣାକୁ ଯିବା ପାଇଁ ପଡ଼ିବ ନାହିଁ

– ରାସନ କାର୍ଡ ଜରିଆରେ ଚାଉଳ, ଗହମ, କିରୋସିନ୍ ଭଳି ସାମଗ୍ରୀ ଉଠାଇହେବ

ଏହାରି ଭିତରେ ରାସନକାର୍ଡକୁ  ଆଧାର ଲିଙ୍କ ପାଇଁ ଧରପଗଡ ଆରମ୍ଭ କରିଛନ୍ତି ସରକାର । ଏନେଇ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ଯେ, ସବୁ ରାସନ କାର୍ଡକୁ ଆଧାର ଲିଙ୍କ କରିବା ପାଇଁ । ଯାହା ଫଳରେ କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ ତାହା ଚିହ୍ନଟ କରିବାରେ ଅସୁବିଧା ରହିବ ନାହିଁ ।