ଥରିଲା ମିଆଁମାର: ଉତ୍ତରଭାରତରେ ମଧ୍ୟ ପ୍ରଭାବ ଅନୁଭୂତ ।

76

କନକ ବ୍ୟୁରୋ: ଶୁକ୍ରବାର ଭୋର ସମୟରେ ମିଆଁମାର୍‌ରେ ସଂଗଠିତ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଉତ୍ତରପୂର୍ବ ଭାରତରେ କମ୍ପନ ଅନୁଭୂତ ହୋଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ଗତ ରାତି ୩.୫୨ରେ ମିଆଁମାର୍‌ରେ ସଂଗଠିତ ଉକ୍ତ ଭୂମିକମ୍ପ ତୀବ୍ରତା ୫.୨ ଥିବା କଥା ରିକ୍ଟରସ୍କେଲ୍‌ରୁ ଜଣାପଡ଼ିଛି। ଏହାର ପ୍ରଭାବରେ ମଣିପୁର, ନାଗାଲାଣ୍ଡ୍‌ ଦକ୍ଷିଣ ଆସାମ ଓ ମେଘାଳୟ ସମେତ କେତେକ ଉତ୍ତରପୂର୍ବ ଭାରତୀୟ ପ୍ରଦେଶରେ ଭୂକମ୍ପନ ଅନୁଭୂତ ହୋଇଛି।

ମିଆଁମାର୍‌ ଅନ୍ତର୍ଗତ ବର୍ମାର ଉତ୍ତରପଶ୍ଚିମ ପ୍ରାନ୍ତକୁ ୧୬୨ ଦୂର ଏବଂ ଭୂଗର୍ଭର ୧୪୦ କିଲୋମିଟର୍‌ ଅଭ୍ୟନ୍ତରେ ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିଲା ବୋଲି ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସେସ୍ମୋଲୋଜି’ କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ଏଥିଯୋଗୁଁ ପଡ଼ୋଶୀ ବାଂଲାଦେଶର କେତେକ ପ୍ରାନ୍ତରେ ମଧ୍ୟ ଭୂକମ୍ପନ ଅନୁଭୂତ ହୋଇଛି। ଭୂମିକମ୍ପ ହୋଇଥିବା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ସୂଚନାଯୋଗ୍ୟ, ଗତକାଲି ମଧ୍ୟ ଆଣ୍ଡାମାନ ଓ ନିକୋବର ଦ୍ୱୀପ ଅନ୍ତର୍ଗତ ଦିଗିଲପୁରର ଉତ୍ତରକୁ ପ୍ରାୟ ୧୫୦ କିଲୋମିଟର୍‌ ଦୂରରେ ୪.୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ସୈସ୍ମୋଲୋଜି’ ପକ୍ଷରୁ କୁହାଯାଇଛି ।