ବିଧାୟକଙ୍କ କ୍ୱାର୍ଟର ପାଇଁ ବେଧଡକ କଟା ଚାଲିଛି ଗଛ : ବଳି ପଡିଲାଣି ଶତାଧିକ ମହାଦ୍ରୁମ

256

କନକ ବ୍ୟୁରୋ : ତାତିରେ ଯେତେବେଳେ ରାଜଧାନୀ ଜଳୁଛି, ପରିବେଶ ସନ୍ତୁଳନ ବିଗିଡିଗଲାଣି । ଆଗକୁ ଆହୁରି ଭୟଙ୍କର ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ସେତିକିବେଳେ ବିଧାୟକଙ୍କ ସୌଧ ପାଇଁ କଟା ଚାଲିଛି ବଡ ବଡ ଗଛ । ଗୋଟିଏ କି ଦୁଇଟି ନୁହେଁ ଶହ ଶହ ଗଛକୁ କାଟି ଦିଆଗଲାଣି । ଆଗକୁ ଆହୁରି ବହୁ ଗଛ କଟାଯିବାକୁ ଅଛି । ଯେଉଁ ଗଛଗୁଡିକୁ ବଢ଼ିବା ଲାଗି ୫୦ ବର୍ଷରୁ ଅଧିକ ସମୟ ଲାଗିଥିଲା ସେହି ଗଛ ଗୁଡିକୁ ମାତ୍ର କେତେ ଘଣ୍ଟାରେ କାଟି ଦିଆଯାଉଛି । ବିଧାନସଭା ପାଖରେ ଏମଏଲଏ କ୍ୱାଟର୍ସ ହେବ ।

ବହୁତଳ ସୌଖୀନ ଆପାର୍ଟମେଣ୍ଟରେ ବିଧାୟକମାନେ ରହିବେ । ସେହି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଏବେ ଏମଏଲଏ କଲୋନୀ ପାର୍କରେ ମାରାଥନ ଗଛ କଟା ଚାଲିଛି । ଗଛ କାଟି ସଫା କରିବାକୁ ଖୋଦ ଜଙ୍ଗଲ ବିଭାଗ କର୍ମଚାରୀମାନେ ଲାଗି ପଡିଛନ୍ତି । ଇଲେକ୍ଟ୍ରିକ୍ ଚେନ୍ ମେସିନ ଲଗାଇ ନଚେତ୍ ଜେସିବି ମେସିନରେ ତାଡି ପକାଉଛନ୍ତି । ୟୁନିଟ୍ -୪ରେ ଥିବା ଏମଏଲଏ ପାର୍କରେ ବର୍ଷ ବର୍ଷ ଧରି ଛିଡା ହୋଇଥିଲା ବର, ଅଶ୍ୱତଥ୍, ବଉଳ, ଆମ୍ବ, ନିମ୍ବ, ପଣସ, ବେଲ , କରଞ୍ଜ, କଦମ୍ବ , ଦେବଦାରୁ, ରାଧାଚୂଡା, ଚମ୍ପା, ଅଶୋକ ଭଳି ବହୁ ମୂଲ୍ୟବାନ ବୃକ୍ଷ । ପୂରା ଅଂଚଳ ସବୁଜ ବଳୟରେ ଭରି ରହିଥିଲା ।

କିଛି ବର, ଅଶ୍ୱତଥ , ଆମ୍ବ ଗଛ ପୁରୁଣା ହୋଇ ମହାଦ୍ରୁମରେ ପାଲଟି ଯାଇଥିଲା । ଫନି ବାତ୍ୟା ସମୟରେ ଏଠାରେ ପ୍ରାୟ ହଜାରେ ଗଛ ଉପୁଡି ପଡିଥିଲା । ବାକି ଗଛ ବାତ୍ୟାକୁ ସହି ମୁଣ୍ଡ ଟେକି ଛିଡା ହୋଇଥିଲା । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ବାତ୍ୟା ସିନା ହାର ମାନିଥିଲା, କିନ୍ତୁ ସରକାରୀ ଷଡଯନ୍ତ୍ର ଆଗରେ ଏହି ମହାଦ୍ରୁମ ବର୍ତି ପାରିଲେନି । ସବୁଜିମା ଭରା ପରିବେଶରେ ଉଛୁଳୁଥିବା ଏହି ଅଂଚଳ ଏବେ ଟାଙ୍ଗରା ହେବାକୁ ବସିଲାଣି ।