ବିଦେଶ ଯିବାକୁ ଚାହୁଁଥିଲେ ୮୪ ଦିନ ପୂର୍ବରୁ ବି ନେଇପାରିବେ କୋଭିସିଲ୍ଡ ଟିକା : ଛାତ୍ରଛାତ୍ରୀ, ଚାକିରିଆ ଓ ଖେଳାଳୀଙ୍କ ପାଇଁ ନିୟମ କୋହଳ କଲେ ସରକାର

470

କନକ ବ୍ୟୁରୋ : ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ, ଚାକିରିଆ ଓ କ୍ରୀଡାବିତଙ୍କ ପାଇଁ ଟିକା ନିୟମକୁ ପରିବର୍ତନ କରିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କିତ କ୍ଷମତାପ୍ରାପ୍ତ ଗୋଷ୍ଠୀର ଅନୁମୋଦନ ପରେ ନିୟମ କୋହଳ ହୋଇଛି ।

ନୂଆ ନିୟମ ଅନୁସାରେ ୮୪ ଦିନ ପୂର୍ବରୁ ମଧ୍ୟ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ନେଇପାରିବେ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ କିମ୍ବା ଚାକାରିଆ । କିନ୍ତୁ ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ହିଁ ଦ୍ୱିତୀୟ ଡୋଜ୍ ନେବାକୁ କୁହାଯାଇଛି । ଟୋକିଓ ଅଲିମ୍ପିକ୍ସରେ ଯୋଗଦେବାକୁ ଥିବା ଭାରତୀୟ ଖେଳାଳି ମଧ୍ୟ ୮୪ ଦିନ ପୂର୍ବରୁ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ନେଇପାରିବେ । କାରଣ ବିଦେଶ ଯିବା ପାଇଁ ଦୁଇଟି ଡୋଜ୍ କୋରନା ଟିକା ବାଧ୍ୟତାମୂଳକ ରହିଛି ।

ଏହାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଜଣେ ଲେଖାଏଁ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିବେ । ଏହି ଅଧିକାରୀ ହିଁ ଆବଶ୍ୟକ ନଥିପତ୍ର ଯାଂଚ୍ କରି ୮୪ ଦିନ ପୂର୍ବରୁ ଟିକା ଦେବାଲାଗି ସ୍ଥିର କରିବେ । ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନର ନାମଲେଖା ପ୍ରମାଣପତ୍ର ଏବଂ ଚାକିରିଆଙ୍କୁ ସଂସ୍ଥାର ନିଯୁକ୍ତି ପତ୍ର ଦେବାକୁ ପଡିବ । ଖେଳାଳିମାନେ ମଧ୍ୟ ବୈଧ ଡକ୍ୟୁମେଂଟ ଦେଇ ୮୪ ଦିନ ଆଗରୁ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ନେଇପାରିବେ ।