ଭଦ୍ରକରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ: ଗାଡି ଚଳାଚଳ ବାଧାପ୍ରାପ୍ତ, ଲୋକେ ଆତଙ୍କିତ

127

କନକ ବ୍ୟୁରୋ: ଭଦ୍ରକର ୧୬ ନଂବର ଜାତୀୟ ରାଜପଥ ରାହାଂଚ ଛକ ନିକଟରେ ଗ୍ୟାସ୍ ଲିକ୍ କାରଣରୁ ପ୍ରାୟ ୧୨ ଘଂଟାରୁ ଅଧିକ ସମୟ ଧରି ବନ୍ଦ ରହିଥିବା ଗାଡି ଚଳାଚଳ ସ୍ୱଭାବିକ ହୋଇଛି । ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାର ଶିକାର ହେବା ପରେ ଏଥିରୁ ଗ୍ୟାସ୍ ଲିକ୍ ହେବା ଆରମ୍ଭ କରିଥିଲା । ଗ୍ୟାସ୍ ଲିକ୍ କାରଣରୁ ଶୁକ୍ରବାର ରାତିରୁ ରାହାଂଚ ଛକ ଓ ଆଖପାଖ ଅଂଚଳରେ ଆତଙ୍କ ଖେଳିଯାଇଥିଲା ।

ପୁରା ଅଂଚଳକୁ ଗ୍ୟାସ୍ ବ୍ୟାପିବା ପରେ ବିଦ୍ୟୁତ୍ କାଟ୍ କରାଯିବା ସହିତ ରୋଷେଇ ବନ୍ଦ ରଖିବାକୁ ନିବେଦନ କରିଥିଲା ପ୍ରଶାସନ । ଭଦ୍ରକ ଗ୍ରାମାଂଚଳ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଉଦ୍ୟମ କରିଥିଲା । ଏହା ବନ୍ଦ ନହେବାରୁ ବାଲେଶ୍ୱର ଓ କଟକରୁ ସ୍ପେଶାଲ ଟିମ୍ ଉଦ୍ୟମ କରି ଗ୍ୟାସ୍ ଲିକ୍ ବନ୍ଦ କରିଥିଲେ । ଏବେ ୧୬ ନଂବର ଜାତୀୟ ରାଜପଥରେ ରାହାଂଚ ଦେଇ ଗାଡି ଚଳାଚଳ ସ୍ୱଭାବିକ ହୋଇଛି । କହିବାକୁ ଗଲେ ଏକ ବଡ ଧରଣର ଅଘଟଣ ବି ଟଳିଯାଇଛି ।