ନ୍ୟୁ ଇଣ୍ଡିଆର ନୂଆ ଚିତ୍ର। ରାଜପଥ ଏବେ କର୍ତ୍ତବ୍ୟପଥ।

84

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ପାଇଁ କହିଥିଲେ । ଆଉ ତାଙ୍କ ପରିକଳ୍ପନାର ଏକ ଅଂଶ ଏବେ ଦିଲ୍ଲୀ ଇଣ୍ଡିଆ ଗେଟ୍ ପାଖରେ ସ୍ଥାନିତ ହୋଇଛି । ପୂର୍ବରୁ ଏହି ସ୍ଥାନ ରାଜପଥ ଭାବରେ ପରିଚିତ ଥିଲା । ଏବେ କିନ୍ତୁ କର୍ତବ୍ୟପଥ ବୋଲି ନାମକରଣ କରିଛନ୍ତି କେନ୍ଦ୍ର ସରକାର । ୧୦୧ ଏକରରେ ତିଆରି ହୋଇଛି ଲନ୍ । ୧୬.୫ କିଲୋମିଟର ପାଦଚଲା ରାସ୍ତା । ଏକା ସାଙ୍ଗରେ ୧୧୦୦ରୁ ଅଧିକ କାର, ୩୫ ବସ୍ ପାଇଁ ପାର୍କିଂ । ଆଉ ଏକା ସାଙ୍ଗରେ ୪୦୦ରୁ ଅଧିକ ବେଞ୍ଚ ରହିଛି । ଯେଉଁଠି ଲୋକ ଏକାଠି ବସି ମଜା ନେଇପାରିବେ । ଅଳିଆ ଆବର୍ଜନା ମୁକ୍ତ କରିବା ପାଇଁ ୧୫୦ ଡଷ୍ଟବିନର ବ୍ୟବସ୍ଥା ହୋଇଛି । ସେହିପରି ଦେଶର ବିଭିନ୍ନ ରାଜ୍ୟର ଥିବା ଖାଦ୍ୟ ଏଠାରେ ବିଭିନ୍ନ ଷ୍ଟଲରେ ଉପଲବ୍ଧ ହେବ ।

ସେହିପରି ଜାନୁଆରୀ ୨୩ପରିକ୍ରମା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ହଲୋଗ୍ରାମ ପ୍ରତିମୂର୍ତି ଅନାବରଣ କରିଥିଲେ । ଗ୍ରାନାଇଟରେ ନିର୍ମିତ ଏହି ପ୍ରତିମୂର୍ତି ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଯୋଗଦାନ ପାଇଁ ନେତାଜୀଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବା ସହିତ ଦେଶ ତାଙ୍କ ନିକଟରେ ଋଣୀ ହେବାର ପ୍ରତୀକ ପାଲଟିବ । ମୁଖ୍ୟ ସ୍ଥପତି ଆଦିତ୍ୟ ଯୋଗୀରାଜଙ୍କ ଦ୍ୱାରା ମନୋଲିଥିକ ଗ୍ରାନାଇଟ ପଥରରେ ନିର୍ମିତ ହୋଇଛି ଏହି ପ୍ରତିମୂର୍ତି ଏହାର ଉଚ୍ଚତା ୨୮ ଫୁଟ ଓ ଓଜନ ୬୫ ମେଟ୍ରିକ ଟନ ରହିଛି ।

କରୋନା ମହାମାରୀ ବେଳେ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ । ଆରମ୍ଭରୁ ବହୁ ବିବାଦ ଉପୁଜିବା ସହ ବହୁ ବାଧା ବିଘ୍ନ ମଧ୍ୟ ଆସିଥିଲା । ଏପରିକି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଏହି ପ୍ରକଳ୍ପ ବେଆଇନ ଭାବେ ନିର୍ମାଣ କରାଯାଉଥିବା କହି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିରୋଧୀ । ତେବେ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ ।

ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଜରିଆରେ ନୂଆ ସଂସଦ ଭବନ ତିଆରି ଚାଲିଛି । ଏହା ପୂର୍ବରୁ ଏହି ପ୍ରକଳ୍ପର ଗୋଟିଏ ଅଂଶ ପ୍ରସ୍ତୁତ ହୋଇଛି । ୨୦୧୯ରେ କେନ୍ଦ୍ର ସରକାର ଘୋଷଣା କରିଥିବା ଏହି ଭିଷ୍ଟା ପ୍ରକଳ୍ପ ଅଧିନରେ ଏକ ତ୍ରିକୋଣୀୟ ସଂସଦ ଭବନ ନିର୍ମାଣର ବ୍ୟବସ୍ଥା ରହିଛି । ଯେଉଁଥିରେ ୮୦୦ରୁ ୧୨ ଶହ ସାଂସଦ ବସିବାର ବ୍ୟବସ୍ଥା ରହିଛି । ଏହି ପ୍ରକଳ୍ପର ଆଉ ଏକ ପ୍ରମୁଖ ଅଂଶ କେନ୍ଦ୍ରୀୟ ସଚିବାଳୟ ଭବନର ନିର୍ମାଣ ୨୦୨୪ ସୁଦ୍ଧା ଶେଷ ହେବ ।