ବାଲେଶ୍ୱର ରୁଟରେ ଟ୍ରେନ ଚଳାଚଳ ସ୍ୱାଭାବିକ । ରେଳବ୍ରିଜରୁ ସ୍ଲାବ ଖସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ହେଲା ମରାମତି

ପ୍ରଥମେ ଟ୍ରେନକୁ ଡିଜେଲ ଇଞ୍ଜିନରେ ଚଳାଯିବା ସହ ପରେ କରାଯାଇଥିଲା ବିଦ୍ୟୁତ ସଂଯୋଗ

224

କନକ ବ୍ୟୁରୋ: ବାଲେଶ୍ୱର ରୁଟରେ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ । ବାଲେଶ୍ୱର ରେଳଷ୍ଟେସନ ଦକ୍ଷିଣ ପାଶ୍ୱର୍ରେ ନିର୍ମାଣଧୀନ ଏକ ଓଭରବ୍ରିଜ ଉପରୁ ଏକ ଲୁହାସ୍ଲାବ ଖସିପଡିଥିଲା । ଏହାସହ ଦୁଇଟି ସ୍ଲାବ ବଙ୍କା ହୋଇ ନଇ ପଡିଥିଲା । ଗାର୍ଡର ଖସିପଡିବା ଯୋଗୁଁ ରେଳଧାରଣା ଉପର ଦେଇ ଯାଇଥିବା ସମସ୍ତ ବିଦ୍ୟୁତ ତାର ଛିଡିପଡିଥିଲା । ଫଳରେ ବାଲେଶ୍ୱର ଦେଇ ଦକ୍ଷିଣ ପୂର୍ବ ରୁଟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ ବନ୍ଦ ରହିଥିଲା ।

ରେଳଧାରଣା ଯାଇଥିବା ଅଂଶର ଉଭୟ ପାଶ୍ୱର୍ରେ ନିର୍ମିତ ଦୁଇଟି ଖମ୍ଭ ଉପରେ କ୍ରେନ ସାହାଯ୍ୟରେ ୬ଟି ସ୍ଲାବ ବସାଯିବାର ଥିଲା । ଏହି କାମ ଚାଲିଥିବା ବେଳେ ଗୋଟିଏ ଗାର୍ଡର ତଳକୁ ଖସିପଡିଥିଲା । ପରେ ଦ୍ୱିତୀୟ ଓ ତୃତୀୟ ଗାର୍ଡର ମଧ୍ୟ ତଳକୁ ଓହଳି ପଡିଥିଲା । ଫଳରେ ବିଦ୍ୟୁତ ତାର ମଧ୍ୟ ଛିଣ୍ଡିଯାଇଥିଲା । ଅଘଟଣ ଆଶଙ୍କାରେ ସ୍ଥାନୀୟ ଅଂଚଳକୁ ଆରପିଏଫ ଓ ପୁଲିସ ଦ୍ୱାରା ସିଲ୍ କରିଦିଆଯାଇଥିଲା । ପରେ ଦକ୍ଷିଣ ପୂର୍ବ ରେଳପଥ ଖଡଗପୁର ଡିଭିଜନର ଡିଆରଏମ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ସମୀକ୍ଷା କରିବା ପରେ କାମ ଆରମ୍ଭ ହୋଇଥିଲା ।

କ୍ରେନ ସାହାଯ୍ୟରେ ସବୁ ଗାର୍ଡରକୁ ଉପରୁ ତଳକୁ ଆଣିବା ପରେ ପଡିଥିବା ଗାର୍ଡରକୁ ଗ୍ୟାସ କଟରରେ କଟାଯାଇ ରେଳଧାରଣା ଉପରୁ ହଟାଯାଇଥିଲା । ମରାମତି କାମ ସରିବା ପରେ ପ୍ରଥମେ ଅଟକି ରହିଥିବା ଟ୍ରେନ ଗୁଡିକୁ ଡିଜେଲ ଇଂଜିନ ସାହାଯ୍ୟରେ ଚଳାଯାଇଥିବା ବେଳେ ରାତି ୨ଟା ପରେ ବିଦ୍ୟୁତ ସଂଯୋଗ କରାଯାଇଥିଲା । ତେବେ ଓଭରବ୍ରିଜ କାମ ରେଳବାଇ ନିର୍ମାଣ ବିଭାଗ ଦ୍ୱାରା କରାଯାଉଥିବା ବେଳେ କେଉଁ କାରଣରୁ ସ୍ଲାବ ଖସିଲା ଓ ତ୍ରୁଟି ରହିଲା ତାହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ରେଳବାଇ ଡିଭିଜନାଲ ଟ୍ରାଫିକ ଇନସପେକ୍ଟର ।