ଏଣିକି ୧୫୩ ଟଙ୍କାରେ ଦେଖିବେ ୧୦୦ଟି ଚ୍ୟାନେଲ ! ଟିଭି ଗ୍ରାହକଙ୍କ ପାଇଁ ନୂଆ ନିୟମ ଆଣିଲା ଟ୍ରାଇ ।

1,544

କନକ ବ୍ୟୁରୋ : ଟିଭି ଦର୍ଶକଙ୍କ ପାଇଁ ଟ୍ରାଇ ଆଣିଲା ନୂଆ ନିୟମ । ଟ୍ରାଇର ନୂଆ ନିୟମ ଅନୁସାରେ ୧୫୩ ଟଙ୍କା ଦେଇ ଶହେଟି ଚ୍ୟାନେଲ ଦେଖିହେବ । ଏଥିରେ ଶହେଟି ଫ୍ରି ଏବଂ ପେ ଚ୍ୟାନେଲ ରହିବ । ଦର୍ଶକ ନିଜ ମନ ପସନ୍ଦର ଚ୍ୟାନେଲ ଚୟନ କରିପାରିବେ । ତେବେ ପେ ଚ୍ୟାନେଲ ପାଇଁ ନିର୍ଦ୍ଧାରିତ ଟଙ୍କା ଦେବାକୁ ପଡିବ । ଟ୍ରାଇର ଏହି ନିୟମ, ଆସନ୍ତା ଫେବୃଆରୀରୁ ଦର୍ଶକଙ୍କ ଟିଭି ଦେଖିବା ଆହୁରି ମହଙ୍ଗା କରିଦେବ ।

ଦର୍ଶକଙ୍କ ପାଇଁ ଟ୍ରାଇର ନୂଆ ନିୟମ । ୧୫୩ ଟଙ୍କାରେ ୧୦୦ ଟି ଚ୍ୟାନେଲ୍ । ଜାନୁଆରୀ ୩୧ ସୁଦ୍ଧା ଆପଣଙ୍କୁ ନିଜ ମନ ପସନ୍ଦର ଚ୍ୟାନେଲ୍ ଚୟନ କରିବାକୁ ପଡିବ । କାରଣ ଫେବୃଆରୀ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ଟ୍ରାଇର ନୂଆ ନିୟମ । ଟେଲିକମ୍ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆର ନୂଆ ନିୟମ ଅନୁସାରେ, ୧୫୩ ଟଙ୍କା ଦେଇ ଦେଖିହେବ ଶହେଟି ଚ୍ୟାନେଲ୍ । ଏହି ଶହେ ଚ୍ୟାନେଲ ମଧ୍ୟରେ ରହିବ ଉଭୟ ପେ ଏବଂ ଫ୍ରି ଚ୍ୟାନେଲ ।

ସର୍ବନିମ୍ନ ୧୩୦ ଟଙ୍କା ଏବଂ ଜିଏସଟିକୁ ମିଶାଇ ୧୫୩ ଟଙ୍କା ୪୦ ପଇସା କରାଯାଇଛି । ଯାହା ନେଟୱର୍କ କେପାସିଟି ଫିସ୍ ବାବଦରେ ଦିଆଯିବ । ଯଦି ଆପଣ ଶହେଟି ଫ୍ରି ଟୁ ଏୟାର ଚ୍ୟାନେଲ ଚୟନ କରିବେ, ତେବେ ଅଧିକ ଟଙ୍କା ଦେବାକୁ ପଡିବନାହିଁ । ଶହେଟି ଚ୍ୟାନେଲ ମଧ୍ୟରୁ ଯେତିକି ପେ ଚ୍ୟାନେଲ ଚୟନ କରିବେ, ସେଥିଲାଗି ଚ୍ୟାନେଲର ନିର୍ଦ୍ଧାରିତ ଟଙ୍କା ଦେବାକୁ ପଡିବ । ଟ୍ରାଇର ଏହି ନୂଆ ନିୟମକୁ ସମସ୍ତ ଘରୋଇ କେବୁଲ ଏବଂ ଡିଟିଏଚ୍ ସେବା ଯୋଗାଉଥିବା ଅପରେଟର ମାନିବାକୁ ନିଦ୍ଦେଶ ଦିଆଯାଇଛି ।

୧୫୩ ଟଙ୍କାରେ କଣ ?

୧୫୩ ଟଙ୍କାରେ ୧୦୦ ଚ୍ୟାନେଲ ପାଇଁ ନେଟୱର୍କ କେପାସିଟି ଫିସ୍ ବାବଦରେ ଟଙ୍କା ଦିଆଯାଉଛି । ଯଦି ଆପଣ କେବଳ ଫ୍ରି ୟୁ ଏୟାର ଚ୍ୟାନେଲ ଚୟନ କରିବେ, ତେବେ ଆପଣଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ତେବେ ପେ ଚ୍ୟାନେଲ ପାଇଁ ଆପଣଙ୍କୁ ପ୍ରତି ଚ୍ୟାନେଲ ଏବଂ ଚ୍ୟାନେଲ ପ୍ୟାକ୍ ହିସାବରେ ନିର୍ଦ୍ଧାରିତ ଟଙ୍କା ଦେବାକୁ ପଡିବ ।

ସେହିପରି ୧୦୦ରୁ ଅଧିକ ଚ୍ୟାନେଲ ପାଇଁ

ଯଦି ଆପଣ ଶହେରୁ ଅଧିକ ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି ତେବେ ଶହେ ଚ୍ୟାନେଲ ବାଦ୍ ପରବର୍ତୀ ୨୫ ଚ୍ୟାନେଲ ପାଇଁ ଅତିରିକ୍ତ ୨୦ ଟଙ୍କା ଦେବାକୁ ପଡିବ । ଟ୍ରାଇର ନୂଆ ନିୟମ ଅନୁସାରେ ଆଉ କିଛି ବି ଫ୍ରି ନାହିଁ । ଅର୍ଥାତ୍, ଟିଭି ଦେଖିବେ ତ ୧୫୩ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେବେ ବଡ କଥା ହେଉଛି ଏହି ଶହେ ଚ୍ୟାନେଲ ମଧ୍ୟରୁ ଆପଣ ନିଜ ମନ ପସନ୍ଦର ଚ୍ୟାନେଲ ଚୟନ କରିପାରିବେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସର୍ବନିମ୍ନ ମୂଲ୍ୟ ଭିତରେ ଏଚଡି ଚ୍ୟାନେଲ ଗୁଡିକୁ ଅର୍ନ୍ତଭୁକ୍ତ କରାଯାଇନାହିଁ । ତେବେ ଚ୍ୟାନେଲ ଦରକୁ ସର୍ବାଧିକ ୧୯ ଟଙ୍କା ମଧ୍ୟରେ ରଖିବାକୁ ଟ୍ରାଇ ନିର୍ଦ୍ଦେଶ ଦେଇଛି ।