କେଇଟା କୁକୁଡା ଚୋରି କଲେ ବୋଲି ପିଟିପିଟି ଭିଡିଓ ଭାଇରାଲ କଲେ ଲୋକେ । ଲଜ୍ଜା ସହିନପାରି ଆତ୍ମହତ୍ୟାର ବାଟ ବାଛିନେଲେ ବ୍ୟକ୍ତି ।

332

କନକ ବ୍ୟୁରୋ: ସାମାନ୍ୟ କୁକୁଡା ସଂସାର ଉଜାଡ଼ିଦେଲା । ଦୁଇଟା କୁକୁଡ଼ା ଚୋରିର ଶାସ୍ତି ଭାଇରାଲ ଭିଡ଼ିଓ, ଆଉ ପରେ ସେହି ଭାଇରାଲ ଭିଡ଼ିଓ ଭାଙ୍ଗିଦେଲା ଶଙ୍ଖା, ମଥାରୁ ପୋଛିଦେଲା ସିନ୍ଦୂର । କୁକୁଡା ଚୋରି କରିବା ପରେ ଲୋକଙ୍କ ହାତରେ ଧରାପଡି ପ୍ରବଳ ମାଡ ଖାଇଥିଲେ । ଯାହାର ଭିଡିଓ ଭାଇରାଲ କରିଦେଇଥିଲେ ଲୋକ । ହେଲେ ଲୋକ ଲଜ୍ଜା ସହି ନପାରି ଶେଷରେ ଜୀବନ ହାରି ଦେଲେ କୋରାପୁଟ ବୋରିଗୁମ୍ମା ବ୍ଳକର କେନ୍ଦୁଡଗୁଡ଼ା ଗ୍ରାମର ନିଳାମ୍ବର ନାମକ ବ୍ୟକ୍ତି ।

ନିଳାମ୍ବରଙ୍କ ଯିବା ପରେ ଏହେଉଛି ତାଙ୍କ ପରିବାରର ଅବସ୍ଥା । ଭୂତାଣୁ ଭୟରେ ଭାଙ୍ଗିଥିବା ଭରସାର କାନ୍ଥକୁ ଦାଣ୍ଡପିଣ୍ଡାରେ ସଧବାରୁ ବିଧବା ସାଜି ବସିଛି ସ୍ତ୍ରୀ, ଆଉ ବାପାର ଫେରିବା ବାଟକୁ ଚାହିଁ ବସିଛନ୍ତି ଦୁଇ କୁନି କୁନି ପିଲା । ଆଉ ସେପଟେ ଭାଇର ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି ଭିନ୍ନକ୍ଷମ ଭାଇ । କାରଣ ପରିବାରର ଜୀବନ-ଜୀବିକା ଡଙ୍ଗାର ନାଉରୀ ଥିଲେ ନିଳାମ୍ବର । ସେ ରୋଜଗାର କଲେ ଘରେ ଚୁଲି ଜଳେ, ଜୀବନ ମୁହଁରେ ଦାନା ଗଣ୍ଡେ ଗଣ୍ଡେ ପଡେ, ହେଲେ ଏବେ କେମିତି ଚଳିବ ଏହି ପରିବାର?

ଚାଳ ଛପର ଘର, ଉପର ଛାତ ସାଜିଛି ପାଲ-ପଲିଥିନ୍ । ଘର ଭିତରେ ପଡ଼ିଛି କେଇଖଣ୍ଡ ମାଟି ଓ ରସ ବାସନ । ନିଳାମ୍ବର କୁଲି କାମ କରି ନିଜ ପରିବାର ଚଳାଉଥିଲେ । ହେଲେ ଲକଡାଉନ୍ ଲକ୍ଷ୍ମଣରେଖା ତାଙ୍କ ପରିବାର ପାଇଁ ସଂଘର୍ଷର ସୀମାରେଖାଠୁ ବଳିଗଲା । ଏତେ କଟକଣା ଆଉ କାମ ନମିଳିବାରୁ ପରିବାର ପାଟିରେ ମୁଠେ ଦାନା ଦେବାକୁ ଦଇବ ସଜାଇଦେଲା ଚୋର । ନିଳାମ୍ବର ନାଥିଲେ ପେଶାଦାର ଚୋର ନାଥିଲେ ଅପରାଧୀ, ବିଧାତା ଆଉ କଟକଣା ତାଙ୍କୁ ପ୍ରଥମ କରି କୁକୁଡ଼ା ଚୋର ବନାଇଦେଲା, ହେଲେ ଏହି ଚୋରି କରିବା ହିଁ ତାଙ୍କ ପାଇଁ କାଳ ହେବ ବୋଲି ସେ କେବେ କଳ୍ପନା କରିନଥିଲେ । ଗରିବୀ ଉପରେ ଭୋକର ଭୟ ଏତେ ଯେ, ଘରର ଭରସା ଭାଙ୍ଗିବା ପରେ ହତବାକ୍ ହୋଇପଡ଼ିଛି ପରିବାର ।

ଘଟଣାଟି ଏପରି ଥିଲା କି, ଗତ ତିନିଦିନ ତଳେ କୁକୁଡା ଚୋରି କରି ଲୋକଙ୍କ ହାତରେ ଧରା ପଡିଥିଲେ ନିଳାମ୍ବର । ଆଉ ଲୋକମାନେ ତାଙ୍କୁ ନିର୍ଦ୍ଦୁମ ମାଡ ମାରିଥିଲେ । ଭିଡିଓ କରି ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଦେଇଥିଲେ । ଫଳରେ ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟାର ବାଟ ବାଛିଦେଲେ ନିଳାମ୍ବର । ଆଉ ଅଧାବାଟରେ ଏହି ଅସହାୟ ପରିବାରକୁ ଛାଡି ଚାଲିଗଲେ । ତେବେ ନିଳାମ୍ବରଙ୍କ ମୃତ ପରେ ଏବେ ବାପା ଛେଉଣ୍ଡ ହୋଇଗଲେ ୨ ଟି କୁନି କୁନି ଛୁଆ । ଆଖିରେ ଆଖିଏ ସ୍ୱପ୍ନ ହେଲେ ପୂରଣ କରିବାକୁ ଆଉ ପାଖରେ ନାହାନ୍ତି ବାପା ।

ନିଳାମ୍ବରଙ୍କ ଆତ୍ମହତ୍ୟା ଆମ ଆଧୁନିକ ଓ ଶିକ୍ଷିତ ସମାଜକୁ ହଜାରେ ପ୍ରଶ୍ନ ଛିଡ଼ା କରିଛି । କେଉଁଠି ଆମ ମଣିଷ ସମାଜ? କେଇଟା କୁକୁଡ଼ା ଚୋରି ପାଇଁ କ’ଣ ଏତେ ବଡ ଶାସ୍ତି ? କିଏ ଏମାନଙ୍କୁ ଅଧିକାର ଦେଇଥିଲା ଆଇନକୁ ହାତକୁ ନେବାକୁ ? ଭୋକ ପାଇଁ ହୋଇଥିବା ଚୋରି ଭିଡ଼ିଓକୁ ଭାଇରାଲ କରିବା କେତେଦୂର ଠିକ୍? ନିଳାମ୍ବରକୁ ହୁଏତ ଲୋକମାନେ କୁକୁଡ଼ା ଚୋର ଭାବେ ପୋଲିସରେ ଜିମା ଦେଇ ପାରିଥାନ୍ତେ? ହେଲେ ତାଙ୍କୁ ମାଡ଼ ମାରି ଅପଦସ୍ତ କରି ସେମାନେ ପାଇଲେ କଣ? ଏଠାରେ ଲୋକମାନେ କାହାକୁ ଶାସ୍ତି ଦେଲେ? ନିଳାମ୍ବରଙ୍କୁ ନା ଏହି ଅସହାୟ ପରିବାରକୁ? ହୁଏତ ଏମିତି ଅନେକ ପ୍ରଶ୍ନ ଶିକ୍ଷିତ ସମାଜର ଲୋକେ କରୁଥିବେ କିନ୍ତୁ ଏମାନଙ୍କ ଯୋଗୁଁ ଅସହାୟ ହୋଇଗଲା ଗୋଟିଏ ପରିବାର । ଆଉ ଅନାଥ ହୋଇଗଲେ କୁନି କୁନି ଦୁଇଟି ପିଲା ।