ମଦୁଆ ଗାଡିଚାଳକଙ୍କ ଉନ୍ମତ୍ତ କାଣ୍ଡ : ସିଆରପି ଫ୍ଲାଏ ଓଭରରେ ସିରିଜ୍‌ ଦୁର୍ଘଟଣା; ୨ ବାଇକ୍‌ ଓ ୩ କାର୍‌କୁ ଧକ୍କା ଦେଲା ଇନୋଭା

ବିଳମ୍ବିତ ରାତିରେ ଘଟିଛି ଆଉ ଗୋଟିଏ ଦୁର୍ଘଟଣା

154

କନକ ବ୍ୟୁରୋ : ସିଆର୍‌ପି ଫ୍ଲାଏଓଭର୍‌ରେ ଗତକାଲି ଏକ ସିରିଜ୍‌ ଦୁର୍ଘଟଣାରେ ୬ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ରସୁଲଗଡ଼ ଆଡ଼ୁ ଦ୍ରୁତଗତିରେ ଯାଉଥିବା ଏକ ଇନୋଭା ପ୍ରଥମେ ଗୋଟିଏ ଗାଡ଼ିକୁ ଧକ୍କା ଦେବା ପରେ ଆଗରେ ଯାଉଥିବା ଆଉ ଦୁଇଟି ଗାଡ଼ିକୁ ଧକ୍କା ଦେଇଥିଲା । ପୂର୍ବରୁ ଏହି ଇନୋଭା ବାଣୀବିହାର ଛକରେ ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା । ଏଭଳି ସିରିଜ୍‌ ଦୁର୍ଘଟଣା ଘଟାଇଥିବା ଇନୋଭା ଗାଡ଼ିକୁ ଜବତ କରିବା ସହ ଚାଳକ ଓ ତା’ର ସହଯୋଗୀକୁ ନୂଆପଲ୍ଲୀ ଥାନା ପୁଲିସ ଅଟକ ରଖିଛି । ଦୁର୍ଘଟଣାରେ ୬ଟି ଯାକ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ଚାଳକ ଓ ସହଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ରସୁଲଗଡ଼ ପଟୁ ଦ୍ରୁତ ଗତିରେ ଏକ ଇନୋଭା ଆସୁଥିଲା। ବାଣୀବିହାର ଫ୍ଲାଏ ଓଭର୍‌ରେ ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା । ଏହା ଦେଖି ଉକ୍ତ ଇନୋଭାକୁ ୪ଟି ବାଇକ୍‌ ପିଛା କରିବାରୁ ଗାଡ଼ିର ଗତି ବଢ଼ାଇ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା । ତେବେ ଚାଳକଜଣଙ୍କ ହଡ଼ବଡ଼େଇ ଯାଇ ସିଆରପି ଫ୍ଲାଏଓଭର୍‌ରେ ଆଗପଛ ହୋଇ ଯାଉଥିବା ୩ଟି କାର୍‌କୁ ଧକ୍କା ଦେଇଥିଲା । ଏହା ଦେଖି ପଛରୁ ଆସୁଥିବା କେତେକ ଗାଡ଼ି ମଧ୍ୟ ଭୟରେ ବ୍ରେକ୍‌ ମାରିବାରୁ ପଡ଼ି ଆହତ ହୋଇଥିଲେ। ଏହାକୁ ନେଇ ସେଠାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍‌ ସ୍ବାଭାବିକ କରାଇବା ସହ ଇନୋଭା ଚାଳକ ଓ ତା’ ସହଯୋଗୀକୁ ଥାନାକୁ ନେଇଥିଲା। ଇନୋଭା ଚାଳକ ପ୍ରଚୁର ମଦ୍ୟପାନ କରି ଗାଡ଼ି ଚଳାଉଥିବା ପୁଲିସ୍‌ ଜାଣିବାକୁ ପାଇଛି ।

ସେହିଭଳି ସିଆର୍‌ପି ଫ୍ଲାଏ ଓଭର୍‌ରେ ବିଳମ୍ବିତ ରାତିରେ ଆଉ ଗୋଟିଏ ଦୁର୍ଘଟଣା ଘଟିଛି । ବରମୁଣ୍ଡା ପଟୁ ରସୁଲଗଡ଼ ଯାଉଥିବା ୧୦ ଚକିଆ ଏକ ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇଛି । ଏଥିରେ ପଛ ଟ୍ରକ୍‌ର ଚାଳକ ଗୁରୁତର ଆହତ ହୋଇଛନ୍ତି । ଟ୍ରକ୍‌ର ସମ୍ମୁଖ ଭାଗ ଭାଙ୍ଗରୁଜି ଯାଇଥିବା ବେଳେ ଚାଳକ ସେଥିରେ ଫସି ରହିଥିଲେ । ନୂଆପଲ୍ଲୀ ଥାନା ପୁଲିସ୍‌ ଚାଳକଙ୍କୁ ଉଦ୍ଧାର କରିବା ସହ ଟ୍ରାଫିକ୍‌ ସ୍ବାଭାବିକ କରାଇଥିଲା। ଆହତ ଚାଳକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।