ସାଙ୍ଗ ହେବ ତ ଏମିତି । ସାଙ୍ଗର ମୃତ୍ୟୁ ସହିପାରିଲାନି ସାଙ୍ଗ । ସାଙ୍ଗର ଜୁଇରେ ଡେଇଁ ପଡ଼ିଲେ

714

କନକ ବ୍ୟୁରୋ : ସତରେ ଜଣେ ସାଙ୍ଗ ଜୀବନରେ କେତେ ଯେ ଗୁରୁତ୍ୱ ବହନ କରିଥାଏ ତାହା ଜଣେ ପ୍ରକୃତ ବନ୍ଧୁ ହିଁ ବୁଝିଥାଏ । ଆପଣମାନେ ବଲିଉଡ ବ୍ଲକବ୍ଲାଷ୍ଟର ହିନ୍ଦି ଫିଲ୍ମ ‘ସୋଲୋ’ ଦେଖିଥିବେ ନିଶ୍ଚୟ । ଏଥିରେ ଜୟ ବୀରଙ୍କ ଦୋସ୍ତି ପରଦାରେ ଯେଭଳି ଉପସ୍ଥାପନ କରାଯାଇଛି ତାହା ସବୁଦିନ ଲାଗି ମନେ ରହିବ ନିଶ୍ଚୟ । ଜୟର ଜୀବନ ପାଇଁ ନିଜ ଜୀବନକୁ କିପରି ବିପଦରେ ବୀର ପକାଇଥିଲା ତାହା ଆପଣ ପରଦାରେ ଦେଖିଥିବେ ନିଶ୍ଚୟ । କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ଜଣେ ବନ୍ଧୁ ନିଜର ସାଙ୍ଗର ମୃତ୍ୟୁରେ ଏତେ ମର୍ମାହତ ହୋଇଛନ୍ତି ଯେ ନିଜକୁ ଶେଷରେ ନିଆଁରେ ଆତ୍ମହୂତି ଦେଇଛନ୍ତି ।

ଉତ୍ତର ପ୍ରଦେଶର ଫିରୋଦାବାଦରେ ଦୁଇ ବନ୍ଧୁଙ୍କ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତ ବନ୍ଧୁଙ୍କ ପାଇଁ ଏମାନେ ଏବେ ଉଦାହରଣ ପାଲଟିଛନ୍ତି । କାହଁକି ନାଁ ଆଜି କାଲିକା ସ୍ୱାର୍ଥପର ଦୁନିଆରେ ଟଙ୍କା ହେଉ ବା ଅନ୍ୟ କିଛି ସାହାର୍ଯ୍ୟ ମାଗିବାବେଳେ ସାଙ୍ଗମାନେ ସହଯୋଗର ହାତ ବଢ଼ାଇନଥାନ୍ତି । କିନ୍ତୁ ନିଜ ବନ୍ଧୁଙ୍କ ପରଲୋକ ଏତେ କଷ୍ଟ ଦେଇଛି ଯେ ଶେଷରେ ସାଙ୍ଗର ଜୁଇରେ ଡେଇଁ ନିଜ ଜୀବନକୁ ମଧ୍ୟ ହରାଇଛନ୍ତି ।

ଉତ୍ତର ପ୍ରଦେଶର ଦୁଇ ସାଙ୍ଗ ଅଶୋକ ଏବଂ ଆନନ୍ଦ । ଉଭୟ ପଂଚମ ଶ୍ରେଣୀରୁ ସାଙ୍ଗ । ଦୁହେଁ ଭଲ ସାଙ୍ଗ ବୋଲି ଖଣ୍ଡମଣ୍ଡଳର ଲୋକେ ଜାଣିଥିଲେ । ଏମିତିକି ସେମାନଙ୍କ ଦୋସ୍ତିକୁ ଦେଖି ଅନେକ ଇର୍ଷା ମଧ୍ୟ କରନ୍ତି । ତେବେ ଅଶୋକ କିଛି ଦିନ ହେବ କର୍କଟ ରୋଗରେ ପଡ଼ିଥିଲେ । ଧିରେ ଧିରେ ଅସୁସ୍ଥ ହୋଇପଡ଼ିଥିଲେ । ମେଡିକାଲରେ ବନ୍ଧୁର ମଙ୍ଗଳକାମନା କରିଥିଲେ ସୁଦ୍ଧା ଶେଷରେ ଅଶୋକଙ୍କ ପରଲୋକ ଘଟିଥିଲା । ଆଉ ପରିବାର ଲୋକେ ତାଙ୍କ ଶେଷକୃତ୍ୟ କରିଥିଲେ । ତେବେ ପରିବାର ଲୋକଙ୍କଠାରୁ ଆନନ୍ଦ ବେଶି ଦୁଃଖି ହୋଇଥିଲେ । ଆମେ ଏକଥା କହିବାର ତାତ୍ପର୍ଯ୍ୟ ହେଉଛି କି, ଯେତେବେଳେ ଅଶୋକଙ୍କ ଜୁଇ ଜଳୁଥିଲା ସେତେବେଳେ ନିଜକୁ ଆଉ ନିଜ ଆୟତରେ ରଖି ପାରିନଥିଲେ ଆନନ୍ଦ । ସମସ୍ତଙ୍କ ସାମ୍ନାରେ ଜଳୁଥିବା ବନ୍ଧୁ ଅଶୋକଙ୍କ ଜୁଇକୁ ଡେଇଁ ପଡ଼ିଥିଲେ ଆନନ୍ଦ ।

ଯଦିଓ ତାଙ୍କୁ ସଙ୍ଗେ ସଙ୍ଗେ ନିଆଁରୁ ଉଦ୍ଧାର କରି ଆଗ୍ରା ମେଡିକାଲରେ ଭର୍ତି କରିଥିଲେ ତଥାପି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଦୁଃଖର କଳାବାଦଲ ଘୋଟିଗଲା । କିନ୍ତୁ ସମସ୍ତେ ସେମାନଙ୍କ ବନ୍ଧୁତାକୁ ନେଇ ଅନେକ ପ୍ରଶଂସା କରିଛନ୍ତି ।