ଦଲାଲ କବଳରେ ଦଳିତ ଯୁବତୀ ! ବଣ୍ଡା ଝିଅଙ୍କୁ ଚାଲାଣ କରୁଛି କିଏ ?

44

କନକ ବ୍ୟୁରୋ : ବିଚ୍ଛିନ୍ନାଂଚଳରେ ଚାଲିଛି ଯୁବତୀ ଚାଲାଣ ରାକେଟ୍ । ଦଲାଲଙ୍କ ଟାର୍ଗେଟରେ ବଣ୍ଡା ଯୁବତୀ । ଦାଦନ ନାଁରେ ଦେହ ବେପାରରେ ଛନ୍ଦି ହୋଇ ପଡୁଛନ୍ତି ଆଦିମ ଜନଜାତୀର ଝିଅ । ପୂର୍ବରୁ ବଣ୍ଡା ଯୁବତୀଙ୍କ ଅଶ୍ଲୀଳ ଏମଏମଏସ୍ ସାମ୍ନାକୁ ଆସିଥିବା ବେଳେ ଏବେ ପଦାକୁ ଆସିଛି ଦାଦନ ନାଁରେ ଦେହ ବେପାରର କଥା । ହେଲେ ଏହାର ଖବର ନା ଜିଲ୍ଲା ପ୍ରଶାସନ ପାଖରେ ଅଛି ନା ପୋଲିସ ନା ଶ୍ରମ ବିଭାଗ ପାଖରେ ।

ସୂଚନା ଅନୁସାରେ, ପରିବାରର ପେଟ ପୋଶିବା ପାଇଁ ଦାଦନ ଖଟିବାକୁ ବିଶାଖାପାଟଣା ଯାଇଥିଲେ ପୀଡିତା ନାବାଳିକା । ହେଲେ ସେଠି ବାରମ୍ବାର ଦୁଷ୍କର୍ମର ଶିକାର ହେଲେ । ନାବାଳିକା ଏବେ ୭ ମାସର ଗର୍ଭବତୀ । ଗାଁରେ କାହାକୁ ମୁହଁ ଦେଖାଇପାରୁନାହାଁନ୍ତି ନାବାଳିକା ଜଣକ । କ୍ୟାମେରା ସାମ୍ନାରେ କହିଛନ୍ତି, କିଭଳି ନିର୍ଯାତନାର ଶିକାର ହୋଇଛନ୍ତି ପଡୋଶୀ ରାଜ୍ୟରେ ।

ବଣ୍ଡା ଘାଟିର ୩୨ ଟି ଗାଁରେ ରହିଛି ଏଭଳି ଅନେକ ଉଦାହରଣ । କାମ ଧନ୍ଦା ପାଇଁ ଯାଇଥିବା ୨ଶହରୁ ଅଧିକ ଯୁବତୀ ଦଲାଲଙ୍କ ପ୍ରଲୋଭନରେ ପଡି ପଡୋଶୀ ରାଜ୍ୟରେ ଦେହ ବ୍ୟବସାୟରେ ଲାଗିଛନ୍ତି । ହେଲେ ପୋଲିସ, ଶ୍ରମ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପାଖରେ ନାହିଁ ଖବର ।