ହକି ପାଇଁ କଟକଣା: ଜାଣନ୍ତୁ ଷ୍ଟାଡିୟମ ଭିତରକୁ କଣ ନେଇ ଯାଇପାରିବେନି ଦର୍ଶକ ? କେଉଁଠି ରଖିବାକୁ ପଡିବ ଗାଡି

ଷ୍ଟାଡିୟମ୍‌ ପାଇଁ ‘ପେସେଣ୍ଟ ଟ୍ରାନ୍ସପୋର୍ଟେସନ୍ କରିଡର’

311

କନକ ବ୍ୟୁରୋ: ଆଜି ଉଦଘାଟିତ ହେବ ବିଶ୍ବକପ୍ ହକି। ହକି ମହାସମର ଦେଖିବା ପାଇଁ ହଜାର ହଜାର ଦର୍ଶକ ଆସୁଥିବା ବେଳେ କୌଣସି ପ୍ରକାର ଅଘଟଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି। ଷ୍ଟାଡିୟମର ୩ଟି ଷ୍ଟାଣ୍ଡରେ ସ୍ବାସ୍ଥ୍ୟ ବିଭାଗ ଫାଷ୍ଟାଏଡ୍ କିଓସ୍କ ଖୋଲିବ। ଖେଳାଳି ଓ ଭିଭିଆଇପିମାନଙ୍କ ପାଇଁ ଆପୋଲୋ ହସ୍ପିଟାଲ ପକ୍ଷରୁ ବ୍ୟବସ୍ଥା କରାଯିବ। ତେବେ କୌଣସି ପ୍ରକାର ଅଘଟଣ ଘଟିଲେ ଷ୍ଟାଡିୟମରୁ ଆହତମାନେ କିଭଳି ବହୁଶୀଘ୍ର ଡାକ୍ତରଖାନାରେ ପହଞ୍ଚିବ ସେଥିପାଇଁ ଏକ ‘ପେସେଣ୍ଟ ଟ୍ରାନ୍ସପୋର୍ଟେସନ୍ କରିଡର’ ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କମିସନରେଟ ପୁଲିସକୁ କୁହାଯାଇଛି। ଖେଳାଳି ଓ ଦର୍ଶକଙ୍କ ପାଇଁ ପ୍ରସ୍ତୁତ ଥିବା କ୍ୟାପିଟାଲ ହସ୍ପିଟାଲ ଓ ଆପୋଲୋ ହସ୍ପିଟାଲରେ କେତେ ସମୟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚିବ ସେଥିପାଇଁ ଏକ ମକଡ୍ରିଲ୍ ହୋଇଥିଲା। ଆପୋଲୋ ହସ୍ପିଟାଲରେ ୫ ମିନିଟ୍ ଓ କ୍ୟାପିଟାଲ ହସ୍ପିଟାଲରେ ୧୦ମିନିଟ୍ ସର୍ବନିମ୍ନ ସମୟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ତେବେ ବାହାରେ ଟ୍ରାଫିକ୍କୁ ନଜରରେ ରଖି ଏହି ସମୟରେ ସାମାନ୍ୟ ପରିବର୍ତନ ହୋଇପାରେ ବୋଲି କୁହାଯାଇଛି।

କେଉଁ ଗେଟରେ ପ୍ରବେଶ କରିବେ

କଳିଙ୍ଗ ଷ୍ଟାଡିୟମ୍ରେ ପ୍ରବେଶ ପାଇଁ ୯ଟି ଗେଟ୍ ରହିଛି। ତେବେ ସମସ୍ତ ଗେଟ୍ ଦେଇ ଦର୍ଶକମାନେ ପ୍ରବେଶ କରିପାରିବେ ନାହିଁ। ୯ ନମ୍ବର ଗେଟ୍ ବାଟେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଭିଭିଆଇପିମାନେ ପ୍ରବେଶର ବନ୍ଦୋବସ୍ତ କରାଯାଇଛି। ସେହିଭଳି ୨ ନମ୍ବର ଗେଟ୍ରେ ପାସ୍ଧାରି, ଗଣମାଧ୍ୟମ ପ୍ରତିନିଧି ଏବଂ ମ୍ୟାଚ୍ ଅଫିସିଆଲ୍ମାନେ ପ୍ରବେଶ କରିବେ। ୪ ନମ୍ବର ଗେଟ୍ରେ କେବଳ ଖେଳାଳିମାନେ ଷ୍ଟାଡିୟମ ଭିତରକୁ ଯିବେ। ୨, ୪ ଓ ୯ ନମ୍ବର ଗେଟ୍କୁ ଛାଡ଼ି ଅନ୍ୟ ୬ଟି ଗେଟରେ ଦର୍ଶକମାନେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ପଡ଼ିଆ ଭିତରକୁ ପାଣି ବୋତଲ ମନା

କଳିଙ୍ଗ ଷ୍ଟାଡିୟମ୍ ଭିତରକୁ କେତେକ ଜିନିଷ ନେବାକୁ ବାରଣ କରାଯାଇଛି। ପାଣି ବୋତଲ, ଦିଆସିଲି, ରେଜା ପଇସା, ଛୋଟ ଛୁରି ଓ ଲାଇଟର୍ ଆଦି ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ବି ଏସବୁ ଜିନିଷ ନେଇ ପ୍ରବେଶ କରିବେ ସେଗୁଡ଼ିକୁ ପ୍ରବେଶ ଗେଟ୍ ନିକଟରେ ଯାଞ୍ଚ୍ ପରେ ବାହାର କରିଦିଆଯିବ।

ଷ୍ଟାଡିୟମ୍ ପାଇଁ ‘ପେସେଣ୍ଟ ଟ୍ରାନ୍ସପୋର୍ଟେସନ୍ କରିଡର’

ଆଜିର ଉଦ୍ଘାଟନୀ ଉତ୍ସବରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଷ୍ଟାଡିୟମର ୩ଟି ଷ୍ଟାଣ୍ଡରେ ଫାଷ୍ଟଏଡ୍ କିଓସ୍କ ଖୋଲିବ। ପ୍ରତ୍ୟେକ ଷ୍ଟାଣ୍ଡରେ ଦୁଇଟି ଲେଖାଏଁ ଆମ୍ବୁଲାନ୍ସ ରହିବ। ସେଣ୍ଟ ଜନ୍ ଆମ୍ବୁଲାନ୍ସ ପକ୍ଷରୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏହାସହ ଷ୍ଟାମ୍ପେଡ୍ ବା ଦଳାଚକଟା ପାଇଁ ଏକ ଗାଇଡଲାଇନ୍ ମଧ୍ୟ ପ୍ରସ୍ତୁତ ହୋଇଛି। ସେଣ୍ଟ ଜନ୍ ଆମ୍ବୁଲାନ୍ସର ପୁରୁଷୋତ୍ତମ ବଳଙ୍କ କହିବାନୁଯାୟୀ, ସେଣ୍ଟ ଜନ୍ ପକ୍ଷରୁ ୪ଟି ଆମ୍ବୁଲାନ୍ସ ରହିବ। ଏହାସହ ୧୬ଜଣ ସ୍ବତନ୍ତ୍ରଭାବେ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ଏଥିରେ ନିୟୋଜିତ ହେବେ। କୌଣସି ପ୍ରକାର ଅଘଟଣ ହେଲେ ସେଠାରେ ଥିବା ମ୍ୟାନେଜର ଟିମ୍ ସଦସ୍ୟଙ୍କୁ ଡାକି ଆହତମାନଙ୍କୁ କିଭଳି ଡାକ୍ତରଖାନାକୁ ନିଆଯିବ ତାହାର ବ୍ୟବସ୍ଥା କରିବେ। ଅଘଟଣକୁ ରେଡ୍, ୟୋଲୋ, ବ୍ଲୁ ଓ ବ୍ଲାକ୍ରେ ପର‌୍ୟ୍ୟାୟଭୁକ୍ତ କରାଯାଇଛି। ରେଡ୍ କ୍ୟାଟେଗରିରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରାଯିବ। ୟୋଲୋ କ୍ୟାଟେଗୋରିରେ ଗୁରୁତର ଆହତ ରହିଥିବା ବେଳେ ବ୍ଲୁରେ ସାଧାରଣଭାବେ ଆହତ ବ୍ୟକ୍ତି ରହିବେ। ବ୍ଲାକ୍ କ୍ୟାଟୋଗୋରିରେ ମୃତ ବ୍ୟକ୍ତିଙ୍କୁ ରଖାଯିବ। ବ୍ଲାକ କ୍ୟାଟେଗୋରି ପାଇଁ ସ୍ବେଚ୍ଛାସେବୀମାନଙ୍କ କୌଣସି ଦାୟିତ୍ବ ରହିବ ନାହିଁ ବୋଲି ଶ୍ରୀ ବଳ କହିଛନ୍ତି।