ରାଜ୍ୟର ୧୦ ବର୍ଷରେ ମରିଛନ୍ତି ୮୪୩ ହାତୀ : ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ବିକ୍ରମ ଆରୁଖ କହିଲେ, ହାତୀ କରିଡର ପୁନଃରୁଦ୍ଧାର ପାଇଁ ଖର୍ଚ୍ଚ ହୋଇଛି ୧୦ କୋଟି ୭୦ ଲକ୍ଷ ଟଙ୍କା

99

କନକ ବ୍ୟୁରୋ : ରାଜ୍ୟରେ ୧୦ ବର୍ଷରେ ୮ଶହରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଛି । ୨୦୧୦-୧୧ରୁ ୨୦୨୦-୨୧ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ମୋଟ୍ ୮୪୩ ହାତୀଙ୍କ ମୃତ୍ୟୁ ହୋଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଏ ସଂପର୍କୀତ ଏକ ପ୍ରଶ୍ନର ଉତରରେ ଗୃହକୁ ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ହାତୀ-ମଣିଷ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସ୍ୱଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ଯୋଜନା ସବୁ ହାତକୁ ନେଇଛନ୍ତି । ରାଜ୍ୟରେ ୧୪ଟି ହାତୀ କରିଡର ଓ ୩ଟି ହାତୀ ବସତି ଚିହ୍ନଟ କରି ଏହାର ପୁନରୁଦ୍ଧାର କରାଯାଇଛି ।

ଗତ ୧୦ ବର୍ଷରେ ଚିହ୍ନଟ ହାତୀ କରିଡରର ପୁନରୁଦ୍ଧାର ପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ କରିବା ସହ କେନ୍ଦ୍ର ସରକାରଙ୍କ କାମ୍ପା ଯୋଜନାରେ ୧୦ କୋଟି ୭୦ ଲକ୍ଷ ୬୯ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ହାତୀମାନଙ୍କ ଚଳପ୍ରଚଳ ପାଇଁ ପର୍ଯ୍ୟାପ୍ତ ସ୍ଥାନର ଅଭାବକୁ ଦୂର କରିବା ଉଦ୍ଦେଶ୍ୟରେ ମହାନଦୀ ହାତୀ ସଂରକ୍ଷଣ ଅଂଚଳ ଓ ସମ୍ବଲପୁର ହାତୀ ସଂରକ୍ଷଣ ଅଂଚଳର ଆୟତର ବୃଦ୍ଧି କରିବା ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି ।