ରୋଜଗାରର ରାସ୍ତା ଦେଖାଇଛି ଟୋରାକୋଟା କାମ। ଦକ୍ଷତା ବୃଦ୍ଧି ପାଇଁ ସରକାରଙ୍କ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଦିଆଯାଉଛି ତାଲିମ। 

67

କନକ ବ୍ୟୁରୋ:  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ କୁମ୍ଭାରସାହିର ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଆରମ୍ଭ କରିଛନ୍ତି ଟେରାକୋଟା ହସ୍ତଶିଳ୍ପ କାମ  । ମାଟିରେ ବିଭିନ୍ନ ପ୍ରକାରର ସାଜସଜ୍ଜା ସାମଗ୍ରୀ ସାଙ୍ଗକୁ ମୁର୍ତ୍ତି ପ୍ରସ୍ତୁତ କରି ଏହାକୁ ବିକ୍ରୟ କରି ଭଲ ରୋଜଗାର କରୁଛନ୍ତି । ଘରର ସମସ୍ତ କାମସାରି ବଳକା ସମୟରେ ଟେରାକୋଟା କାର୍ଯ୍ୟ କରି ରୋଜଗାର ହେଉଥିବା ଅର୍ଥକୁ ନିଜର ପରିବାର ଏବଂ ପିଲା ମାନଙ୍କର ପାଠପଢାରେ ଖର୍ଚ୍ଚ କରୁଛନ୍ତି  । ଓଡିଶା ସରକାରଙ୍କ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସମସ୍ତ ପ୍ରକାରର ବୈଷୟିକ ଜ୍ଞାନକୌଶଳ ସହିତ ତାଲିମ ଯୋଗାଇ ଦିଆଯାଉଛି ।  ଗୋଷ୍ଠୀର ସଦସ୍ୟମାନେ ତାଲିମ ପାଇ ମାଟିରେ ସୁନ୍ଦର ସୁନ୍ଦର କଳାକୃତି ନିର୍ମାଣ କରୁଛନ୍ତି । ଏସବୁକୁ ବ୍ୟବସାୟୀମାନେ ତାଙ୍କ ନିକଟରୁ ନେବା ସହିତ ବିଭିନ୍ନ ଦୋକାନ ଏବଂ ମେଳା ମହୋତ୍ସବରେ ଷ୍ଟଲ୍ ଦେଇ ବିକ୍ରୟ କରି ଲାଭବାନ ହୋଇପାରୁଛନ୍ତି  । ବଜାରରେ ଲୋକମାନଙ୍କ ମଧ୍ୟରେ ଟେରାକୋଟା ସାମଗ୍ରୀର ବିଶେଷ ଚାହିଦା ଥିବାର ମଧ୍ୟ ଦେଖିବାକୁ ମିଳୁଛି  ।

ମାର୍ଶାଘାଈ ପଞ୍ଚାୟତ କୁମ୍ଭାରସାହିର ରୁଦ୍ରପାଳ ଏବଂ ରତ୍ନେଶ୍ୱରି ପରି ଦୁଇଟି ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜଣେ ମାଷ୍ଟରଟ୍ରେନର୍ଙ୍କ ଜରିଆରେ ୬ ମାସିଆ ତାଲିମ ଯୋଗାଇ ଦିଆଯାଇଛି  । ଦୁଇଟି ଗୋଷ୍ଠୀରେ ୧୫ ଜଣ କରି ସମୁଦାୟ ୩୦ ଜଣ ମହିଳାମାନଙ୍କୁ ମାଟିରେ ମୁର୍ତୀ ଗଢିବାର କୌଶଳ ଶିଖାଯାଉଛି । ମାଟିକୁ ଚକଟି କାଳକୃତି ନିର୍ମାଣ ପରେ ୨ରୁ ୩ ଦିନ ଖରାରେ ସୁଖାଇଲା ପରେ ଭାଟିରେ ପୋଡ଼ାଯାଇଥାଏ  । ଟୋରାକୋଟା ମାଧ୍ୟମରେ ପେନଷ୍ଟାଣ୍ଡ, ଡଷ୍ଟବିନ୍, ଘୋଡା, ହାତୀ, ମାଛ, ବିଭିନ୍ନ ପ୍ରକାରର ଫୁଲ, ଦୀପ, ଠାକୁରଙ୍କ ସନ୍ଦର ସୁନ୍ଦର ମୁର୍ତି ସହିତ ବିଭିନ୍ନ ପ୍ରକାରର ଛୋଟବଡ କଳାକୃତି ନିର୍ମାଣ କରୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା  । ଓଡିଶା ସରକାରଙ୍କର ହସ୍ତଶିଳ୍ପ ବିଭାଗ ପକ୍ଷରୁ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଟେରାକୋଟା ତାଲିମ ପ୍ରଦାନ କରାଯିବା ସହିତ ଦକ୍ଷତା ବୃଦ୍ଧି କରାଯାଉଛି । ଯାହାଦ୍ୱାରା ମହିଳା ମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି ।