୩ଟି ରାଜ୍ୟରେ ଆଜି କଂଗ୍ରେସ ସରକାରର ରାଜତିଲକ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ନୂଆ ମୁଖ୍ୟମନ୍ତ୍ରୀ ନେବେ ଶପଥ

କମଳନାଥଙ୍କ ଶପଥଗ୍ରହଣରେ ଦେଖିବାକୁ ମିଳିବ ମହାମେଂଟର ଝଲକ

127

କନକ ବ୍ୟୁରୋ: ଆଜି ୩ ରାଜ୍ୟରେ କଂଗ୍ରେସ ସରକରାର ହେବ ରାଜ ତିଲକ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ଆଜି ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ମଧ୍ୟପ୍ରଦେଶରେ କମଲନାଥ, ରାଜସ୍ଥାନରେ ଅଶୋକ ଗେହଲଟ ଓ ଛତିଶଗଡର ଭୂପେଶ ବଘେଲ ସପଥ ନେବେ । କମଲନାଥ ଆଜମ ଧ୍ୟପ୍ରଦେଶର ୧୮ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏଠାରେ ମହାମେଂଟର ଝଲକ ଦେଖିବାକୁ ମିଳିବ । ଏଥିରେ ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀ ଶିବରର ବଡ ନେତା ସାମିଲ ହେବେ । ଏହାକୁ ଦେଖି ଭୋପାଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୫ ବର୍ଷ ପରେ ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଗଠନ ହେବାକୁ ଯାଉଛି ।

image courtesy – www.indiatoday.in

ଛତିଶଗଡର ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭୂପେଶ ବଘେଲ । ଗତକାଲି ରାୟପୁରରେ କଂଗ୍ରେସ ବିଧାୟକ ଦଳର ବୈଠକରେ ତାଙ୍କୁ ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି । ଆଜି ରାୟପୁରର ସାଇନ୍ସ କଲେଜ୍ ଗ୍ରାଉଣ୍ଡରେ ଅପରାହ୍ନ ୪ଟାରେ ଆୟୋଜିତ ହେବ ଶପଥଗ୍ରହଣ ସମାରୋହ । ଏଥିରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯୋଗ ଦେବା ସମ୍ଭାବନା ରହିଛି ।

ଭୁପେଶଙ୍କ ସହ ସହ କିଛି ବିଧାୟକଙ୍କୁ ମଧ୍ୟ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଦୀର୍ଘ ୧୫ ବର୍ଷର ବନବାସ ପରେ ଭୂପେଶ ବଘେଲଙ୍କ ନେତୃତ୍ୱରେ କଂଗ୍ରେସ ସ୍ପଷ୍ଟ ବହୁମତ ପାଇ କ୍ଷମତାକୁ ଫେରିଛି । ୯୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସକୁ ମିଳିଛି ୬୮ଟି ଆସନ । ୨୦୧୩ ମସିହାରେ ଭୂପେଶ, ପିସିସି ସଭାପତି ହୋଇଥିଲେ । ଅଜିତ ଯୋଗୀ କଂଗ୍ରେସ ଛାଡିବା ପରେ କୁହାଯାଉଥିଲା, ରାଜ୍ୟରେ କଂଗ୍ରେସ ଅସ୍ତିତ୍ୱ ହରାଇବା ଆରମ୍ଭ କରିଛି । କିନ୍ତୁ ଭୂପେଶ ବଘେଲଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ କ୍ଷମତାକୁ ଫେରିଥିବାରୁ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯାଇଛି ।

ରାଜସ୍ଥାନର ସମ୍ରାଟ ଅଶୋକ ଗେହଲଟ

ବହୁ ଅଙ୍କକଷା ପରେ ଅଶୋକ ଗେହଲଟ ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ । ଏନେଇ ଦିଲ୍ଲୀରେ ବସିଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ଯୁବ ନେତା ସଚିନ ପାଇଲଟଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିଲା । ତେଣୁ ସଚିନ ପାଇଲଟ ରାଜସ୍ଥାନର ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଭାର ତୁଲାଇବେ । ବରିଷ୍ଠ ଏବଂ କନିଷ୍ଠ ଲଢ଼େଇରେ ରାଜସ୍ଥାନର ଡ଼ୋରୀ କଂଗ୍ରେସର ଅଭିଜ୍ଞ ନେତା ଅଶୋକ ଗେହଲଟଙ୍କ ହାତକୁ ଦେଇଛନ୍ତି ରାହୁଲ ଗାନ୍ଧି ।

ତେବେ ଅଶୋକ ଗେହଲଟ ୧୯୯୮-୨୦୦୩ ଓ ୨୦୦୮-୨୦୧୩ ପର୍ଯ୍ୟନ୍ତ ରାଜସ୍ଥାନର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ । ଏହାପରେ ୨୦୧୭ରୁ ଗେହଲଟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟଭାର ତୁଲାଇଆସିଛନ୍ତି । ସେହିଭଳି ୧୯୮୨-୧୯୯୩ ଭିତରେ ଏକାଧିକ ବାର କେନ୍ଦ୍ରରେ ମନ୍ତ୍ରୀ ଓ ଉପମନ୍ତ୍ରୀ ଏବଂ ଚାରିଥର ରାଜସ୍ଥାନ କଂଗ୍ରେସର ପରିଚାଳନା ଭାର ତୁଲାଇଥିବା ଭଳି ଦକ୍ଷତା ରାଜ୍ୟ ନେତୃବୃନ୍ଦଙ୍କୁ ପସନ୍ଦ ଆସିଥିଲା । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟରେ ପ୍ରମୂଖ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସମୁଦାୟର ଭୋଟ ହାତେଇବା ଓ ଟିକେଟ ବଂଟନ ଭଳି ଗୁରୁ ଦାୟିତ୍ୱ ତୁଲାଇ ରାଜସ୍ଥାନରେ କଂଗ୍ରେସର ବିଜୟ ହାସଲ କରିବାରେ ସହାୟକ ହୋଇଥିବାରୁ ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଛି ।

ମଧ୍ୟପ୍ରଦଶରେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ 

ଭୋପାଳର ବିଧାୟକ ଦଳ ବୈଠକ ପରେ କମଲନାଥଙ୍କୁ ବିଧାୟକ ଦଳ ନେତା ବଛାଯିବା ସହ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦିଲ୍ଲୀରେ ଭେଟି ଆଲୋଚନା କରିଥିଲେ । ପରେ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଗ୍ରୀନ ସିଗନାଲ ଦେଇଥିଲେ ରାହୁଲ ।

କମଲନାଥଙ୍କ ବିଷୟରେ ଅଳ୍ପ କିଛି :

– ୧୯୮୦ରେ ପ୍ରଥମ ଥର ଲାକସଭାକୁ ନିର୍ବାଚିତ
– ୧୯୮୫-୨୦୧୪ ରେ ବହୁ ନିର୍ବାଚନ ଜିତି ଲୋକସଭାର ବରିଷ୍ଠ ସଦସ୍ୟ
– ମେ ୨୦୧୮ରେ ମଧ୍ୟପ୍ରଦେଶ କଂଗ୍ରେସର ମୁଖିଆ
– ଦିଗବିଜୟ ଓ ଜ୍ୟୋତିରାଧିତ୍ୟଙ୍କୁ ସାଙ୍ଗରେ ନେଇ ନିର୍ବାଚନ ପରିଚାଳନା
– ‘ମୋର ତୃତୀୟ ପୁଅ କମଲନାଥ‘ ବୋଲି କହିଥିଲେ ଇନ୍ଦିରା ଗାନ୍ଧୀ
– ଡୁନ୍ ସ୍କୁଲରେ ସଞ୍ଜୟ ଗାନ୍ଧୀଙ୍କ ବନ୍ଧୁ ଥିଲେ
– ଏକାଧିକ ଥର କେନ୍ଦ୍ରମନ୍ତ୍ରୀ, ୯ଥର ସାଂସଦ
– ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ଏବଂ ଗାନ୍ଧୀ ପରିବାର ସହ କମଲ ନାଥଙ୍କ ଘନିଷ୍ଠତା
– ୧୫ ବର୍ଷର ବିଜେପି ସରକାରକୁ ଗାଦିଚ୍ୟୁତ କରିବାର ମୁଖ୍ୟ ପୁରୋଧା