ଡେରାଡୁନରେ ବାଦଲ ଫଟା ବର୍ଷା ପରେ ପ୍ରଳୟଙ୍କରୀ ବନ୍ୟା । ଉଦ୍ଧାର କାମରେ ଏନଡିଆରଏଫ୍ ଓ ସେନା ମୁତୟନ

ସେପଟେ ହିମାଚଳ ପ୍ରଦେଶରେ ବନ୍ୟାରେ ବୁଡିଲା ମନ୍ଦିର; ଭୂସ୍ଖଳନ ଓ ପାଣି ଯୋଗୁଁ ଅଧିକାଂଶ ସ୍ଥାନରେ ଜନଜୀବନ ପ୍ରଭାବିତ

323

କନକ ବ୍ୟୁରୋ: ଉତରାଖଣ୍ଡର ଡେରାଡୁନରେ ପ୍ରକୃତିର କୋପ । ଡେରାଡୁନର ମୋରି ତହସିଲ୍ ଅଂଚଳରେ ଆଜି ହୋଇଛି ବାଦଲ ଫଟା ବର୍ଷା । ଆଉ ବାଦଲ ଫଟା ବର୍ଷା ପରେ ପରେ ମାଡି ଆସିଛି ପ୍ରଳୟଙ୍କରୀ ବନ୍ୟା । ପାଣିର ପ୍ରଖର ସ୍ରୋତ ଆଗରେ ଯାହା କିଛି ପଡିଛି ସବୁ କିଛି କୁ ଧୋଇ ନେଇଯାଇଛି । ସେପଟେ ବନ୍ୟାର ଏପରି ଘଟଣା ପରେ ଅନେକ ଅଂଚଳ ଜଳବନ୍ଦୀ ହୋଇଛି । ଉଦ୍ଧାର କାମରେ ସେନା ଓ ଏନଡିଆରଏଫକୁ ମୁତୟନ କରିଛନ୍ତି ଉତରାଖଣ୍ଡ ସରକାର ।

ସେପଟେ ଜଳପ୍ରଳୟର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ହିମାଚଳ ପ୍ରଦେଶରୁ । ସତେ ଯେମିତି ପ୍ରକୃତି ନେଉଛି ପ୍ରତିଶୋଧ । ଚାରିଆଡେ ଖାଲି ପାଣି ଆଉ ପାଣି । ହିମାଚଳର ମଣ୍ଡି ଜିଲ୍ଳାର ବିଜ୍ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ନଦୀ ପଠାରେ ଥିବା ଶିବ ମନ୍ଦିର ଭିତରେ ପାଣି ପଶିଯାଇଛି । ମନ୍ଦିର ପରିସରରେ ଥିବା ଏକ ବଡ ଶିବ ଲିଙ୍ଗ ଏବଂ ବୃଷଭ ବନ୍ୟା ପାଣିରେ ବୁଡ଼ି ରହିଛି ।

 

ତେବେ ହିମାଚଳ ପ୍ରଦେଶରେ କିଛି ଦିନ ହେଲା ପ୍ରବଳ ବର୍ଷା ଯୋଗୁଁ ଏପରି ବନ୍ୟା ପରିସ୍ଥିତି ଲାଗି ରହିଛି । ଅନ୍ୟପଟେ ଭୁସ୍ଖଳନ ପ୍ରଭାବରେ ରାଜପଥରେ ସୃଷ୍ଟି ହୋଇଛି ଏକ ବିଶାଳକାୟ ଗର୍ତ ଏବଂ ଲହଡ଼ି ମାରୁଛି ବନ୍ୟାପାଣି । ରାଜପଥ ଉପରେ ଦୁଇ ତିନି ଫୁଟର ପାଣି ଲହଡ଼ି ମାରୁଥିବାର ଦେଖିବାକୁ ମିଳିଛି । ଫଳରେ ମନାଲି ଏବଂ କୁଲୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଜପଥରେ ଭୁସ୍ଖଳନ ଘଟିଥିବାରୁ ଭାରିଯାନ ଯାତାୟତ ପାଇଁ ବାରଣ କରାଯାଇଛି । ଲୋକେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।