ନିର୍ବାଚନ ପୂର୍ବରୁ ମୋଦିଙ୍କ ପାଇଁ ଶେଷ ସୁଯୋଗ ! ଆସନ୍ତାକାଲି ଅନ୍ତରୀଣ ବଜେଟରେ କାହାର ହୃଦୟ ଜିଣିବେ ମୋଦି ସରକାର ।

126

କନକ ବ୍ୟୁରୋ: ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ ହେବ ମୋଦି ସରକାରଙ୍କ ଶେଷ ବା ଅନ୍ତରୀଣ ବଜେଟ୍ ୨୦୧୯ । ନିର୍ବାଚନ ପୂର୍ବରୁ ଏହି ଶେଷ ବଜେଟ୍ ମୋଦି ସରକାରଙ୍କ ପାଇଁ ସଞ୍ଜୀବନୀ ପାଲଟିବ କି ବିଷ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅସନ୍ତାକାଲି ମୋଦି ସରକାରଙ୍କ ଆଣିବାକୁ ଥିବା ବଜେଟରେ କାହାର ହୃଦୟ ଜିଣିବେ ଆଉ କୋଉ କ୍ଷେତ୍ରକୁ ଗୁରୁତ୍ୱ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । 

ସେପଟେ ଲୋକସଭାରେ ଆଜି ବଜେଟ୍ ଅଧିବେଶନକୁ ସ୍ଥଗିତ ରଖାଯାଇଛି । ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ଆସନ୍ତାକାଲି ଲୋକସଭାରେ ଆସିବାକୁଥିବା ଅନ୍ତରୀଣ ବଜେଟରେ ମୋଦି ସରକାର ରାଫେଲ ପ୍ରସଙ୍ଗ ଉପରେ ସିଏଜି ରିପୋର୍ଟ ଉପସ୍ଥାପନ କରି ବିରୋଧୀଙ୍କୁ କଡ଼ା ଜବାବ୍ ଦେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସେପଟେ ବିରୋଧୀ ମଧ୍ୟ ବେରୋଜଗାରୀ ପ୍ରସଙ୍ଗକୁ ମୁଦ୍ଦା କରି ମୋଦି ସରକାରଙ୍କୁ ଘେରିବାକୁ ତୟାର ଅଛନ୍ତି । 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ମୋଦି ସରକାରଙ୍କୁ ଅନ୍ତରୀଣ ବଜେଟ୍ ସହିତ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବାକୁ ଦାବି କରିପାରନ୍ତି ବିରୋଧୀ ବୋଲି ଚର୍ଚ୍ଚା ଜୋର ଧରିଛି । ଏହାସହ ନାଗରିକତା ବିଲ୍, ଉଚ୍ଚଶିକ୍ଷା କ୍ଷେତ୍ରରେ ୧୩ଟି ମୌଳିକ ପ୍ରସଙ୍ଗକୁ ଉଠାଇ ପାରନ୍ତି ବିରୋଧୀ ବୋଲି ସୂଚନା ମିଳିଛି । 

ଅନ୍ୟପଟେ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହି ଶେଷ ବଜେଟରେ ମଧ୍ୟମ ଶ୍ରେଣୀର ଲୋକ ଏବଂ କୃଷକଙ୍କ ପାଇଁ କିଛି ବଡ଼ ଘୋଷଣା କରି ପାରନ୍ତି ବୋଲି ଆକଳନ କରାଯାଉଛି । ଯେଉଁଥିରେ ଆୟକର ଟିକସ ଛାଡ଼ ସମୟସୀମା ବୃଦ୍ଧି, ଗରିବଙ୍କ ପାଇଁ ସର୍ବନିମ୍ନ ରୋଜଗାର ଯୋଜନା, କୃଷକ ସହାୟତା ରାଶି ସହ ଅନେକ ଜନ କଲ୍ୟାଣକାରୀ ମୁଦ୍ଦାକୁ ବଜେଟ ଭିତରେ ଆଣିପାରନ୍ତି  । ସେହିଭଳି ସ୍ୱାସ୍ଥ୍ୟ, ରେଳ ଓ ସଡ଼କପଥ କ୍ଷେତ୍ରରେ ମଧ୍ୟ କିଛି ବିଶେଷ ଘୋଷଣା କରିପାରନ୍ତି ମୋଦି ସରକାର । ତେବେ ମୋଦି ସରକାରଙ୍କ ଏହି ଶେଷ ବଜେଟକୁ ଆସନ୍ତାକାଲି କେନ୍ଦ୍ର ଅର୍ଥ ବିଭାର କାମଚଳା ମନ୍ତ୍ରୀ ପୀୟୁଷ ଗୋଏଲ ଲୋକସଭାରେ ଉପସ୍ଥାପନ କରିବେ  ।