ଜମ୍ମୁକାଶ୍ମୀରର ସ୍ଥିତିକୁ ନେଇ ଆସନ୍ତାକାଲି ସର୍ବଦଳୀୟ ଆଲୋଚନା । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

100

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ସ୍ଥିତି ସ୍ୱାଭାବିକ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଜୋର କରିଥିବା ବେଳେ ଏନେଇ ଗୁରୁବାର ଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସୁଥିବା ବେଳେ ଜମ୍ମୁକାଶ୍ମୀର ଅଧିକାଂଶ ପ୍ରମୁଖ ଦଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଶେଷକରି ଗୁପକାର ଗ୍ରୁପର ନେତାମାନେ ଏନେଇ ସହମତି ଦେଇସାରିଛନ୍ତି । ପିଡିପି ନେତ୍ରୀ ମେହବୁବା ମୁଫତି, ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା ଓ ଅନ୍ୟ କିିଛି ଜମ୍ମୁକାଶ୍ମୀର ନେତା ଏହି ବୈଠକ ପାଇଁ ଦିଲ୍ଲୀ ଅଭିମୁଖେ ବାହାରି ସାରିଛନ୍ତି ।

ଜମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବାକୁ ସ୍ଥାନୀୟ ନେତାମାନେ ଦାବି କରି ଆସୁଛନ୍ତି । ହେଲେ ସ୍ଥିତି ଅନୁକୂଳ ନଥିବା ଦର୍ଶାଇ ଆସୁଛନ୍ତି କେନ୍ଦ୍ର ସରକାର । ଜମ୍ମୁକାଶ୍ମୀର ବିଧାନସଭା ଆସନ ସଂଖ୍ୟା ୧୦୭ରୁ ୧୧୪କୁ ବଢ଼ାଯିବାର ଅଛି । ତେବେ ଏହା ପୂର୍ବରୁ ନିର୍ବାଚନ ମଣ୍ଡଳୀ ଗୁଡ଼ିକାର ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ଏକ କମିଶନ ମଧ୍ୟ ଗଠିତ ହୋଇସାରିଛି । ତେବେ ସ୍ଥାନୀୟ ରାଜନୈତିକ ଦଳମାନେ ନିର୍ବାଚନ ପକ୍ରିୟାରେ ଭାଗ ନେବେ କି ନାହିଁ ଏକ ପ୍ରଶ୍ନ ରହିଆସୁଥିଲା । ତେବେ ଏହି ସର୍ବଦଳୀୟ ବୈଠକରେ ଏନେଇ କିଛି ସକାରାତ୍ମକ ଆଭାସ ମିଳିପାରେ ।

୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ୩୭୦ ଧାରା ହଟାଇ ଦେଇଥିଲେ । ଏହାସହ ଜମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ଭାଗ କରାଯାଇଥିଲା । ଲଦାଖ ଅଲଗା ହୋଇ କେନ୍ଦ୍ର ଶାସିତ ଅଂଚଳ ପାଲଟିଥିବା ବେଳେ ଜମ୍ମୁକାଶ୍ମୀର ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଂଚଳ ପାଲଟିଥିଲା ।